ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପୂର୍ବତନ ବିଧାୟକଙ୍କୁ ଚରମବାଣୀ ଶୁଣାଇଛନ୍ତି ବିଧାନସଭା ବାଚସ୍ପତି।

ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ପୂର୍ବତନ ବିଧାୟକଙ୍କୁ ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଚରମବାଣୀ ଶୁଣାଇଛନ୍ତି। ନୋଟିସ୍‌ ଦେଇ କହିଛନ୍ତି ତୁରନ୍ତ କ୍ୱାର୍ଟର ଖାଲି କର। ନହେଲେ ବାସଭବନକୁ ଯୋଗାଇ ଦିଆଯାଉଥିବା ପାଣି, ବିଜୁଳି ବନ୍ଦ କରାଯିବ।

ସମାଜରୁ ବାସନ୍ଦ ହେଉଥିବା ଲୋକଙ୍କୁ ଯେମିତି ନିଆଁ, ପାଣି ବନ୍ଦ କରାଯାଏ ଠିକ୍‌ ସେମିତି ପୂର୍ବତନ ବିଧାୟକଙ୍କୁ ଏଭଳି କଠୋରବାଣୀ ଶୁଣାଇଛନ୍ତି ବାଚସ୍ପତି।

୫ ସାଂସଦଙ୍କ ସମେତ ୨୬ ଜଣ ପୂର୍ବତନ ବିଧାୟକଙ୍କୁ ଏଭଳି ନୋଟିସ୍‌ ହୋଇଛି। ପୂର୍ବରୁ ମଧ୍ୟ ବିଧାନସଭା ପକ୍ଷରୁ ଏଭଳି ନୋଟିସ୍ ହୋଇଥିଲା। ହେଲେ ପୂର୍ବତନ ବିଧାୟକମାନେ କ୍ୱାଟର ଛାଡ଼ି ନଥିବାରୁ ଆଉ ଥରେ ନୋଟିସ୍‌ ଜାରି ହୋଇଛି।

ପୂର୍ବତନ ବିଧାୟକମାନେ କ୍ୱାର୍ଟର ଛାଡ଼ି ନଥିବାରୁ ନୂଆ ବିଧାୟକମାନଙ୍କୁ ଏଯାଏଁ କ୍ୱାର୍ଟର୍ ମିଳିପାରି ନାହିଁ।

କ୍ୱାର୍ଟର ଛାଡ଼ିନଥିବା ବିଧାୟକମାନେ ହେଲେ, ବସନ୍ତ ପଣ୍ଡା (ଲୋକସଭା) ଭୂଜବଳ ମାଝୀ, ଝିନ୍ନ ହିକ୍କକା, ସରୋଜିନି ହେମ୍ବ୍ରମ, ବିଭୂତି ଭୂଷଣ ହରିଚନ୍ଦନ, ବିଜୟଶ୍ରୀ ରାଉତରାୟ, ଦାମୋଦର ରାଉତ, ଦେବାଶିଷ ନାୟକ, ଧନେଶ୍ୱର ମାଝୀ, ଗୋଲିକ ବିହାରୀ ନାୟକ, ଯୁଗଳ ପଟ୍ଟନାୟକ, କିଶୋର ତରାଇ, ମହେଶ ସାହୁ (ଲୋକସଭା), ନନ୍ଦିନୀ ଦେବୀ, ନିତେଶ ଗଙ୍ଗଦେବ, ପ୍ରଭାତ କୁମାର ତ୍ରିପାଠୀ, ପ୍ରବୀଣ ଭଞ୍ଜଦେଓ, ପୁଷ୍ପେନ୍ଦ୍ର ସିଂହ ଦେଓ, ରବି ନାରାୟଣ ନାୟକ, ରମେଶ ଚନ୍ଦ୍ର ମାଝୀ(ଲୋକସଭା), ସାନନ୍ଦ ମାରାଣ୍ଡି,  ସଞ୍ଜୟ ଦାସ ବର୍ମା। ସେହିପରି ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ଓ ସ୍ୱର୍ଗତ ସୁବଳ ସାହୁଙ୍କ ନାଁ ରହିଛି।

Comment