ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରେମିକ ରାଜା ପାଲଟିଲା ସଇତାନ। ପ୍ରେମିକା ନିହାରିକାକୁ ହତ୍ୟା କରି ଏବେ ଜେଲ୍‌ରେ।

ମାମୁ ଘର ବିରିଡିରେ ରହି ପାଠ ପଢ଼ିବା ବେଳେ ରାଜାକୁ ଭଲ ପାଇଥିଲା ନିହାରିକା। ପାଠ ଶେଷ ହେବା ପରେ ନିହାରିକା କଟକ ଚାଲି ଆସିଥିଲା। କଟକର ଏକ ଘରୋଇ ନର୍ସିଂହୋମରେ ଚାକିରୀ କରିଥିଲା। ହେଲେ ପ୍ରେମ ସମ୍ପର୍କରେ କେବେ ଭଟ୍ଟା ପଡ଼ି ନଥିଲା। ରାଜାକୁ ବିଶ୍ୱାସର ସହ ମନଦେଇ ଭଲ ପାଉଥିଲା ନିହାରିକା। ହେଲେ ରାଜା ନିହାରିକା ବିଶ୍ୱାସରେ ବିଷ ଦେଇଛି।

ପ୍ରେମରେ ବିଶ୍ୱାସଘାତ କରି ରାଜା ଏବେ ଜେଲ୍‌ ଯାଇଛି। ବିଶ୍ୱାସଘାତକ ବୟଫ୍ରେଣ୍ଡର ଠିକଣା ବଦଳି ଯାଇଛି। ଜଗତସିଂହପୁର ଆଳିପିଙ୍ଗଳ ଜେଲ୍‌ ଏବେ ରାଜାର ନୂଆ ଠିକଣା ହୋଇଛି।

ନର୍ସ ନିହାରିକା ପାତ୍ର ଗତ ୮ ତାରିଖରୁ ନିଖୋଜ ଥିଲେ। ୧୭ ତାରିଖରେ ବିରିଡି ବିଲୁଆଖାଇ ନଦୀପଠାରୁ ଜଣେ ଯୁବତୀଙ୍କ ହାତଗୋଡ଼ା ବନ୍ଧା ମୃତଦେହ ଉଦ୍ଧାର ହେବା ପରେ ସେ ନିହାରିକା ବୋଲି ପରିବାର ଲୋକ ଚିହ୍ନଟ କରିଥିଲେ। ନିହାରିକାଙ୍କୁ ତାଙ୍କ ବୟଫ୍ରେଣ୍ଡ ରାଜା ମାରିଦେଇଥିବା ପରିବାର ଲୋକ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ରାଜାକୁ ଗିରଫ କରିଥିଲା।

ଗତ ୮ ତାରିଖର ଘଟଣା। ନିହାରିକା ନର୍ସିଂହୋମରେ ଡ୍ୟୁଟିରେ ଥାଏ। ରାଜା ବାଇକ ଧରି ଆସିଲା ଏବଂ ବାହାନା କରି ନିହାରିକାଙ୍କୁ ସାଙ୍ଗରେ ନେଇଗଲା। ନିହାରିକା ବି ରାଜା ଉପରେ ବିଶ୍ୱାସ କରି ତା’ ବାଇକରେ ବସି ଚାଲିଗଲେ। ହେଲେ ରାଜା ମନରେ ବିଷ ଭରି ରହିଥିବା ନିହାରିକା ଜାଣିପାରି ନଥିଲେ।

ରାଜା ନିହାରିକାଙ୍କୁ ବାଇକରେ ବସାଇ କଟକ ଚାଉଳିଆଗଞ୍ଜର ଜଣେ ସାଙ୍ଗଙ୍କ ରୁମ୍‌କୁ ଯାଇଥିଲେ। ସେଠାରେ କ’ଣ ଘଟିଲା ତାହା କେବଳ ଭଗବାନଙ୍କୁ ହିଁ ଜଣା। ସେବେଠାରୁ ନିହାରିକାଙ୍କର ଆଉ ପତ୍ତା ମିଳି ନଥିଲା। ମଧୁପାଟଣା ଥାନାରେ ନର୍ସିଂହୋମ କର୍ତ୍ତୃପକ୍ଷ ଏତଲା ଦେଲେ। ପୋଲିସ ମିସିଂ ରିପୋର୍ଟ ଫାଇଲ୍ କରି ଚୁପ୍‌ ବସିଲା।

ରାଜା ଗିରଫ ହେବା ପରେ ସବୁ ସତ ପଦାକୁ ଆସିଛି। ଚାଉଳିଆଗଞ୍ଜର ସେହି ସାଙ୍ଗ ରୁମ୍‌ରେ ନିହାରିକାର ତଣ୍ଟି ଚିପି ହତ୍ୟା କରିଥିବା ରାଜା ପୋଲିସ ଆଗରେ କହିଛି। ଖାଲି ସେତିକି ନୁହେଁ, ନିହାରିକାର ମୃତଦେହକୁ ଜରି ଅଖାରେ ଭର୍ତ୍ତି କରି ବାଇକରେ ଲଦି ବିଲୁଆଖାଇ ନଦୀରେ ଫିଙ୍ଗି ଦେଇଥିଲା ବିଶ୍ୱାସଘାତକ ରାଜା।

ଯେଉଁ ନିହାରିକା ବିଶ୍ୱାସର ସହ ରାଜାକୁ ଭଲ ପାଉଥିଲା ସେ କେମିତି ନୃଶଂସ ପାଲଟିଗଲା ତାହା ଏବେ ସବୁଠି ଚର୍ଚ୍ଚା।

ରାଜା ଏବେ ଜଗତସିଂହପୁର ଆଳିପିଙ୍ଗଳ ଜେଲରେ। ଜାମିନ ଖାରଜ ହେବାରୁ ରାଜା ଜେଲ୍‌ ଯାଇଛି। ଏବେ ପୋଲିସ ରାଜାକୁ ରିମାଣ୍ଡରେ ନେଇ ପଚରା ଉଚରା କରିବ ବୋଲି କହିଛି।

ପ୍ରେମିକରୁ ସଇତାନ

ରାଜା ଏବଂ ନିହାରିକା ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ନିବିଡ଼ ହୋଇଯାଇଥିଲା। ସାତ ଜନମର ସାଥୀ ହେବା ପାଇଁ ପରସ୍ପରକୁ କଥା ଦେଇଥିଲେ। ଘରେ ମଧ୍ୟ ପ୍ରସ୍ତାବ ପଡ଼ିଥିଲା। ହେଲେ ରାଜା ବେରୋଜଗାର ଥିବାରୁ ନିହାରିକାଙ୍କ ଘରେ ଏହି ପ୍ରସ୍ତାବରେ ରାଜି ହେଲେନି। ହେଲେ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲା ରାଜା। ଶେଷରେ ନିହାରିକାକୁ ଶେଷ କରିଦେବା ପାଇଁ ଯୋଜନା କରିଥିଲା।

Comment