ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନମସ୍କାର! ମୁଁ ନବୀନ ପଟ୍ଟନାୟକ କହୁଛି

ଆପଣ ଭବାନିପାଟଣା ପୋଲିସ ଷ୍ଟେସନ ଯାଇଥିଲେ କି?

ମା’ ଆପଣ ପାଟଣାଗଡ଼ ଥାନାକୁ ଯାଇଥିଲେ କି?

ସେଠି କ’ଣ ହେଲା?

ଆଛା

ଧନ୍ୟବାଦ!

ଏହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସାଧାରଣ ଲୋକଙ୍କ ଭିତରେ ଫୋନ୍‌ରେ ହୋଇଥିବା କଥାବାର୍ତ୍ତା। ‘ମୋ ସରକାର’ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ନବୀନ ପ୍ରାୟ ୯ ଜଣଙ୍କୁ ସିଧା ଫୋନ୍‌ କରି ସେମାନଙ୍କ ସହ କଥା ହୋଇଥିଲେ। ସେମାନଙ୍କ ସୁବିଧା ଅସୁବିଧା ବୁଝିଥିଲେ।

ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲ ଏବଂ ସହିଦ ନଗର ଥାନା ପରିସରରେ ‘ମୋ ସରକାର’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରୁ ଯାଇଥିଲା ଫୋନ୍‌। କଥା ହୋଇଥିଲେ ନିଜେ ନବୀନ।

ବଲାଙ୍ଗିର, ସୁନ୍ଦରଗଡ଼, ମାଲକାନଗିରି, ଯାଜପୁର, ବାରିପଦା ଜିଲ୍ଲାର ଜଣେ ଲେଖାଏଁ ରୋଗୀଙ୍କୁ ଫୋନ୍‌ କରି ମତାମତ ନେଇଥିଲେ। ମେଡିକାଲରେ ଡାକ୍ତର ତାଙ୍କୁ କେମିତି ବ୍ୟବହାର କଲେ, ଔଷଧ ମିଳିଲା କି ନାହିଁ ଏସବୁ ପଚାରି ବୁଝିଥିଲେ ନିଜେ ନବୀନ।

ଏହାପରେ ନୟାଗଡ଼, ଗଞ୍ଜାମ, ବାଲେଶ୍ୱର ଏବଂ ଭବାନିପାଟଣାର ଜଣେ ଲେଖାଏଁ ଲୋକଙ୍କ ସହ କଥା ହୋଇଥିଲେ ନବୀନ। ଅଭିଯୋଗ ନେଇ ଥାନାକୁ ଯିବା ପରେ ଥାନା ବାବୁ କେମିତି ବ୍ୟବହାର ପ୍ରଦର୍ଶନ କଲେ ତାହା ପଚାରିଥିଲେ ମୁଖ୍ୟମନ୍ତ୍ରୀ।

ଜଣକ ପରେ ଜଣେ ଲୋକଙ୍କ ପାଖକୁ ଯାଇଥିଲା ଫୋନ୍‌। ‘ନମସ୍କାର! ମୁଁ ନବୀନ ପଟ୍ଟନାୟକ କହୁଛି’ରୁ ଆରମ୍ଭ ହେଉଥିଲା କଥାବାର୍ତ୍ତା। ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରୁଥିଲେ ମୁଖ୍ୟମନ୍ତ୍ରୀ ଏବଂ ଅପରପଟୁ ଲୋକେ ପ୍ରଶ୍ନର ଉତ୍ତର ଦେଉଥିଲେ।

ଆଜିଠୁ ରାଜ୍ୟର ସମସ୍ତ ଥାନା ଏବଂ ୨୧ଟି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମେତ ୩ଟି ସରକାରୀ ମେଡିକାଲ କଲେଜରେ ମୋ ସରକାର ଆରମ୍ଭ ହୋଇଛି। ଅକ୍ଟୋବର ୩୦ ସୁଦ୍ଧା ସବୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏହା କାର୍ଯ୍ୟକାରୀ ହେବ। ୨୦୧୯ ମାର୍ଚ୍ଚ ୫ ତାରିଖ ସୁଦ୍ଧା ସବୁ ବିଭାଗରେ ମୋ ସରକାର କାର୍ଯ୍ୟକାରୀ ହେବ।

ମୋ’ ସରକାର କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି। ୧୪୫୪୫ ନମ୍ବରରେ ଫୋନ୍‌ କରି ଲୋକେ ଥାନା ଓ ଡାକ୍ତରଖାନା ସମ୍ପର୍କରେ ଅଭିଯୋଗ ପଞ୍ଜିକରଣ କରିପାରିବେ।

Comment