ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): କେନ୍ଦ୍ର ସାହିତ୍ୟ ଏକାଡେମି ପକ୍ଷରୁ ନାରୀ ସ୍ରଷ୍ଟାଙ୍କୁ ନେଇ ‘ଅସ୍ମିତା’ କାର୍ଯ୍ୟକ୍ରମ ବାଲେଶ୍ଵର ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ଓଡ଼ିଆ ଭାଷା ସାହିତ୍ୟ ଆନ୍ଦୋଳନରେ ବାଲେଶ୍ୱର’ ଶୀର୍ଷକ ଏକ ସଂପାନକୁ ଉଦ୍‌ଘାଟନ କରିଥିଲେ ବିଶିଷ୍ଟ ଚିନ୍ତକ ତଥା କବି ହରପ୍ରସାଦ ଦାସ। ସାହିତ୍ୟ ଏକାଡେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଡକ୍ଟର ବିଜୟାନନ୍ଦ ସିଂହ ଏଥିରେ ଅଧ୍ୟକ୍ଷତା କରିଥିଲେ।

ଉଦଘାଟନୀ ଅଭିଭାଷଣରେ ମୁଖ୍ୟ ଅତିଥି ଶ୍ରୀଦାସ ଓଡ଼ିଆ ଭାଷାର ବିକାଶ ଦିଗରେ ବାଲେଶ୍ୱରର ଅତୁଳନୀୟ ଅବଦାନ ରହିଥିବା କଥା କହିବା ସହ ଓଡ଼ିଆ ଭାଷାକୁ ଅଧିକ ସମୃଦ୍ଧ କରିବା ପାଇଁ ଆମେ ସମସ୍ତେ ନିରନ୍ତର ଉଦ୍ୟମ କରିବା ଦରକାର ବୋଲି କହିଥିଲେ। ପ୍ରଭୁ ଜଗନ୍ନାଥଙ୍କ ପାଇଁ ପୁରୀକୁ ଶ୍ରୀକ୍ଷେତ୍ର କୁହାଯାଉଥିବା ବେଳେ ଓଡ଼ିଆ ଭାଷା ସାହିତ୍ୟକୁ ବିଶେଷ ଅବଦାନ ପାଇଁ ବାଲେଶ୍ଵରକୁ ବାଣୀକ୍ଷେତ୍ର କୁହାଯିବା ଆବଶ୍ୟକ ବୋଲି ଶ୍ରୀଦାସ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମ କୃଷ୍ଣଚନ୍ଦ୍ର ଭୂୟାଁଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା। ଏଥିରେ ଡକ୍ଟର ଅଭୟ ଦ୍ଵିବେଦୀ, ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଡକ୍ଟର ଶିରୀଶ ଚନ୍ଦ୍ର ଜେନା ପ୍ରମୁଖ ପ୍ରବନ୍ଧ ପାଠ କରିଥିଲେ।

ପରେ ସାହିତ୍ୟ ଏକାଡେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ କବି ବିମଳ ଜେନାଙ୍କ ପୌରୋହିତ୍ୟରେ ଦ୍ୱତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ଶେଷରେ ନିମନ୍ତ୍ରିତ ଲେଖିକାମା‌ନେ ସ୍ଵରଚିତ କବିତା ଓ ଗଳ୍ପ ପାଠ କରିଥିଲେ। ବାଲେଶ୍ଵରର କବି ଦୀପ୍ତି ଦାସ, ବାଲେଶ୍ଵରର ଗାଳ୍ପିକା ପୁଷ୍ପାଞ୍ଜଳି ନାୟକ, ବାଲେଶ୍ଵରର ଗାଳ୍ପିକା ସୈରିନ୍ଧ୍ରୀ ସାହୁ, ରାଉରକେଲାର ଗାଳ୍ପିକା ମୋନାଲିସା ମିଶ୍ର ଏବଂ ଭୁବନେଶ୍ୱରର ଗାଳ୍ପିକା କ୍ଷୀରୋଦିନୀ ବେହେରା ଅଂଶଗ୍ରହଣ କରି ନିଜ ନିଜର କବିତା ଓ ଗଳ୍ପ ପାଠ କରି ଶୁଣାଇଥିଲେ। ସହରର ବୁଦ୍ଧିଜୀବୀ ଓ ସାହିତ୍ୟିକଙ୍କ ସମାଗମରେ ସାରାଦିନର କାର୍ଯ୍ୟକ୍ରମ ବେଶ୍ ସଫଳ ହୋଇଥିଲା।

Comment