ଓଡ଼ିଶାଲାଇଭ୍ ବ୍ୟୁରୋ

ଶନିବାର ଓଡ଼ିଶା ଆସୁଛନ୍ତି ଇସ୍ରୋ ମୁଖ୍ୟ ତଥା ରକେଟ୍‌ ମ୍ୟାନ୍ କେ ଶିବନ୍‌। ଭୁବନେଶ୍ୱର ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେବେ।

ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣକୁ ନେଇ ଶିବନ୍‌ଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। ତାମିଲନାଡୁର ଏହି ରକେଟ୍ ବିଜ୍ଞାନୀ ୨୦୧୮ ମସିହା ଜାନୁଆରୀରେ ଇସ୍ରୋ ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲେ।

୧୯୮୨ରେ ଇସ୍ରୋ ସହ ସାମିଲ ହୋଇଥିଲେ ଶିବନ। ଇସ୍ରୋ ମୁଖ୍ୟ ହେବା ପୂର୍ବରୁ ସେ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟରରେ କାମ କରୁଥିଲେ। ଯେଉଁଠାରେ ରକେଟ ନିର୍ମାଣ କରାଯାଏ। ସାଇକ୍ରୋଜେନିକ୍‌ ଇଞ୍ଜିନ୍‌, ପିଏସ୍‌ଏଲଭି, ଜିଏସ୍‌ଏଲଭି, ରେସ୍ୟୁବଲ୍‌ ଲଞ୍ଚ ଭେହିକିଲ କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିବାରୁ ତାଙ୍କୁ ରକେଟ ମ୍ୟାନ କୁହାଯାଏ।

ତାମିଲନାଡୁର ସରକଲ୍ଲାବିଲାଇରେ ୧୯୫୭ ମସିହା ଏପ୍ରିଲ ୧୪ରେ ଜନ୍ମ ହୋଇଥିଲେ ଶିବନ୍‌। ତାଙ୍କର ପ୍ରାରମ୍ଭିକ ଶିକ୍ଷା ସରକାରୀ ସ୍କୁଲରେ ହୋଇଥିଲା। ପାଠପଢ଼ା ସହ ଶିବନ୍‌ ତାଙ୍କ ବାପାଙ୍କ ସହ ଜମିରେ ମଧ୍ୟ କାମ କରୁଥିଲେ। ଶିବନ୍‌ ଜଣେ ମେଧାବୀ ଥିଲେ। ଫଳରେ ତାଙ୍କ ପୂରା ପରିବାର ପାଠପଢ଼ା ପାଇଁ ପ୍ରୋତ୍ସାହିତ କରିଥିଲେ।

ଆର୍ଥିକ ଅଭାବ ଅନାଟନ ଓ ଅନେକ ବାଧାବିଘ୍ନ ପରେ ଶିବନ ନାଗେରକୋୟଲର ଏସ୍‌ଟି ହିନ୍ଦୁ କଲେଜରେ ବିଏସି (ଗଣିତ) ୧୦୦ ପ୍ରତିଶତ ମାର୍କ ରଖି ପାସ୍‌ କରିଥିଲେ। ସ୍ନାତକ କରିଥିବା ତାଙ୍କ ପରିବାରରେ ସେ ପ୍ରଥମ ସଦସ୍ୟ ଥିଲେ। ଏହାପରେ ଶିବନଙ୍କ ମନୋବଳ ଦୃଢ଼ ହୋଇଥିଲା। ଶିଭନଙ୍କୁ ଉଚ୍ଚ ଶିକ୍ଷା ପାଇଁ ତାଙ୍କ ପିତା ମନ ବଳାଇଥିଲେ। ମାତ୍ର ଆର୍ଥିକ ସ୍ଥିତି ଭଲ ନଥିବାରୁ ଶିବନଙ୍କ ଅନ୍ୟ ଭାଇ ଭଉଣୀମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଥିଲେ।

Comment