ଓଡ଼ିଶାଲାଇଭ୍ ବ୍ୟୁରୋ

ଭବିଷ୍ୟତରେ ଦକ୍ଷ ମହାକାଶ ବିଜ୍ଞାନୀ ଗଢି ତୋଳିବା ପାଇଁ ସତୀଶ ଧାୱନ ସ୍ପେସ ସେଣ୍ଟର ଓ ଇସ୍ରୋ  ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ଉଦ୍ୟମ। ଏହିକ୍ରମରେ ଦେଶର ୪ ଟି ରାଜ୍ୟ ଓଡିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ପୁଡୁଚେରୀର ୧୨ ଟି ସ୍ଥାନରେ ଅନୁଷ୍ଠିତ ହେଉଛି ଭାରତୀୟ ଅନ୍ତରୀକ୍ଷ ଅଭିଯାନର ଜନକ ଡକ୍ଟର ବିକ୍ରମ ଆମ୍ବାଲାଲ ସାରାଭାଇଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ।

ଏହି ଅବସରରେ ସତୀଶ ଧାୱନ ସ୍ପେସ ସେଣ୍ଟର ପକ୍ଷରୁ ମହାକାଶ ସଂକ୍ରାନ୍ତୀୟ ବିଭିନ୍ନ କୁଇଜ, ଡିବେଟ, ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗିତା ସମେତ ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଅଂଶଗ୍ରହଣ କରୁଛନ୍ତି ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ।

ଓଡ଼ିଶାର ୩ଟି ସହର ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲାରେ ଇସ୍ରୋ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ଥିରୀକୃତ ହୋଇଛି। ପ୍ରଥମ ପର୍ଯାୟରେ ଏହା ରାଉରକେଲା ଏନଆଇଟିରେ ଅନୁଷ୍ଠିତ ହେଉଛି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଅନୁଷ୍ଠିତ ହେଉଥିବା ଡକ୍ଟର ବିକ୍ରମ ସାରାଭାଇ ଜନ୍ମ ଶତବାର୍ଷିକୀ ଉତ୍ସବର ଉଦଘାଟନୀ ଦିବସରେ ମୁଖ୍ୟ ଆକର୍ଷଣ ଥିଲେ ଇସ୍ରୋ, ଶ୍ରୀହରିକୋଟାର ନିର୍ଦ୍ଦେଶକ ତଥା ବିଶିଷ୍ଟ ମହାକାଶ ବିଜ୍ଞାନୀ ଡକ୍ଟର ଏ.ରାଜା ରାଜନ।

ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଆରଏସପିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପକ ଛଟରାଜ, ଏନଆଇଟି ନିର୍ଦ୍ଦେଶକ ଡକ୍ଟର ଅନିମେଶ ବିଶ୍ୱାସ ସମେତ ସତୀଶ ଧାୱନ ମହାକାଶ କେନ୍ଦ୍ରର ବରିଷ୍ଠ ଅଧିକାରୀ।  ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ପ୍ରଦର୍ଶନୀ ବୁଲି ଦେଖିବାପରେ ବେଶ ଉତ୍ସାହିତ ହୋଇଥିବା ପରିଲକ୍ଷିତ ହୋଇଛି। ବିକ୍ରମ ସାରାଭାଇଙ୍କ ଆତ୍ମଜୀବନୀ ସମ୍ପର୍କିତ ବୃତ୍ତଚିତ୍ର ଏବଂ ପ୍ରଦର୍ଶନୀ ଦେଖିବାପରେ ମହାକାଶ ବିଜ୍ଞାନୀ ହେବାକୁ ସେମାନେ ମନ ବଳାଇଇଛନ୍ତି।

Comment