ଓଡ଼ିଶାଲାଇଭ୍ ବ୍ୟୁରୋ


ଏକଥା କେହି ବଡ଼ ବଡ଼ିଆ ଲୋକେ ବୁଝନ୍ତୁବା ନବୁଝନ୍ତୁ ବୁଝିଛନ୍ତି କୁନିକୁନି ଶିଶୁମାନେ। ପଲିଥିନ୍ ମୁକ୍ତ ଓଡ଼ିଶାର ଚିନ୍ତା ଘାରିଛି ଏମାନଙ୍କ ମନରେ। ତେଣୁ ଗାଁ ଗାଁ ବୁଲି ଗାନ୍ଧୀ ଜୟନ୍ତୀ ଅବସରରେ ଜନ ସଚେତନତାରେ ମାତି ଯାଇଛନ୍ତି।

ଗୋଟିଏ ହାତରେ ଭଗବତ ଗୀତା ଆଉ ଗୋଟିଏ ହାତରେ ବଙ୍କୁଲି ବାଡ଼ି। ମୁଣ୍ଡରେ ଟୋପି। ଆଉ ଆଣ୍ଠୁ ଉପରକୁ ଧୋତି ଓ ଚଦର ପିନ୍ଧି ଠୁକୁଠୁକୁ ହୋଇ ଗାଁ ଦାଣ୍ଡରେ ଚାଲୁଥିଲା। ଏହି କୁନି ପିଲାଟି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାସ୍ଥିତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ର। ଦୂରରୁ ହେଉ କି ପାଖରୁ ଦେଖିଲେ ମହାତ୍ମାଗାନ୍ଧୀଙ୍କ ଭ୍ରମ ସୃଷ୍ଟି କରୁଥିଲା। ସାଙ୍ଗରେ ଥିଲେ ସାନ ପିଲାମାନେ।

ହେଲେ ଏହି କୁନିକୁନି ପିଲାଙ୍କ ପାଟିରୁ ଗାଁ ଦାଣ୍ଡରେ ଶୁଭୁଥିଲା ବଡ଼ ଆଓ୍ଵାଜ। ପଲିଥିନ ମୁକ୍ତ ଆମ ଭାରତ। ସବୁରି ମୁହଁରେ ଗୋଟିଏ ସ୍ୱର ପଲିଥିନ ନକର ବ୍ୟବହାର। ଓଡ଼ିଶା ହେବ ପଲିଥିନ ମୁକ୍ତ, ସ୍ଵଚ୍ଛ ରହିବ ଆମ ଭାରତ। ଆମର ମତ ତୁମର ମତ, ଗଠନ ହେବ ସ୍ଵଚ୍ଛ ଭାରତ। ପଲିଥିନ କଲେ ବାଏ ବାଏ, ରୋଗକୁ ଜିଣିବା ଛୋଟ ଉପାୟ। ଏମିତି କେତେ କଥା।

ଆଜି ଗାନ୍ଧୀ ଜୟନ୍ତୀ। ଗାନ୍ଧିଜୀଙ୍କ ୧୫୦ ବର୍ଷର ଜନ୍ମ ପୂର୍ତ୍ତି ଅବସରରେ ସାରା ଭାରତବାସୀ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଭାରତବାସୀଙ୍କ ସ୍ଵରରେ ସ୍ୱର ମିଶାଇଛନ୍ତି ଏହି କୁନି କୁନି ଶିଶୁମାନେ। ଏକ ସୁନ୍ଦର, ସ୍ୱଚ୍ଛ, ନିର୍ମଳ ଓ ନିରୋଗ ସମାଜ ଗଠନ କରିବାର ସ୍ଵପ୍ନ ଦେଖିଛନ୍ତି ଏମାନେ। ପଲିଥିନ ହେଉକି ପ୍ଲାଷ୍ଟିକର ବ୍ୟବହାରରେ ରୋଗାକ୍ରାନ୍ତ ସମାଜକୁ ମୁକ୍ତ କରିବାର ଆଶା ସଞ୍ଚାର କରିଛନ୍ତି ଗ୍ରାମବାସୀଙ୍କ ମନରେ। କୁନି କୁନି ପିଲାଙ୍କର ଏମିତି ଭାବନା ଆଜି ପ୍ରଭାବିତ କରିଛି କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରାବାସୀଙ୍କୁ।

Comment