ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏୟାର ଭାଇସ୍‌ ଚିଫ୍‌ ଏୟାର ମାର୍ସଲ ଆରକେଏସ ଭଦୁରିଆ ହେବେ ଭାରତୀୟ ବାୟୁସେନାର ପରବର୍ତ୍ତୀ ମୁଖ୍ୟ। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖ୍ୟ ପ୍ରବକ୍ତା ସୂଚନା ଦେଇଛନ୍ତି। ସେ କହିଛନ୍ତି “ବାୟୁସେନାର ପ୍ରମୁଖ ପାଇଁ ଆରକେଏସ ଭଦୁରିଆଙ୍କ ନାଁରେ ମୋହର ଲାଗିଛି। ସେ ବର୍ତ୍ତମାନର ଚିଫ୍‌ ମାର୍ସାଲ ବିଏସ୍‌ ଧନାଓଙ୍କ ସ୍ଥାନ ନେବେ।”

ସୂଚନାଯୋଗ୍ୟ, ଆସନ୍ତା ସେପ୍ଟେମ୍ବର ୩୦ରେ ବିଏସ୍‌ ଧନାଓ ଚିଫ୍‌ ଏୟାର ଷ୍ଟାଫ୍‌ ପଦରୁ ଅବସର ନେବେ।

ଏୟାର ଭାଇସ୍‌ ଚିଫ୍‌ ଏଆର ମାର୍ସଲ ଆରକେଏସ ଭଦୁରିଆ ଭାରତୀୟ ବାୟୁସେନାର ଜଣେ ଉଚ୍ଚକୋଟୀର ପାଇଲଟ୍‌। ସେ ଏପର୍ଯ୍ୟନ୍ତ ୨୭ରୁ ଅଧିକ ପ୍ରକାରର ଯୁଦ୍ଧ ବିମାନ, ପରିବହନ ବିମାନ ଉଡ଼ାଇସାରିଛନ୍ତି। ସେ ହେଉଛନ୍ତି ରାଫେଲ ଯୁଦ୍ଧ ବିମାନ କ୍ରୟ ଟିମ୍‌ର ଜଣେ ସଦସ୍ୟ।

ରାଫେଲ ବିମାନକୁ ଉଡ଼ାଇବା ପରେ ଏହଶ ଦୁନିଆର ସବୁଠୁ ଭଲ ଯୁଦ୍ଧ ବିମାନ ବୋଲି ସେ କହିଥିଲେ। ଏହା ଆସିବା ପରେ ଭାରତୀୟ ବାୟୁସେନାର ଶକ୍ତି ଅନେକ ଗୁଣରେ ବଢ଼ିଯିବ ବୋଲି ସେ ମନ୍ତବ୍ୟ ଦେଇଥିଲେ।

ଏୟାର ଭାଇସ୍‌ ଚିଫ୍‌ ଏଆର ମାର୍ସଲ ଆରକେଏସ ଭଦୁରିଆ ଜଣେ ‘ଏ’ କାଟାଗୋରୀ ଉଡ଼ାନ୍‌ ପର୍ଯ୍ୟବେକ୍ଷକ ଏବଂ ପାଇଲଟ୍‌ ଆଟାକ ଇନ୍‌ଷ୍ଟ୍ରକ୍ଟର। ସେ ବାୟୁସେନା ପଦକ, ଅତି ବିଶିଷ୍ଟ ପଦକ ଓ ପରମ ବିଶିଷ୍ଟ ସେବା ପଦକରେ ସମ୍ମାନିତ ହୋଇଛନ୍ତି।

Comment