ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦ୍ରପୃଷ୍ଠରେ ଲାଣ୍ଡର ‘ବିକ୍ରମ’ର ଜୀବନ ଆଉ ୧୦ ଦିନ।

ଦିନ ପରେ ଦିନ ଗଡୁଛି। ହେଲେ ଚନ୍ଦ୍ରପୃଷ୍ଠରେ ଥିବା ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ଯୋଗାଯୋଗ ସମ୍ଭବ ହୋଇ ପାରୁନି। ହାତରେ ଆଉ ମାତ୍ର ୧୦ ଦିନ ଥିବାରୁ ବୈଜ୍ଞାନିକମାନେ ‘ବିକ୍ରମ’ ସହ ଯୋଗାଯୋଗ କରିବାକୁ ଦିନରାତି ଏକ କରି ଦେଇଛନ୍ତି। ହେଲେ ଇସ୍ରୋ ବୈଜ୍ଞାନିକଙ୍କ କଥାକୁ ‘ବିକ୍ରମ’ ଶୁଣିପାରୁ ନାହିଁ।

୨୦୦୮ରେ ଚନ୍ଦ୍ରଯାନ-୧ ସଫଳ ହେବା ପରେ ଇସ୍ରୋ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ-୨ ପଠାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ଗତ ଜୁଲାଇ ୨୨ରେ ଇସ୍ରୋ ସଫଳତାର ସହ ଚନ୍ଦ୍ରଯାନ-୨ ସଫଳତାର ସହ ଉତ୍‌କ୍ଷେପଣ ହୋଇଥିଲା।

୪୬ ଦିନର ଯାତ୍ରା ପରେ ସେପ୍ଟେମ୍ବର ୬ରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିଥାନ୍ତା ଲାଣ୍ଡର ବିକ୍ରମ। ଏହାପରେ ପ୍ରଜ୍ଞାନ୍‌ ବିକ୍ରମଠାରୁ ଅଲଗା ହୋଇଥାନ୍ତା ଏବଂ ଚନ୍ଦ୍ରପୃଷ୍ଠରୁ ଫଟୋ ପଠାଇଥାନ୍ତା। ଏହାକୁ ସାରା ବିଶ୍ୱ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଇସ୍ରୋ ସେଣ୍ଟର ସହ ଲାଣ୍ଡର ବିକ୍ରମର ସମ୍ପର୍କ ଛିନ୍ନ ହୋଇଥିଲା।

ହେଲେ ଜୋସ୍‌ ହରାଇ ନଥିଲେ ଇସ୍ରୋ ବୈଜ୍ଞାନିକ। ଲାଣ୍ଡର ବିକ୍ରମ କେଉଁଠି ରହିଲା ତାହା ଜାଣିବା ପାଇଁ ଇସ୍ରୋ ଅଭିଯାନ ଆରମ୍ଭ କରିଥିଲା। ଦୁଇ ଦିନ ପରେ ‘ବିକ୍ରମ’ ର ସନ୍ଧାନ ପାଇଥିଲା ଇସ୍ରୋ।

‘ବିକ୍ରମ’ ଭଲ ଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଥିଲା। କେବଳ ବିକ୍ରମ ସହ ଯୋଗାଯୋଗ ସମ୍ଭବ ହୋଇଗଲେ ମିଶନ ମୁନ୍‌ ସଫଳ ହୋଇଯିବ ବୋଲି ଇସ୍ରୋ ପକ୍ଷରୁ କୁହାଗଲା। ଫଳରେ ବିକ୍ରମ ସହ ସମ୍ପର୍କ ସ୍ଥାପନ ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି ଇସ୍ରୋ ବୈଜ୍ଞାନିକ।

ଚନ୍ଦ୍ରପୃଷ୍ଠରେ ଲାଣ୍ଡର ବିକ୍ରମର ଜୀବନ ଥିଲା ମାତ୍ର ୧୪ ଦିନ। ୧୪ ଦିନ ଯାଏଁ ଚନ୍ଦ୍ରପୃଷ୍ଠରେ ବିକ୍ରମ ବିଚରଣ କରିବାର ସାମର୍ଥ୍ୟ ରହିଥିଲା। ଇତି ମଧ୍ୟରେ ୪ ଦିନ ବିତିଗଲାଣି। ହାତରେ ମାତ୍ର ୧୦ ଦିନ ବାକି ରହିଛି। ଦିନ ପରେ ଦିନ ଗଡୁଥିଲେ ମଧ୍ୟ ବିକ୍ରମ ଇସ୍ରୋ ବୈଜ୍ଞାନିକମାନଙ୍କ କଥା ଶୁଣୁନି। ଯଦି ଏହି ସମୟ ଭିତରେ ଯୋଗାଯୋଗ ସମ୍ଭବ ନହୁଏ ତାହାଲେ ମିଶନ ବିଫଳ ହୋଇଯିବ ବୋଲି କୁହାଯାଉଛି।

ଇସ୍ରୋ ପଠାଇଥିବା ଅର୍ବିଟର ଏବେ ଚନ୍ଦ୍ର ଚାରିପଟେ ବୁଲୁଛି। ଯଦିଓ ଏହାର ସକ୍ରିୟ କାର୍ଯ୍ୟକାଳ ଗୋଟିଏ ବର୍ଷ ବୋଲି ବିଚାର କରାଯାଉଛି, ତେବେ ଏଥିରେ ୭ବର୍ଷ ପର୍ଯ୍ୟନ୍ତ ଇନ୍ଧନ ରହିଛି। ଏହି ଅର୍ବିଟର ହିଁ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରପୃଷ୍ଠରୁ, ପ୍ରାୟ ୧୦୦ କିଲୋମିଟରର ଦୂରରୁ ଠାବ କରିବାକୁ ସକ୍ଷମ ହୋଇଯାଇଛି। ଅର୍ବିଟରରେ ଥିବା ଶକ୍ତିଶାଳୀ କ୍ୟାମେରା ଦ୍ଵାରା ଏହି ଥର୍ମାଲ ଇମେଜ ଇସ୍ରୋ ପାଖରେ ପହଞ୍ଚିଛି। ତେଣୁ ଆଗାମୀ ଦିନରେ ଅର୍ବିଟର ଅନେକ ଅଜଣା ତଥ୍ୟ ଯୋଗାଇ ଦେବ।

Comment