ଓଡ଼ିଶାଲାଇଭ ବ୍ୟୁରୋ

ଚନ୍ଦ୍ରପୃଷ୍ଠରେ ଲାଣ୍ଡର ବିକ୍ରମର ପତ୍ତା ପାଉନାହିଁ ନାସା। ଲାଣ୍ଡର ବିକ୍ରମର ଲାଣ୍ଡିଙ୍ଗ ସାଇଟ ଫଟୋ ଜାରି କରି ଏହି ସୂଚନା ଦେଇଛି ନାସା। ଏହି ଫଟୋ ମାଧ୍ୟମରେ ବିକ୍ରମ ହାର୍ଡ ଲ୍ୟାଣ୍ଡିଂ କରିଥିବା କହିଛି ନାସା। ହେଲେ ଏହି ଫଟୋରେ ଲାଣ୍ଡର ବିକ୍ରମର କୌଣସି ପତ୍ତା ମିଳିପାରି ନାହିଁ।

ବର୍ତ୍ତମାନ ଚନ୍ଦ୍ରପୃଷ୍ଠରେ ରାତି ହୋଇ ସାରିଛି। ତେଣୁ ସେଠାରେ ଅନ୍ଧାର ଦେଖାଯାଉଛି। ଅନ୍ଧାର ଯୋଗୁଁ ବିକ୍ରମକୁ ଖୋଜିବାରେ ଅସୁବିଧା ମଧ୍ୟ ହେଉଛି। ବିକ୍ରମକୁ ନପାଇବାର ଆଉ ଏକ କାରଣ ଧୂଳି ମଧ୍ୟ ହୋଇପାରେ ବୋଲି ଜଣାପଡ଼ିଛି। ତେଣୁ ଅକ୍ଟୋବର ମାସରେ ପୁଣି ଦିନ ହେଲେ ବିକ୍ରମକୁ ଖୋଜା ଯିବା ସହ ଫଟୋ ଜାରି କରାଯିବ ବୋଲି ନାସା ପକ୍ଷରୁ ସୂଚନା ମିଳିଛି।

ସେପ୍ଟେମ୍ଵର ୧୭ରେ ଲୁନାର ଅର୍ବିଟର ଲାଣ୍ଡିଙ୍ଗ ସାଇଟରେ ଅତିକ୍ରମ କରିଥିଲା। ଏହି ସମୟରେ ସେ ଅନେକ ଫଟୋ ଉଠାଇଥିଲା। ହେଲେ ଏଥିରେ ବିକ୍ରମ ଦେଖାଯାଇନଥିଲା। ସେହି ସମୟରେ ସେଠାରେ ସନ୍ଧ୍ୟା ମଧ୍ୟ ହୋଇଯାଇଥିଲା ତେଣୁ ଚାରିଆଡେ ଝାପସା ଦେଖାଯାଉଥିଲା।


ସେପ୍ଟେମ୍ଵର ୭ ତାରିଖ ରାତି ୧.୩୦ ମିନିଟରେ ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥାନ୍ତା। ହେଲେ ତା ପୂର୍ବରୁ ବିକ୍ରମ ସହ ଇସ୍ରୋର ସଂପର୍କ ଛିନ୍ନ ହୋଇଯାଇଥିଲା। ଏହାପରଠୁ ବିକ୍ରମ ସହ ଯୋଗାଯୋଗ କରିବା ପାଇଁ ଇସ୍ରୋ ଓ ନାସା ମିଳିତ ଉଦ୍ୟମ କରିଥିଲେ।

୨୦୦୮ରେ ଚନ୍ଦ୍ରଯାନ-୧ ସଫଳ ହେବା ପରେ ଇସ୍ରୋ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ-୨ ପଠାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ଗତ ଜୁଲାଇ ୨୨ରେ ଇସ୍ରୋ ସଫଳତାର ସହ ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ କରିଥିଲା।

୪୬ ଦିନର ଯାତ୍ରା ପରେ ସେପ୍ଟେମ୍ବର ୬ରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିଥାନ୍ତା ଲାଣ୍ଡର ବିକ୍ରମ। ଏହାପରେ ପ୍ରଜ୍ଞାନ୍‌ ବିକ୍ରମଠାରୁ ଅଲଗା ହୋଇଥାନ୍ତା ଏବଂ ଚନ୍ଦ୍ରପୃଷ୍ଠରୁ ଫଟୋ ପଠାଇଥାନ୍ତା। ଏହାକୁ ସାରା ବିଶ୍ୱ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଇସ୍ରୋ ସହ ଲାଣ୍ଡର ବିକ୍ରମର ସମ୍ପର୍କ ଛିନ୍ନ ହୋଇଥିଲା।

ହେଲେ ଜୋସ୍‌ ହରାଇ ନଥିଲେ ଇସ୍ରୋ ବୈଜ୍ଞାନିକ। ଲାଣ୍ଡର ବିକ୍ରମ କେଉଁଠି ରହିଲା ତାହା ଜାଣିବା ପାଇଁ ଇସ୍ରୋ ଅଭିଯାନ ଆରମ୍ଭ କରିଥିଲା। ଦୁଇ ଦିନ ପରେ ‘ବିକ୍ରମ’ ର ସନ୍ଧାନ ପାଇଥିଲା ଇସ୍ରୋ। ବିକ୍ରମ ସହ ଯୋଗାଯୋଗ କରିବା ପାଇଁ ଇସ୍ରୋ ପକ୍ଷରୁ ଉଦ୍ୟମ ହୋଇଥିଲା। ଇସ୍ରୋ ବିକ୍ରମକୁ ହେଲୋ ମେସେଜ ମଧ୍ୟ କରିଥିଲା। ହେଲେ ଲାଣ୍ଡର ବିକ୍ରମ ଇସ୍ରୋ ବୈଜ୍ଞାନିକଙ୍କ କଥା ଶୁଣି ନଥିଲା।

ଶେଷରେ ନାସା ପକ୍ଷରୁ ବିକ୍ରମକୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ କିଛି ଫଳପ୍ରଦ ହୋଇ ନଥିଲା। ଶେଷ ଦିନ ଯାଏଁ ଇସ୍ରୋ ଲାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ଆଶା ରଖିଥିଲା। ହେଲେ ଆଜି ୧୪ ଦିନ ପୂରି ଯାଇଥିବାରୁ ଧିରେ ଧିରେ ଆଶା ମଧ୍ୟ ମଉଳିବାକୁ ଲାଗୁଥିଲା।

ଭାରତ ପୂର୍ବରୁ ଆମେରିକା, ଋଷ୍ ଏବଂ ଚୀନ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ ପଠାଇଥିଲେ। କିନ୍ତୁ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁକୁ ଚନ୍ଦ୍ରଯାନ-୨ ପଠାଇଥିଲା। ଚନ୍ଦ୍ରପୃଷ୍ଠର କେଉଁଠି ଜଳ ଅଛି ତାହା ଜାଣିବା ପାଇଁ ଇସ୍ରୋ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା। ଏହାଛଡ଼ା ଚନ୍ଦ୍ରପୃଷ୍ଠରେ ଜୀବଜଗତ ତିଷ୍ଠିବା ସମ୍ଭବ କି ନୁହେଁ ତାହା ମଧ୍ୟ ଜଣାଇଥାନ୍ତା ଲାଣ୍ଡର ବିକ୍ରମ।

କିନ୍ତୁ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବା ବଦଳରେ ହାର୍ଡ ଲ୍ୟାଣ୍ଡିଂ କରିଥିଲା ବିକ୍ରମ। ଫଳରେ ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

Comment