ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ପଞ୍ଚମ ପାଳିରେ ଶାସକ ବିଜୁ ଜନତା ଦଳ ପୁରୀକୁ ଯେମିତି ଫୋକସ୍‌ କରୁଛି ତାହା ପୂର୍ବ ପାଳିରେ କେବେ ଦେଖିବାକୁ ମିଳି ନଥିଲା। ପୂର୍ବ ପାଳିରେ ଶ୍ରୀମନ୍ଦିରରେ ନୀତି ବିଭ୍ରାଟ, ଠିକ୍‌ ସମୟରେ ଅବଢ଼ା ନବାହାରିବା, ଦାରୁ ଚିହ୍ନଟରେ ଅନିୟମିତତା, ବ୍ରହ୍ମ ପରିବର୍ତ୍ତନରେ ବିଭ୍ରାଟ, ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ପୁରୀ ଚର୍ଚ୍ଚାରେ ରହିଥିଲା। ଏହାସହ ଶାସକ ଦଳକୁ ମଧ୍ୟ ଅଡୁଆରେ ପକାଇଥିଲା।

ତେବେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପଞ୍ଚମ ପାଳି ସରକାର ଆସୁ ଆସୁ ପୁରୀର ବିକାଶକୁ ଫୋକସ୍‌ କରାଯାଇଛି। ଏହି ବିକାଶମୂଳକ କାମକୁ ତଦାରଖ କରିବା ପାଇଁ ଶୁକ୍ରବାର ୫ ଜଣ ଯୁବ ଆଇଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି।

ସେମାନେ ହେଲେ ସୂର୍ଯବଂଶୀ ମୟୁର ବିକାଶ, କୀର୍ତ୍ତିଭାସନ ଭି, ଶୁଭଙ୍କର ମହାପାତ୍ର, ଜେ ସୋନାଲ ଓ ଭୁବନେଶ ଦେବଦାସ ପାଟିଲ୍। ତେବେ ରାଜ୍ୟ ସରକାର ହଠାତ୍‌ ଏହି ଆଇଏଏସ୍ ଅଫିସରଙ୍କୁ ପୁରୀ ବିକାଶ ଦାୟିତ୍ୱ କାହିଁକି ଦେଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୁରୀକୁ ବିଶ୍ୱ ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ରାଜ୍ୟ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ନବକଳେବର ବେଳେ ମଧ୍ୟ ପୁରୀର ଅନେକ ବିକାଶମୂକଳ କାମ ରାଜ୍ୟ ସରକାର କରିଥିଲେ। ହେଲେ ଏହା ସଫଳ ରୂପାୟନ ହୋଇ ନଥିବା ବିରୋଧୀ ଅଭିଯୋଗ କରି ସରକାରଙ୍କୁ ଘେରିଥିଲେ। ଏଣୁ ପଞ୍ଚମ ପାଳି ସରକାରରେ ପୁରୀ ବିକାଶ ପାଇଁ ଯେଉଁ ନକ୍ସା ପ୍ରସ୍ତୁତ କରିଛନ୍ତି ସେଥିରେ ଯେମିତି ବାଧା ସୃଷ୍ଟି ନହୁଏ ଏବଂ ସରକାର ଯେମିତି ଅପଦସ୍ତ ନହୁଅନ୍ତି ସେଥିପାଇଁ ପୁରୀ ଜିଲ୍ଲାର ଜନପ୍ରତିନିଧିଙ୍କ ଅପେକ୍ଷା ଆଇଏଏସ୍‌ ଅଫିସରମାନଙ୍କୁ ଅଧିକ ଭରସା କରାଯାଇଥିବା ଚର୍ଚ୍ଚା ହେଉଛି।

ନିର୍ବାଚନ ବତେଇଲା ବାଟ!

ପୁରୀ ହେଉଛି ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ବିଶ୍ୱ ମାନଚିତ୍ରରେ ପୁରୀର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ନବୀନ ପଟ୍ଟନାୟକ ଯେବେଠୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେଣି ସେବେଠୁ ପୁରୀ ବିଧାନସଭା ଏବଂ ଲୋକସଭା ଆସନ ବିଜେଡି ହାତମୁଠାରେ ରହି ଆସିଥିଲା। କଂଗ୍ରେସ ଏବଂ ବିଜେପି ଦଳ ପୁରୀରେ ପ୍ରାର୍ଥୀ ଦେଉଥିଲେ। ହେଲେ ବିଜେଡି ପ୍ରାର୍ଥୀ ହିଁ ଏଠାରେ ବାଜିମାତ୍‌ କରି ଆସୁଥିଲେ।

ହେଲେ ୨୦୧୯ ନିର୍ବାଚନରେ ସବୁ ବଦଳି ଯାଇଥିଲା। ପୁରୀ ସଦର ବିଧାନସଭା ଆସନ ସମେତ ବ୍ରହ୍ମଗିରି ବିଜେଡି ହାତରୁ ଖସି ଯାଇଥିଲା। ପୁରୀରେ ବିଜେଡି ପ୍ରାର୍ଥୀ ମହେଶ୍ୱର ମହାନ୍ତିଙ୍କୁ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ପରାଜିତ କରିଥିବା ବେଳେ ବ୍ରହ୍ମଗିରିରେ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମାଙ୍କୁ ବିଜେପିର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପରାଜିତ କରିଥିଲେ।

ଏପଟେ ଲୋକସଭା ଆସନରେ ବି କଡ଼ା ଟକ୍କର ହୋଇଥିଲା। ବିଜେଡିର ଦୁଇ ଦୁଇ ଥର ସାଂସଦ ଥିବା ପିନାକୀ ମିଶ୍ରଙ୍କୁ କଡ଼ା ଟକ୍କର ଦେଇଥିଲେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର। ପିନାକୀ ହାରୁ ହାରୁ ଏହି ଆସନରେ ଜିତି ସମ୍ମାନ ରଖିଛନ୍ତି। ହେଲେ ଏହାକୁ ବିଜେଡି ଶିବିର ସହଜରେ ଗ୍ରହଣ କରିପାରି ନଥିଲା। ଅନ୍ୟ ସବୁ ନିର୍ବାଚନମଣ୍ଡଳୀରେ ବି ବିଜେଡି ପ୍ରାର୍ଥୀଙ୍କୁ ବିଜେପି କଡ଼ା ଟକ୍କର ଦେଇଥିଲା। ପୁରୀ ବିଜେଡି ପାଇଁ ସୁରକ୍ଷିତ ନଥିବା ବିଜେଡି ମ୍ୟାନେଜର ଗଣିତ କଷିଥିଲେ।

ଏଣୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ହେବାର କିଛି ମାସ ପରେ ପୁରୀ ସହରର ବିକାଶ କଥା ଚିନ୍ତା କରାଯାଇଛି। କ୍ୟାବିନେଟ୍‌ ଡାକି ଜଷ୍ଟିସ୍‌ ବି ପି ଦାସ କମିଶନଙ୍କ ସୁପାରିଶକୁ ଲାଗୁ କରାଯାଇଛି। ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ ଚାଲିଛି।

ତେବେ ଏହି ଉଚ୍ଛେଦ ବେଳେ ଅନେକ ପ୍ରାଚୀନ ମଠ ଟଳି ପଡ଼ିବାରୁ ପୁରୀରେ ବିରୋଧର ସ୍ୱର ତେଜିଲା। ଶଙ୍କରାଚାର୍ଯ୍ୟଙ୍କଠାରୁ ଆରମ୍ଭ କରି ମଠ ମହନ୍ତ ଏବଂ ବୁଦ୍ଧିଜୀବୀ ସରକାରଙ୍କୁ ସମାଲୋଚନା କରିଥିଲେ।

ସମାଲୋଚନା ପରେ ମୁଖ୍ୟମନ୍ତ୍ରୀ ପୁରୀ ବିକାଶ ପାଇଁ ୫୦୦ କୋଟିର ପ୍ୟାକେଜ ଘୋଷଣା କରିଥିଲେ। ପୁରୀର ବିକାଶ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ତ୍ୟାଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। ହେଲେ ତାହା ଫଳପ୍ରଦ ହେଲାନି। ମଠ ଭଙ୍ଗାକୁ ବିରୋଧ କରି ପୁରୀରେ ସାଧୁସନ୍ଥ ଏକାଠି ହେଲେ। ଏହି ଅଡୁଆ ପରିସ୍ଥିତିକୁ ସାମ୍ନା କରିବାକୁ ଯାଇ ସରକାର ପୁଣି ପ୍ୟାକେଜ ଘୋଷଣା କଲେ। ଏବେ ପୁରୀରେ ବିରୋଧ ଥମିଛି।

ତେବେ ଆଗକୁ ଯେମିତି ଅଡୁଆ ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ପୁରୀର ଜନପ୍ରତିନିଧିଙ୍କ ଅପେକ୍ଷା ଆଇଏଏସ୍‌ମାନଙ୍କୁ ଦାୟିତ୍ୱ ଦିଆଯାଇଥିବା କୁହାଯାଉଛି।

ଶ୍ରୀମନ୍ଦିର ପରିଚାଳନା କମିଟିରେ ବି ଆଇଏଏସ୍‌

ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ରହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆଜି ପର୍ଯ୍ୟନ୍ତ ପରିଚାଳନା କମିଟିରେ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦବୀ ନଥିଲା। କିନ୍ତୁ ଏହି ପଞ୍ଚମ ପାଳି ସରକାରରେ ନୂଆ ପଦବୀ ସୃଷ୍ଟି କରାଯାଇଛି। ବରିଷ୍ଠ ଆଇଏଏସ୍‌ ଅଫିସର ସୁରେଶ ମହାପାତ୍ରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଛି।

ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ କାମ ଆରମ୍ଭ କରିବା ପୂର୍ବରୁ ହିଁ ଏହି ପଦବୀ ସୃଷ୍ଟି କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବୀରେ ବରିଷ୍ଠ ଆଇଏଏସ୍‌ ଅଫିସରମାନଙ୍କୁ ସରକାର ନିଯୁକ୍ତି ଦେଉଥିବା ବେଳେ ପରିଚାଳନା କମିଟିରେ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦବୀ ସୃଷ୍ଟି କରି ଜଣେ ଆଇଏଏସ୍‌ଙ୍କୁ ଅବସ୍ଥାପିତ କରିବାକୁ ପୁରୀବାସିନ୍ଦା ସହଜରେ ଗ୍ରହଣ କରିପାରୁ ନାହାନ୍ତି।

Comment