ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

‘‘ବିଜେପୁରବାସୀ ଗତ ଦୁଇ ଥର ନିର୍ବାଚନରେ ବିଜେଡିକୁ ସମର୍ଥନ ଦେଇଛନ୍ତି। ୨୦୧୮ ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଏବଂ ୨୦୧୯ରେ ଆମ ନେତା ନବୀନ ପଟ୍ଟନାୟକ ଭଲ ଭୋଟରେ ଜିତିଥିଲେ। ଏଥର ବି ବିଜେପୁରରେ ବିଜେଡି ନିଶ୍ଚୟ ଜିତିବ’’, କହିଛନ୍ତି କଳିକେଶନାରାୟଣ ସିଂଦେଓ।

 

ଅକ୍ଟୋବର ୨୧ରେ ହେବ ବିଜେପୁର ଉପ-ନିର୍ବାଚନ। ଏଥିପାଇଁ ବିଜେଡି ଗଠନ କରିଛି ସମନ୍ୱୟ କମିଟି। ଏହି କମିଟିରେ ସଦସ୍ୟ ଅଛନ୍ତି ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ।

ସେ କହିଛନ୍ତି, ‘‘ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚନ ସବୁ ରାଜନୀତିକ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ବିଜେଡି ବି ସବୁ ନିର୍ବାଚନକୁ ଗୁରୁତ୍ୱ ଦେଉଛି। ବିଜେପୁର ଥିଲା ନବୀନ ବାବୁଙ୍କ ଆସନ। ସେ ଇସ୍ତଫା ଦେଇଥିଲେ ମଧ୍ୟ ବିଜେପୁରବାସୀଙ୍କ କଥା ନିଜେ ବୁଝିବେ। ଯିଏ ବି ପ୍ରାର୍ଥୀ ହୁଅନ୍ତୁ ସେ ନବୀନ ବାବୁଙ୍କ ପ୍ରତିନିଧି ହେବ।’’

‘‘ଓଡ଼ିଶାରେ ବିଜେଡିର ଭଲ ସ୍ଥିତି ରହିଛି। ଏଣୁ ଆମ ଦଳରୁ ପ୍ରାର୍ଥୀ ହେବା ପାଇଁ ଅଧିକାଂଶ ଆଶାୟୀ ଅଛନ୍ତି। ନବୀନ ବାବୁ ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବେ। ଯିଏ ବି ପ୍ରାର୍ଥୀ ହୁଅନ୍ତୁ ଆମର ଦାୟିତ୍ୱ ହେଉଛି ତାଙ୍କୁ ବିପୁଳ ଭୋଟରେ ଜିତାଇବା।’’

କଳିକେଶ କହିଛନ୍ତି, ‘’୨୦ ବର୍ଷ ଭିତରେ ବିଜୁ ଜନତା ଦଳ ସରକାର ଅନେକ ଲୋକପ୍ରିୟ ଯୋଜନା କରିଛନ୍ତି। ଏହାକୁ ନେଇ ଆମେ ଭୋଟରଙ୍କ ପାଖକୁ ଯିବୁ। ବିରୋଧୀ ଦଳ ବି ବିଜେପୁରରେ ପ୍ରାର୍ଥୀ ଦେବେ। ଏଣୁ ଲଢ଼େଇ ଜୋରଦାର ହେବ। ବିଜେପୁରରେ ବିଜେଡି ପୁଣି ବିଜୟ ବାନା ଉଡ଼ାଇବ।’’

LEAVE A REPLY

Please enter your comment!
Please enter your name here