ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆଇଆଇଏମ୍‌ସି, ଢେଙ୍କନାଳରେ ମହାନିର୍ଦ୍ଦେଶକ କେ ଏସ୍‌ ଧତ୍ୱାଲିଆ
  • ଭିଡିଓ କନଫରେନ୍ସିଂ ଓ ଇ-କ୍ଲାସରୁମ୍‌ ଉପରେ ଗୁରୁତ୍ୱ ଦେଲେ ଡିଜି
  • ଆଇଆଇଏମ୍‌ସି, ଢେଙ୍କାନାଳରେ ଖୋଲିବ କମ୍ୟୁନିଟି ରେଡିଓ ସେଣ୍ଟର

ଆସନ୍ତା ଶିକ୍ଷା ବର୍ଷଠାରୁ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ସାମ୍ବାଦିକତା ଓ ଗଣଯୋଗାଯୋଗର ବିଭିନ୍ନ ବିଷୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହାସହ ଗବେଷଣାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଆଇଆଇଏମ୍‍ସି, ଢେଙ୍କାନାଳ ପରିଦର୍ଶନରେ ଆସି ମହାନିର୍ଦ୍ଦେଶକ କେ.ଏସ୍‍. ଧତ୍ୱାଲିଆ କହିଛନ୍ତି।

ଗୁରୁବାର ପୂର୍ବାହ୍ଣରେ ଶ୍ରୀ ଧତ୍ୱାଲିଆ ଆଇଆଇଏମ୍‍ସି ଢେଙ୍କାନାଳ କ୍ୟାମ୍ପସ୍‍ରେ ପହଞ୍ଚିବା ପରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

ସେ କହିଥିଲେ, ‘‘ସାମ୍ବାଦିକତା କ୍ଷେତ୍ରରେ ଆଇଆଇଏମ୍‍ସି ଛାତ୍ରଛାତ୍ରୀଙ୍କ ଭୂମିକା ବେଶ୍‍ ଗୁରୁତ୍ୱପୂର୍ଣ୍ଣ। ତେବେ ସମାଜର ବିକାଶ ପାଇଁ ଛାତ୍ରଛାତ୍ରୀଙ୍କର ଏକ ବଡ଼ ଦାୟିତ୍ୱ ରହିଛି। ବିଶେଷତଃ ଆଇଆଇଏମ୍‍ସିର ଛାତ୍ରଛାତ୍ରୀମାନେ ଲୋକଙ୍କ ପାଖକୁ ଯାଇ ସାମ୍ବାଦିକତା ମାଧ୍ୟମରେ ସେମାନଙ୍କ ସମସ୍ୟାର ସମାଧାନ କରିବା ଦିଗରେ ଉତ୍ସର୍ଗୀକୃତ ହୁଅନ୍ତୁ।’’

ଏହାସହ ଛାତ୍ରଛାତ୍ରୀମାନେ ନିଜ ନିଜର ଟ୍ୟାଲେଣ୍ଟ ଦେଖାଇ ସମାଜର ହିତ ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସେହିପରି ଆଗାମୀ ଦିନରେ ଆଇଆଇଏମ୍‍ସି ଢେଙ୍କାନାଳରେ ଏକ କମ୍ୟୁନିଟି ରେଡିଓ ସେଣ୍ଟର ଖୋଲାଯିବାକୁ ସମସ୍ତ ଉଦ୍ୟମ କରାଯାଉଥିବା ସେ କହିଛନ୍ତି। ଏହାସହ ଭିଡିଓ କନ୍‍ଫରେନ୍ସିଂ ତଥା ଇ-କ୍ଲାସ୍‍ରୁମ୍‍ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ଧତ୍ୱାଲିଆ କହିଛନ୍ତି।

ଏହି ଅବସରରେ ଆଇଆଇଏମ୍‍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ ଶ୍ରୀ ଧତ୍ୱାଲିଆଙ୍କୁ ସ୍ୱାଗତ କରିବା ପରେ ଆଇଆଇଏମ୍‍ସି ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ସମ୍ପର୍କରେ କହିଥିଲେ। ପରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ଶ୍ରୀ ଧତ୍ୱାଲିଆ। ଏହି କାର୍ଯ୍ୟକ୍ରମରେ ସେକ୍ସନ୍‍ ଅଫିସର କେଦାରନାଥ ଜେନା, ସହାୟକ ପ୍ରଫେସର ଡକ୍ଟର ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଧନ୍ୟବାଦ ଦେଇଥିଲେ ସହାୟକ ପ୍ରଫେସର ସମ୍ବିତ ପାଲ।

ଐତିହାସିକ ଫଟୋ ପୋଷ୍ଟକାର୍ଡ ଉନ୍ମୋଚିତ

ଏହି ଅବସରରେ ଆଇଆଇଏମ୍‍ସି ଢେଙ୍କାନାଳ ପକ୍ଷରୁ ପ୍ରକାଶିତ ସ୍ୱତନ୍ତ୍ର ଐତିହାସିକ ଫଟୋ ପୋଷ୍ଟକାର୍ଡ ଉନ୍ମୋଚନ କରିଥିଲେ ମହାନିର୍ଦ୍ଦେଶକ କେ.ଏସ୍‍. ଧତ୍ୱାଲିଆ। ୧୯୪୮ ଜାନୁଆରୀ ୩୧ ତାରିଖରେ ଦେଶ ବିଦେଶର ବିଭିନ୍ନ ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶିତ ମହାତ୍ମାଗାନ୍ଧୀଙ୍କ ହତ୍ୟା ସମ୍ପର୍କିତ ଖବରକୁ ଏହି ପୋଷ୍ଟକାର୍ଡରେ ସ୍ଥାନ ଦିଆଯାଇଛି। ପୂର୍ବରୁ ସ୍ୱାଧୀନତା ଦିବସର ପ୍ରଥମ ପୃଷ୍ଠାର ଖବରକାଗଜକୁ ନେଇ ଏକ ପୋଷ୍ଟକାର୍ଡ ସିରିଜ୍‍ ପ୍ରସ୍ତୁତ ହୋଇଥିଲା।

Comment