ଓଡ଼ିଶାଲାଇଭ ବ୍ୟୁରୋ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ତୃତୀୟ ମ୍ୟାଚରେ ୯ ଓ୍ଵିକେଟରେ ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା ଦଳ। ଏହି ବିଜୟ ସହ ଟି-୨୦ ସିରିଜକୁ ୧-୧ରେ ଡ୍ର ରଖିବାରେ ସକ୍ଷମ ହୋଇଛି ଦକ୍ଷିଣ ଆଫ୍ରିକା।

ରବିବାର ବେଙ୍ଗାଳୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତକୁ ୯ୱିକେଟରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା। ପ୍ରଥମ ମ୍ୟାଚ ଧର୍ମଶାଳାରେ ବର୍ଷାରେ ଧୋଇଯିବା ପରେ ସିରିଜର ଦ୍ୱିତୀୟ ମ୍ୟାଚକୁ ଭାରତ ଗତ ବୁଧବାର ଦିନ ୭ୱିକେଟରେ ଜିତିନେଇଥିଲା। ଗତକାଲି ତୃତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିଜୟ ହାସଲ କରିବା ସହ ଟି-୨୦ ସିରିଜକୁ ୧-୧ରେ ଡ୍ର ରଖିବାରେ ସକ୍ଷମ ହୋଇଛି।

ରବିବାର ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲେ। ଏହାପରେ ଭାରତୀୟ ଦଳ ୨୦ ଓଭରରେ ମାତ୍ର ୧୩୪ରନ୍ କରିବାକୁ ସକ୍ଷମ ହୋଇପାରିଥିଲା। ଦଳ ପକ୍ଷରୁ ଓପନର ଶିଖର ଧାୱନ୍ ସର୍ବାଧିକ ୩୬ରନ୍ କରିବାକୁ ସମର୍ଥ ହୋଇଥିଲାବେଳେ ଭାରତର ୭ଜଣ ଖେଳାଳି ଦୁଇଅଙ୍କ ଛୁଇଁବାକୁ ସମର୍ଥ ହୋଇନଥିଲେ। ଦକ୍ଷିଣ ଆଫ୍ରିକା ଦଳର ଦ୍ରୃତବୋଲର କାଗିସୋ ରାବାଡା ୩ଟି ଓ ଫରଟ୍ୱିନ୍ ଓ ହେନଡ୍ରିକ୍ସ ଉଭୟ ୨ଟି ଲେଖାଏଁ ୱିକେଟ୍ ନେଇପାରିଥିଲେ।

ଜବାବରେ ଦକ୍ଷିଣ ଆଫ୍ରିକା ଦଳ ଆରମ୍ଭରୁ ଚାମ୍ପିୟନଙ୍କ ପରି ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ପ୍ରଥମ ୱିକେଟରେ ହିଁ  ୭୬ ରନ୍ ସଂଗ୍ରହ କରିନେଇଥିଲା। ଏହାପରେ ଆଉ କୌଣସି ୱିକେଟ ନହରାଇ ଦଳ ନିଜର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ କ୍ୱିଣ୍ଟନ୍ ଡି କକ୍ ୭୯ ରନ୍ କରି ନଟଆଉଟ୍ ରହିଥିଲେ। ଏହାସହ ତାଙ୍କୁ ମ୍ୟାନ୍ ଅଫ୍ ସିରିଜ୍ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା।

ଆସନ୍ତା ଅକ୍ଟୋବର ୨ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜରେ ତିନୋଟି ଟେଷ୍ଟ ବିଶାଖାପାଟଣା, ପୁଣେ ଓ ରାଞ୍ଚିରେ ଖେଳାଯିବ।

Comment