ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଉଲ୍ଲଂଘନକାରୀ ଗାଡ଼ି ଚାଳକଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ୁଛି। କିନ୍ତୁ ଏହି କଡ଼ା ଟ୍ରାଫିକ୍ ନିୟମକୁ ଲୋକେମାନେ ଅଭିଯୋଗ କରିବା ପରେ ମୁଖ୍ୟମନ୍ତ୍ରୀ ପ୍ରଦୂଷଣ ଓ ଜରିମାନା ଆଦାୟକୁ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କିନ୍ତୁ ବିନା ହେଲମେଟ୍, ସିଟ୍ ବେଲ୍ଟ, ମଦ୍ୟପାନ କରି ଗାଡ଼ି ଚଳାଇବା ଉପରେ କୌଣସି କୋହଳ ହୋଇ ନାହିଁ। ଫଳରେ ବିଭିନ୍ନ ଛକମାନଙ୍କରେ ଚେକିଂ ଚାଲିଛି। କିନ୍ତୁ ପୋଲିସ ଓ ପରିବହନ ବିଭାଗର ଯାଞ୍ଚକୁ ଫାଙ୍କିବା ପାଇଁ ଲୋକେମାନେ ନୂଆ କୌଶଳ ଆପଣେଇଛନ୍ତି। କେଉଁଠି ଛକ ପୂର୍ବରୁ ଗାଡ଼ି ଗଡ଼ାଇ ଗଡ଼ାଇ ନେଉଛନ୍ତି ତ କେଉଁଠି ପୋଲିସ୍କୁ ଭୂଆଁ ବୁଲାଇ ପଳାଉଛନ୍ତି।

ଏବେ ଫାଇନ୍ରୁ ବର୍ତ୍ତିବା ପାଇଁ ଲୋକେମାନେ ସୋସିଆଲ ମିଡିଆ ଭଳି ଷ୍ଟାଇଲ୍ ଉପଯୋଗ କଲେଣି। ପରିବହନ ବିଭାଗର ଜରିମାନାରୁ ବଞ୍ଚିବାକୁ ହ୍ୱାଟ୍ସଆପ୍ର ଏକ ଗ୍ରୁପ ତିଆରି କରିଛନ୍ତି। ଯେ କୌଣସି ବ୍ୟକ୍ତି ଏହି ଗ୍ରୁପ୍ରେ ମିଶି ପାରିବେ। ଏହି ହ୍ଵାଟ୍ସଗ୍ରୁପ୍ର ସଦସ୍ୟ ସଂଖ୍ୟା ୨୪୦ ଟପିଲାଣି।
ପୂର୍ବରୁ ଏହି ଗ୍ରୁପର ନାମ ‘ହେଲମେଟ୍ ଚେକିଂ ଇନ୍ ଏସବିପି’ ଥିବାବେଳେ ଏବେ ‘ପିସିଆର ଚେକିଂ ଇନ୍ ଏସବିପି’ ରଖାଯାଇଛି। ଯେଉଁ ବ୍ୟକ୍ତି କୌଣସି ସ୍ଥାନରେ ଟ୍ରାଫିକ୍ ଯାଞ୍ଚ ହେଉଥିବାର ଖବାର ପାଇଲେ, ସାଙ୍ଗେସାଙ୍ଗେ ଗ୍ରୁପ୍ରେ ମେସେଜ୍ ପକାଇ ଦିଅନ୍ତି। ଫଳରେ ଅନ୍ୟ ସଦସ୍ୟମାନେ ଅନ୍ୟ ରାସ୍ତା ଦେଇ ଯାତାୟାତ କରନ୍ତି। ବା ହେଲମେଟ୍ ପିନ୍ଧି ଯାତାୟାତ କରନ୍ତି।
ସମ୍ବଲପୁର ଏସ୍ପି ଏନେଇ ଖବର ପାଇଛନ୍ତି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ନେଇ ଏସ୍ପି କହିଛନ୍ତି।


















