ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ପୁଣିଥରେ ବେଙ୍ଗଲ୍ କ୍ରିକେଟ ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଗୁରୁବାର ସେ ଓ ତାଙ୍କ ପାଞ୍ଚଜଣିଆ ଟିମ୍ ବିନା କୌଣସି ପ୍ରତିଦ୍ୱନ୍ଦିତାରେ ନିର୍ବାଚନରେ ବିଜୟୀ ହୋଇଛି।
ଭାରତୀୟ କ୍ରିକେଟ ଟିମର ଏହି ପୂର୍ବତନ ଅଧିନାୟକ ଲଗାତାର ଦ୍ୱିତୀୟ ଥର ପାଇଁ ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ପଦରେ ଅଧିଷ୍ଠିତ ହୋଇଛନ୍ତି। ବର୍ତ୍ତମାନ ସେ ୨୦୨୦ ମସିହା ଜୁଲାଇ ମାସ ପର୍ଯ୍ୟନ୍ତ ସଭାପତି ରହିବେ।
ଏହାପୂର୍ବରୁ ସେ ପ୍ରଥମଥର ପାଇଁ ୨୦୧୫ରେ ବେଙ୍ଗଲ କ୍ରିକେଟର ସଭାପତି ହୋଇଥିଲେ। ବେଙ୍ଗଲ କ୍ରିକେଟର ସଭାପତି ଜଗମୋହନ ଡାଲମିଆଙ୍କ ମୃତ୍ୟୁପରେ ସେ ଏହି ପଦ ସମ୍ଭାଳିଥିଲେ।
ସୌରଭ ଗାଙ୍ଗୁଲିଙ୍କ ସହ ଜଗମୋହନ ଡାଲମିଆଙ୍କ ପୁଅ ଅଭିଷେକ ଡାଲମିଆ ମଧ୍ୟ ସମ୍ପାଦକ ଭାବରେ ବିଜୟୀ ହୋଇଛନ୍ତି। ସେହିପରି ସହ-ସମ୍ପାଦକ ପଦରେ ଦେବବ୍ରତ ଦାଶ ଓ ଉପ-ସଭାପତି ପଦରେ ନରେଶ ଓଝା ବିଜୟୀ ହୋଇଛନ୍ତି।
ଏହାସହ ଦେବାଶିଷ ଗାଙ୍ଗୁଲି ବେଙ୍ଗଲ କ୍ରିକେଟ ଆସୋସିଏସନର ନୂଆ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ବେଙ୍ଗଲ କ୍ରିକେଟ ଆସୋସିଏସନର ନିର୍ବାଚନ ଅଧିକାରୀ ସୁଶାନ୍ତ ରଞ୍ଜନ ଉପାଧ୍ୟାୟ ବିଜୟୀ ବ୍ୟକ୍ତିମାନଙ୍କ ନାଁ ଘୋଷଣା କରିଥିଲେ। ବିଜୟୀ ବ୍ୟକ୍ତିମାନେ ଆଗାମୀ ବାର୍ଷିକ ସାଧାରଣ ବୈଠକରେ ନିଜ ନିଜ ପଦରେ ନିଯୁକ୍ତ ହେବେ।

















