ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମର ଶେଷ ହେଲା ଆୟୂଷ।

ଚନ୍ଦ୍ରପୃଷ୍ଠରେ ଇତିହାସ ହୋଇଗଲା ଲ୍ୟାଣ୍ଡର ବିକ୍ରମ। ବିକ୍ରମରୁ ପ୍ରଜ୍ଞାନ୍‌ ଅଲଗା ହୋଇ ଚନ୍ଦ୍ରପୃଷ୍ଠରୁ ଯେଉଁ ଫଟୋ ପଠାଇବ ବୋଲି ଇସ୍ରୋ ଆଶା କରିଥିଲା ତାହା ମଉଳି ଯାଇଛି। ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମର ଆୟୂଷ ୧୪ ଦିନ ରହିଥିଲା। ଆଜି ୧୪ ଦିନ ପୂରି ଯାଇଥିଲେ ମଧ୍ୟ ବିକ୍ରମ ସହିତ ଇସ୍ରୋର କୌଣସି ଯୋଗାଯୋଗ ହୋଇପାରି ନାହିଁ।

‘‘ଚନ୍ଦ୍ରଯାନ-୨ରେ ୯୮ ପ୍ରତିଶତ ସଫଳତା ମିଳିଛି। ଲ୍ୟାଣ୍ଡର ବିକ୍ରମର କେଉଁଠି ତ୍ରୁଟି ରହିଲା ସେ ନେଇ ଅନୁସନ୍ଧାନ ଚାଲିଛି। ବିକ୍ରମ ସଂପର୍କରେ ତଥ୍ୟ ହସ୍ତଗତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ’’, ଭୁବନେଶ୍ୱର ଆସିବା ଅବସରରେ ଏହା କହିଛନ୍ତି ଇସ୍ରୋ ମୁଖ୍ୟ କେ ଶିବନ୍‌।

୨୦୦୮ରେ ଚନ୍ଦ୍ରଯାନ-୧ ସଫଳ ହେବା ପରେ ଇସ୍ରୋ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ-୨ ପଠାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ଗତ ଜୁଲାଇ ୨୨ରେ ଇସ୍ରୋ ସଫଳତାର ସହ ଚନ୍ଦ୍ରଯାନ-୨ ସଫଳତାର ସହ ଉତ୍‌କ୍ଷେପଣ ହୋଇଥିଲା।

୪୬ ଦିନର ଯାତ୍ରା ପରେ ସେପ୍ଟେମ୍ବର ୬ରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିଥାନ୍ତା ଲାଣ୍ଡର ବିକ୍ରମ। ଏହାପରେ ପ୍ରଜ୍ଞାନ୍‌ ବିକ୍ରମଠାରୁ ଅଲଗା ହୋଇଥାନ୍ତା ଏବଂ ଚନ୍ଦ୍ରପୃଷ୍ଠରୁ ଫଟୋ ପଠାଇଥାନ୍ତା। ଏହାକୁ ସାରା ବିଶ୍ୱ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଇସ୍ରୋ ସେଣ୍ଟର ସହ ଲାଣ୍ଡର ବିକ୍ରମର ସମ୍ପର୍କ ଛିନ୍ନ ହୋଇଥିଲା।

ହେଲେ ଜୋସ୍‌ ହରାଇ ନଥିଲେ ଇସ୍ରୋ ବୈଜ୍ଞାନିକ। ଲାଣ୍ଡର ବିକ୍ରମ କେଉଁଠି ରହିଲା ତାହା ଜାଣିବା ପାଇଁ ଇସ୍ରୋ ଅଭିଯାନ ଆରମ୍ଭ କରିଥିଲା। ଦୁଇ ଦିନ ପରେ ‘ବିକ୍ରମ’ ର ସନ୍ଧାନ ପାଇଥିଲା ଇସ୍ରୋ। ବିକ୍ରମ ସହ ଯୋଗାଯୋଗ କରିବା ପାଇଁ ଇସ୍ରୋ ପକ୍ଷରୁ ଉଦ୍ୟମ ହୋଇଥିଲା। ହେଲେ ଲ୍ୟାଣ୍ତର ବିକ୍ରମ ଇସ୍ରୋ ବୈଜ୍ଞାନିକଙ୍କ କଥା ଶୁଣି ନଥିଲା।

ଶେଷରେ ନାସା ପକ୍ଷରୁ ବିକ୍ରମକୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ କିଛି ଫଳପ୍ରଦ ହୋଇ ନଥିଲା।

ଶେଷ ଦିନ ଯାଏଁ ଇସ୍ରୋ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ଆଶା ରଖିଥିଲା। ହେଲେ ଆଜି ୧୪ ଦିନ ପୂରି ଯାଇଥିବାରୁ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଇତିହାସ ହେବାକୁ ବସିଛି।

ଭାରତ ପୂର୍ବରୁ ଆମେରିକା, ଋଷ୍ ଏବଂ ଚୀନ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ ପଠାଇଥିଲେ। କିନ୍ତୁ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁକୁ ଚନ୍ଦ୍ରଯାନ-୨ ପଠାଇଥିଲା। ଚନ୍ଦ୍ରପୃଷ୍ଠର କେଉଁଠି ଜଳ ଅଛି ତାହା ଜାଣିବା ପାଇଁ ଇସ୍ରୋ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା। ଏହାଛଡ଼ା ଚନ୍ଦ୍ରପୃଷ୍ଠରେ ଜୀବଜଗତ ତିଷ୍ଠିବା ସମ୍ଭବ କି ନୁହେଁ ତାହା ମଧ୍ୟ ଜଣାଇଥାନ୍ତା ଲ୍ୟାଣ୍ଡର ବିକ୍ରମ।

କିନ୍ତୁ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବା ବଦଳରେ ହାର୍ଡ ଲ୍ୟାଣ୍ଡିଂ କରିଥିଲା ବିକ୍ରମ। ଫଳରେ ସବୁ ଆଶା ମଉଳି ଯାଇଛି।

Comment