ଓଡ଼ିଶାଲାଇଭ ବ୍ୟୁରୋ

ନୂଆ ଟ୍ରାଫିକ ନିୟମ ବିଷୟରେ ଲୋକଙ୍କୁ ସଚେତନ କରାଇବାକୁ ଆରମ୍ଭ ହେଲା ପ୍ରୟାସ। କଟକ-ଭୁବନେଶ୍ଵରରେ କମିଶନରେଟ ପୋଲିସ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏନେଇ ଗୁରୁବାର କଟକରୁ ସଚେତନତା ରଥ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି।

ଏକ ଟାଟା ଏସି ଗାଡ଼ିରେ ଟ୍ରାଫିକର ବିଭିନ୍ନ ନିୟମ ଲେଖାଯାଇ ସହରରେ ବୁଲାଯାଉଛି। ଏହା ପୂର୍ବରୁ ଭୁବନେଶ୍ଵରରେ ଟ୍ରାଫିକ ପୋଲିସ ଦ୍ଵାରା ଚକଲେଟ ବଣ୍ଟା ଯାଇ ସଚେତନ କରାଯାଇଥିଲା।

କେନ୍ଦ୍ର ସରକାର ଦ୍ଵାରା ମୋଟର ଯାନ ଆଇନ ସଂଶୋଧନ ପରେ ସେପ୍ଟେମ୍ଵର ମାସରେ ଏହାକୁ ଲାଗୁ କରାଯାଇଥିଲା। ରାଜଧାନୀ ଭୁବନେଶ୍ଵରରେ ପ୍ରବଳ ମାତ୍ରାରେ ଯାଞ୍ଚ ଯୋଗୁଁ ଲୋକଙ୍କ ମନରେ ଭୟ ହୋଇଯାଇଥିଲା। ମୋଟା ଅଙ୍କର ଫାଇନ ଆଦାୟ ଯୋଗୁଁ ଅତିଷ୍ଠ ହୋଇଯାଇଥିଲେ ଲୋକ।

ପରେ ଏହାକୁ ନେଇ ଭୁବନେଶ୍ଵରସ୍ଥିତ ରାଜମହଲ ଛକରେ ପୋଲିସ-ଜନତା ମୁହାଁମୁହିଁ ହୋଇଥିଲେ। ପରେ ଏହି ନିୟମକୁ କମିସନରେଟ ପରିବର୍ତ୍ତନ କରି ୫ଟି ନିୟମରେ ଯାଞ୍ଚ କରିବାକୁ ଘୋଷଣା କରିଥିଲା।

ହେଲେ ବର୍ତ୍ତମାନ ରାଜ୍ୟ ସରକାର ଏହି ନିୟମକୁ ୩ ମାସ କୋହଳ କରିଦେଇଛନ୍ତି। ଏହି ଅବଧି ମଧ୍ୟରେ ଲୋକମାନେ ଡ୍ରାଇଭିଂ ଲାଇସେନ୍ସ, ପ୍ରଦୂଷଣ ପ୍ରମାଣ ପତ୍ର ପ୍ରସ୍ତୁତ କରିବାକୁ ଆରଟିଓରେ ଲମ୍ଵା ଲାଇନ ଲଗାଇଛନ୍ତି। ଏହାକୁ ନଜରରେ ରଖି ରାଜ୍ୟ ସରକାର ରବିବାର ମଧ୍ୟ ଆରଟିଓ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ବର୍ତ୍ତମାନ ସଚେତନତା କାର୍ଯ୍ୟ ପାଇଁ ମଧ୍ୟ ପୋଲିସ ପ୍ରଶାସନ ତତ୍ପର ହୋଇଛନ୍ତି।

Comment