ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କଶ୍ମୀର ପ୍ରସଙ୍ଗକୁ ମନରୁ ପାସୋରି ପାରୁ ନାହାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ଯୁଆଡ଼େ ଯାଉଛନ୍ତି କଶ୍ମୀର କଥା କହି ଭାରତକୁ ଯୁଦ୍ଧ ଧମକ ଦେଉଛନ୍ତି। ଜାତିସଂଘର ୭୪ତମ ଅଧିବେଶନରେ ଉଦ୍‌ବୋଧନ ଦେଇ ଇମ୍ରାନ ଭାରତକୁ ପୁଣି ଯୁଦ୍ଧ ଧମକ ଦେଇଛନ୍ତି।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଶାନ୍ତି ଚାହୁଁଥିବା କହିଥିବା ବେଳେ ଇମ୍ରାନ କଶ୍ମୀର ପ୍ରସଙ୍ଗ ଉଠାଇ ‘ରକ୍ତର ନଈ’ କଥା କହିଥିଲେ।

‘‘କଶ୍ମୀରରୁ ଏବେଯାଏଁ ଭାରତ କର୍ଫ୍ୟୁ ଉଠାଇ ନାହିଁ। ଏବେବି ଏଠାରେ ଲୋକଙ୍କ ମନରେ କ୍ଷୋଭ ରହିଛି। ଯେବେ ଭାରତ କଶ୍ମୀରରୁ କର୍ଫ୍ୟୁ ଉଠାଇବ ସେବେ ରକ୍ତର ନଈ ବହିବ। କଶ୍ମୀରବାସୀଙ୍କ ମନରେ ଥିବା ତୀବ୍ର ଅସନ୍ତୋଷ ସାରା ବିଶ୍ୱ ଦେଖିବ। ଯଦି କର୍ଫ୍ୟୁ ନଉଠେ ତାହାଲେ ପୁଲୱାମା ଭଳି ଆଟାକ୍‌ ପୁଣି ହୋଇପାରେ’’, ଜାତିସଂଘରେ ଉଦବୋଧନ ଦେଇ ଏହା କହିଛନ୍ତି ଇମ୍ରାନ ଖାନ୍‌।

ଇମ୍ରାନ ଆହୁରି କହିଛନ୍ତି ଯେ ଜାତିସଂଘର ପ୍ରସ୍ତାବ ବିରୋଧରେ ଭାରତ ଯାଇଛି। ବିନା ଆଲୋଚନାରେ କଶ୍ମୀରରୁ ଧାରା ୩୭୦ ହଟାଇଛି।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏୟାରଷ୍ଟ୍ରାଇକ୍‌ କରି ୩୫୦ ଆତଙ୍କବାଦୀଙ୍କୁ ସଫା କରିଥିବା ଦାବି କରିଥିଲା। ହେଲେ ଏହା ମିଛ ବୋଲି ଇମ୍ରାନ ଜାତିସଂଘରେ କହିଛନ୍ତି।

କଶ୍ମୀରରୁ ଭାରତ ସରକାର ଧାରା ୩୭୦ ହଟାଇଥିଲେ। ଏହାକୁ ପାକିସ୍ତାନ ସହଜରେ ଗ୍ରହଣ କରିପାରିନି। ବିଶ୍ୱର ସବୁ ମଞ୍ଚରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇ ନିରାଶ ହୋଇଛି। ଏବେ ଇମ୍ରାନ ଜାତିସଂଘରେ ପୁଣି ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି।

Comment