ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନ୍ୟାସନାଲ ଜିଓଗ୍ରାଫିକାଲ ଚ୍ୟାନେଲରେ ନବୀନ କହିବେ ଫନି ମୁକାବିଲାର ସଫଳ କାହାଣୀ।
ସାରା ବିଶ୍ୱ ଜାଣିବ ବାତ୍ୟା ‘ଫନି’ ମୁକାବିଲାର ସଫଳ କାହାଣୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବେ କେମିତି ତାଙ୍କ ସରକାର ଏହି ବାତ୍ୟାର ସଫଳ ମୁକାବିଲା କଲେ। ନ୍ୟାସନାଲ ଜିଓଗ୍ରାଫିକ୍ ଚ୍ୟାନେଲରେ ନବୀନ ଏହି କାହାଣୀ ବଖାଣିବେ। ସେପ୍ଟେମ୍ବର ୨୭ ତାରିଖ ରାତି ୯ଟାରେ ଏହାର ପ୍ରସାରଣ କରାଯିବ।
ଟିଭି ଚ୍ୟାନେଲରେ ଏହି ସୋ’ ପ୍ରସାରଣ ହେବା ପୂର୍ବରୁ ପ୍ରୋମୋ ଆସିଛି ସାମ୍ନାକୁ। ନ୍ୟାସନାଲ ଜିଓଗ୍ରାଫିକ୍ ଚ୍ୟାନେଲର ଟୁଇଟର ପେଜ୍ରେ ଏହି ପ୍ରୋମୋ ଭିଡିଓ ପ୍ରସାରଣ କରାଯାଉଛି। ନବୀନ ଏହି ସୋ’ରେ ଏକ ନୂଆ ଅନ୍ଦାଜରେ ନଜର ଆସିବେ।
ଫନି ଆସିବା ପୂର୍ବରୁ ଲୋକଙ୍କୁ କେମିତି କରାଯାଇଥିଲା ସତର୍କ? କେତେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ କରାଯାଇଥିଲା ସ୍ଥାନାନ୍ତର? ପ୍ରଭାବିତ ଲୋକଙ୍କୁ କେଉଁଠି ରଖାଯାଇଥିଲା? ବାତ୍ୟା ପରେ ଯୁଦ୍ଧକାଳୀନ ଭିତ୍ତିରେ କେମିତି ପୁନରୁଦ୍ଧାର କାର୍ଯ୍ୟ କରିଥିଲା ପ୍ରଶାସନ? ବାତ୍ୟା ଯିବାର ମାତ୍ର ଅଳ୍ପ ଦିନ ଭିତରେ ରାଜଧାନୀ ଭୁବନେଶ୍ୱର ଏବଂ ପୁରୀରେ କେମିତି ଫେରିଥିଲା ସ୍ୱାଭାବିକ ସ୍ଥିତି? ଏସବୁର କାହାଣୀ ବିଶ୍ୱବାସୀଙ୍କ ଆଗରେ ନିଜେ କହିବେ ନବୀନ।
ନ୍ୟାସନାଲ ଜିଓଗ୍ରାଫିକ୍ ଚ୍ୟାନେଲର MEGA CYCLONE FANI: RESCUING A MILLION ସୋ’ରେ ନବୀନ ଫନି ମୁକାବିଲା କଥା କହିବେ। କେବଳ ଫନି ନୁହେଁ, ୧୯୯୯ ମହାବାତ୍ୟା, ଫନି, ହୁଡ୍ହୁଡ୍ ଏବଂ ତିତ୍ଲି ବାତ୍ୟା କଥା ମଧ୍ୟ ନବୀନ ଏହି ସୋ’ରେ କହିବେ।
ଏହି ଭିଡିଓର କିଛି ଅଂଶ ନବୀନ ନିବାସରେ ସୁଟିଂ କରାଯାଇଥିବା ବେଳେ ଆଉ କିଛି ବାତ୍ୟା ପ୍ରପୀଡ଼ିତ ଅଞ୍ଚଳରେ ସୁଟିଂ କରାଯାଇଥିଲା।
୨୦୧୯ ମେ’ ୩। ସକାଳୁ ସକାଳୁ ପୁରୀ ନିକଟରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ଫନି’। ଏହାର ପ୍ରଭାବରେ ପୁରୀ ସମେତ ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲା ପ୍ରଭାବିତ ହୋଇଥିଲା। ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଜୁଳି ଖୁଣ୍ଟ ରାସ୍ତାରେ ଶୋଇ ଯାଇଥିଲା।
ବିଜୁଳି, ଇଣ୍ଟରନେଟ୍ ଏବଂ ମୋବାଇଲ ସେବା ଅଚଳ ହୋଇ ଯାଇଥିଲା। ପାନୀୟ ଜଳର ସଙ୍କଟ ବି ଦେଖାଦେଇଥିଲା। ଯୋଗାଯୋଗ ପୂରା ବିଚ୍ଛିନ୍ନ ହୋଇଯାଇଥିଲା। ରାଜ୍ୟ ସରକାରଙ୍କ ସଫଳ ବାତ୍ୟା ପରିଚାଳନା ଯୋଗୁଁ ସ୍ଥିତି ସ୍ୱାଭାବିକ ହୋଇଥିଲା।
ବାତ୍ୟା ଫନିର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅନ୍ତର୍ଜାତୀୟ ଗଣମାଧ୍ୟମ ଏବଂ ଜାତିସଂଘ ପକ୍ଷରୁ ପ୍ରଶଂସା କରାଯାଇଥିଲା।
Watch the incredible story of courage, determination & a race against time as Odisha faces the strongest tropical cyclone to strike it since 1999. Tune in to Mega Cyclone Fani, Premiering 27th September at 9 PM on National Geographic. #OdishaFightsFani @CMO_Odisha @Naveen_Odisha pic.twitter.com/g9Z3jqwTXk
— Nat Geo India (@NatGeoIndia) September 25, 2019








ନ୍ୟାସନାଲ ଜିଓଗ୍ରାଫିକାଲ ଚ୍ୟାନେଲରେ ନବୀନ କହିବେ ଫନି ମୁକାବିଲାର ସଫଳ କାହାଣୀ।








