ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
‘କାଳିଆ’ ଯୋଜନା ଏବେ ସରକାରଙ୍କ ନିଦ ହଜାଇ ଦେଇଛି। ଯେଉଁ କାଳିଆ ଯୋଜନାକୁ ନେଇ ଶାସକ ବିଜେଡି ନିର୍ବାଚନ ବୈତରଣୀ ପାର୍ ହୋଇଥିଲା ତାହା ଏବେ ଅଡୁଆ ବଢ଼ାଇଛି। ଯୋଗ୍ୟ, ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ସରକାର ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ପ୍ରକୃତରେ କେତେ ଅଯୋଗ୍ୟ ହିତାଧିକାରୀ କାଳିଆ ସହାୟତା ନେଇଛନ୍ତି ତାକୁ ନେଇ କୌଣସି ତାଳମେଳ ରହୁନି।
ମଙ୍ଗଳବାର ଦିନ ଗଣମାଧ୍ୟମରେ କୃଷିମନ୍ତ୍ରୀ ଗୋଟିଏ ତଥ୍ୟ ଦେଇଥିବା ବେଳେ ବୁଧବାର ଦିନ ବିଜେଡି ମୁଖପାତ୍ର ଆଉ ଗୋଟିଏ ତଥ୍ୟ ଦେଇଥିଲେ। ମନ୍ତ୍ରୀ ଏବଂ ମୁଖପାତ୍ରଙ୍କ ତଥ୍ୟକୁ ନେଇ ଚର୍ଚ୍ଚା ନଥମୁଣୁ ସନ୍ଧ୍ୟାରେ କୃଷି ବିଭାଗ ପକ୍ଷରୁ ଆଉ ଗୋଟିଏ କଥା କୁହାଯାଇଛି। ଫଳରେ କିଏ ସତ କହୁଛି ତାକୁ ନେଇ ଏବେ ବିତର୍କ ବଢ଼ିଛି।
ମଙ୍ଗଳବାର ଦିନ କୃଷିମନ୍ତ୍ରୀ କହିଥିଲେ, ‘‘୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ଭିତରେ ୯ ହଜାର ନାବାଳକ, ୧୨ ହଜାର ବଡ଼ ଚାଷୀ ଏବଂ ୨୦ ହଜାର ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀ ଅଛନ୍ତି। ସେମାନେ କାଳିଆ ସହାୟତା ପାଇଛନ୍ତି।’’
ମନ୍ତ୍ରୀଙ୍କ ଉତ୍ତରକୁ ୨୪ ଘଣ୍ଟା ନପୂରୁଣୁ ବିଜେଡି ମୁଖପାତ୍ର ପ୍ରତାପ ଦେବ ଭିନ୍ନ ମତ ଦେଇଥିଲେ। ସେ କହିଥିଲେ ଯେ ୩ ଲକ୍ଷ ୪୧ ହଜାର ନୁହେଁ, ୩୨ ହଜାର ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ। ଏହାସହ ବିଭିନ୍ନ ବର୍ଗର ଲୋକ କାଳିଆ ସହାୟତା ନେଇଛନ୍ତି। ସେମାନଙ୍କଠାରୁ ଟଙ୍କା ଆଦାୟ କରାଯିବ।
ମନ୍ତ୍ରୀ ଏବଂ ମୁଖପାତ୍ରଙ୍କ ତଥ୍ୟରେ ତାଳମେଳ ନଥିବାରୁ କିଏ ସତ କହୁଛି ତାକୁ ନେଇ ବୁଧବାର ଦିନ ସାରା ତର୍ଜମା ଚାଲିଲା। କାଳିଆକୁ ନେଇ ଏତେ ଲୁଚକାଳି କାହିଁକି ବୋଲି ପ୍ରଶ୍ନ ସୃଷ୍ଟି ହେଲା।
ଏହାକୁ ଖୋଳତାଡ଼ ଚାଲିଥିବା ବେଳେ କୃଷି ବିଭାଗ ସ୍ପଷ୍ଟୀକରଣ ଦେଇ ଆହୁରି ଅଡୁଆ ବଢ଼ାଇଛି। ମନ୍ତ୍ରୀ ନାବାଳକ ହିତାଧିକାରୀଙ୍କୁ ଅଯୋଗ୍ୟ କହିଥିବା ବେଳେ ବିଭାଗ ଏମାନଙ୍କୁ ଯୋଗ୍ୟ କହିଛି।

‘‘ଗୋଟିଏ ପରିବାରର ଜଣେ ସଦସ୍ୟ କାଳିଆ ଟଙ୍କା ପାଇବା କଥା। ହେଲେ କିଛି ପରିବାରର ମୁରବୀଙ୍କ ସମେତ ସେମାନଙ୍କ ପୁଅ ଝିଅମାନେ ବି ସହାୟତା ପାଇଛନ୍ତି। ପରିବାରର ଜଣେ ସଦସ୍ୟଙ୍କୁ ଯୋଗ୍ୟ ହିତାଧିକାରୀ ଭାବେ ବିବେଚନା କରାଯିବ। ଅନ୍ୟ ସଦସ୍ୟ ପାଇଥିବା ସହାୟତାକୁ ପରବର୍ତ୍ତୀ କିସ୍ତି ଭାବେ ଗ୍ରହଣ କରାଯିବ’’, କୃଷି ବିଭାଗ ପକ୍ଷରୁ ଆସିଛି ଏଭଳି ସ୍ପଷ୍ଟୀକରଣ।
ଗତ ଦୁଇ ଦିନ ଭିତରେ ମନ୍ତ୍ରୀ, ମୁଖପାତ୍ର ଏବଂ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି। ତେବେ କାଳିଆ ହିତାଧିକାରୀଙ୍କୁ ନେଇ କାହିଁକି ଏତେ ଭିନ୍ନ ଭିନ୍ନ ତଥ୍ୟ ଆସୁଛି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଭିନ୍ନ ଭିନ୍ନ ତଥ୍ୟ ଦେଇ ସରକାର ବିରୋଧୀଙ୍କ ଆକ୍ରୋଶରୁ ବର୍ତ୍ତିବାକୁ ଚାହୁଁଛନ୍ତି ନା ଟାର୍ଗେଟ ହେବାକୁ ଯାଉଛନ୍ତି?
କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ ଶ୍ରମିକଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘କାଳିଆ’ ଯୋଜନା। ନିର୍ବାଚନ ପୂର୍ବରୁ ଏହି ଯୋଜନା ଶୁଭାରମ୍ଭ ହୋଇଥିଲା। ହିତାଧିକାରୀମାନେ ପଞ୍ଚାୟତ ଅଫିସକୁ ଆସି ଲମ୍ବା ଲାଇନରେ ଛିଡ଼ା ହୋଇ ପକାଇଲେ। ହିତାଧିକାରୀଙ୍କ ନାଁ ସରକାରଙ୍କ ୱେବ୍ ସାଇଟ୍ରେ ପଞ୍ଜିକୃତ ହେବା ପରେ ଯାଞ୍ଚ କରାଗଲା। ନିର୍ବାଚନ ପୂର୍ବରୁ ହିତାଧିକାରୀଙ୍କୁ ୫ ହଜାର ଲେଖାଏଁ ଟଙ୍କା ଆକାଉଣ୍ଟରେ ଦିଆଯାଇଥିଲା।
ଆଦର୍ଶ ଆଚରଣ ବିଧି ଲାଗୁ ହେବାରୁ କିଛି ହିତାଧିକାରୀ ନିର୍ବାଚନ ପୂର୍ବରୁ କାଳିଆ ଟଙ୍କା ପାଇବାରୁ ବଞ୍ଚିତ ହୋଇଥିଲେ। ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ସମାବେଶ କରି ଚାଷୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସରକାର ଗଠନ ହେବାର ପ୍ରଥମ ଦିନ ହିଁ ବାକି ଥିବା ହିତାଧିକାରୀଙ୍କୁ ଟଙ୍କା ଦିଆଯିବ।
ସରକାର ଗଠନ ପରେ କିଛି ହିତାଧିକାରୀଙ୍କୁ ଟଙ୍କା ପଠାଗଲା। ହେଲେ ସରକାର ଗଠନ ହେବା ପରେ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କଲେ ସରକାର। ଭୋଟ ପାଇଁ ସରକାର ବାଛ ବିଚାର ନକରି କାଳିଆ ଟଙ୍କା ତରବରିଆ ଭାବେ ଦେଇଥିବା ବେଳେ ଏବେ କହିଁକି ଟଙ୍କା ନେବା ପାଇଁ ବ୍ୟାକୁଳ ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।
ନିର୍ବାଚନ ଶେଷ ହେବା ପରେ ସରକାରଙ୍କ ଗଳାରେ କାଳିଆ ଯୋଜନା କଣ୍ଟା ହୋଇ ଲାଗିଛି। ମୁଖ୍ୟ କଥା ହେଉଛି ରାଜ୍ୟ ରାଜକୋଷରୁ ସରକାର ଯେଉଁ ଟଙ୍କା ଦେଇଥିଲେ ତାହା ଠିକ୍ ଲୋକଙ୍କ ପାଖରେ ପହଞ୍ଚି ନଥିବା ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିଥିଲା। ଏହାପରେ ସରକାର ଯୋଗ, ଅଯୋଗ୍ୟ ବାଛିବା ପାଇଁ ତତ୍ପର ହୋଇ ଉଠିଲେ।

















