ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁଠୁ ନିରାଶ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ହାମ୍‌ବଡ଼ା ନୀତି ଯାଉନି।

କଶ୍ମୀର ପ୍ରସଙ୍ଗରେ ଚାରିଆଡୁ ନିରାଶ ହେବା ପରେ ବି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଗଉଁ ଭାଙ୍ଗୁନି। କଶ୍ମୀରକୁ ନେଇ ଇମ୍ରାନ ଖାଲି ବିଳିବିଳି ହେଉଛନ୍ତି। ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ କଶ୍ମୀର ସମସ୍ୟା ସମାଧାନ କରିବାକୁ ଅନ୍ୟ ରାଷ୍ଟ୍ରମାନେ ପରାମର୍ଶ ଦେଉଥିବା ବେଳେ ଇମ୍ରାନ ଏହାକୁ ଗ୍ରହଣ କରିବା ମୁଡ୍‌ରେ ନାହାନ୍ତି।

ଭାରତ ସହିତ କୌଣସି ଆଲୋଚନା ହୋଇପାରିବ ନାହିଁ ବୋଲି ଇମ୍ରାନ ସଫା ସଫା ମନା କରି ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଜମ୍ମୁ କଶ୍ମୀରରୁ ଭାରତ ସରକାର କର୍ଫ୍ୟୁ ଉଠାଇ ନାହାନ୍ତି ସେଯାଏଁ ଭାରତ ସହିତ ଆଲୋଚନା କରିବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ଇମ୍ରାନ୍।

ଗତ କିଛି ଦିନ ତଳେ ଇମ୍ରାନ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଏକ ରାଲିରେ ଯୋଗ ଦେଇଥିଲେ। ବିଜେପି ଏବଂ ଆର୍‌ଏସ୍‌ଏସ୍‌ କଶ୍ମୀରକୁନେଇ ଯାହା କରୁଛନ୍ତି ତାହା ମୁଖା ଖୋଲାଯିବ ବୋଲି ଇମ୍ରାନ କହିଥିଲେ।

କଶ୍ମୀର ପ୍ରସଙ୍ଗକୁ ବିଶ୍ୱର ବିଭିନ୍ନ ମଞ୍ଚରେ ଉଠାଯିବ ବୋଲି କହିଛନ୍ତି ଇମ୍ରାନ୍‌। କଶ୍ମୀରକୁ ନେଇ ଭାରତ ସରକାର ଯେଉଁ ମିଛ କହୁଛନ୍ତି ତାହା ସବୁଠି ଉଠାଯିବ ବୋଲି କହିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ।

କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଜାତିସଂଘ ମହାସଚିବଙ୍କୁ ଅନୁରୋଧ କରିଥିଲା ପାକିସ୍ତାନ। ହେଲେ ମହାସଚିବ ପାକିସ୍ତାନର ଅନୁରୋଧକୁ ଗ୍ରହଣ କରି ନଥିଲେ। କଶ୍ମୀର ସମସ୍ୟା ସମାଧାନ କରିବାକୁ ଭାରତ-ପାକିସ୍ତାନ ଭିତରେ ଦ୍ୱିପାକ୍ଷିକ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ ମହାସଚିବ। ହେଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏହାକୁ ନା କହିଛନ୍ତି।

ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏହାପରେ ପାକିସ୍ତାନ ବାଉଳି ଖାଇଥିଲା। କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦ ଏବଂ ମାନବାଧିକାର ପରିଷଦରେ ଉଠାଇଥିଲା। ହେଲେ ପାକିସ୍ତାନକୁ ସୁଫଳ ମିଳି ନଥିଲା।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପାକିସ୍ତାନକୁ ନାସ୍ତିବାଣୀ ଶୁଣାଇଥିଲେ। ଏହାପରେ ବି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଗଉଁ ଭାଙ୍ଗୁନି।

Comment