ଓଡ଼ିଶାଲାଇଭ୍‌ ବ୍ୟୁରୋ 

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ସୁନ୍ଦର ଆଲୋକ ମାଳା ଓ ମନଲୋଭା ତୋରଣରେ ଏବେ ହସି ଉଠୁଛି ବାଲେଶ୍ୱର ସହର। ପୂଜା ମଣ୍ଡପଗୁଡ଼ିକରେ ଅଭୟଦାୟିନୀ ମା ଦୁର୍ଗାଙ୍କୁ ଆବାହନ ଲାଗି ପ୍ରସ୍ତୁତି ପହଂଚିଛି ଶେଷ ପର୍ଯ୍ୟାୟରେ। ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ମନୋନିବେଶ କରିଛନ୍ତି କାରିଗର।

ବାଲେଶ୍ୱର ସହରର ଗଡ଼ଗଡ଼ିଆ ଛକ ମଣ୍ଡପରେ ୨୦୧୨ ମସିହାରେ ଆରମ୍ଭ ହୋଇଥିଲା ଗଡ଼ଗଡ଼ିଆ ସାର୍ବଜନୀନ ଦୁର୍ଗାପୂଜା। ଚଳିତ ବର୍ଷ ଏହାକୁ ୮ ବର୍ଷ ଛୁଇଁଛି। ଗଡ଼ଗଡ଼ିଆ ଅଞ୍ଚଳର ଶାନ୍ତନୁ କୁମାର ଦାସ, ସୁଧାସିନ୍ଧୁ ପଣ୍ଡା, ଅନୁପ କୁମାର ଦାସ, ଗଜେନ୍ଦ୍ର ଦାସ, ସନ୍ଦୀପ୍ତ ଦାସ, ଚନ୍ଦନ ମହାନ୍ତି ପ୍ରମୁଖଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଦୁର୍ଗତି ନାଶିନୀଙ୍କ ସାର୍ବଜନୀନ ଦୁର୍ଗାପୂଜା। ସମୟ କ୍ରମେ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ମା’ଙ୍କ ପୂଜାରେ ନିଜକୁ ସାମିଲ କରିଥିଲେ।

ତେବେ ଏଠାରେ ହେଉଥିବା ପୂଜାର ଭସାଣି ଉତ୍ସବ ଟିକେ ନିଆରା। ମେଢ ବିସର୍ଜନ ବେଳେ ମହିଳାମାନେ ଗୋଟିଏ ରଙ୍ଗର ଶାଢ଼ି ପିନ୍ଧି ଶୋଭାଯାତ୍ରାରେ ଯିବାବେଳେ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପୋଲଟିଥାଏ। ପ୍ରଥମ ବର୍ଷର ବଜେଟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଥିଲା।

ଚଳିତ ବର୍ଷର ସଭାପତି ଭାବେ ସୁବ୍ରତ ଦାସ ଏବଂ ସମ୍ପାଦିକା ସଂଘମିତ୍ରା ମହାନ୍ତି କାର୍ଯ୍ୟ ନିର୍ବାହ କରୁଛନ୍ତି। ବର୍ତ୍ତମାନ କମିଟିର ସଦସ୍ୟ ସଂଖ୍ୟା ୬୦। ପୂଜା ବାବଦ ଟଙ୍କା ସଭ୍ୟ ଚାନ୍ଦା ଏବଂ ସ୍ଥାନୀୟ ବାସିନ୍ଦାଙ୍କଠାରୁ ଆଦାୟ କରାଯାଇଥାଏ।

ଏ ବର୍ଷର ପୂଜା ବାବଦ ବଜେଟ୍ ଅଛି ୩ ଲକ୍ଷ ଟଙ୍କା।  ଏଥିରେ ମୂର୍ତ୍ତି ବାବଦ ୩୦ହଜାର ଟଙ୍କା, ତୋରଣ ବାବଦ ୧ଲକ୍ଷ ୭୦ ହଜାର ଟଙ୍କା, ପ୍ରସାଦ ସେବନ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦ ୧ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ସ୍ଥିର କରାଯାଇଛି।

ଚଳିତ ବର୍ଷର ମୂର୍ତ୍ତି ପଶ୍ଚିମବଙ୍ଗର କାରିଗର ତପନ କୁମାର ଶାହା ତିଆରି କରୁଥିବା ବେଳେ ୪ଜଣ କାରିଗର ମୂର୍ତ୍ତି ତିଆରିରେ ନିୟୋଜିତ ହୋଇଛନ୍ତି। ଏଥର ବାଲେଶ୍ୱରରେ ରାଜପ୍ରାସାଦ ଶୈଳୀରେ ତୋରଣ ନିର୍ମିତ ହୋଇଛି। ଅଷ୍ଟମୀ ଓ ନବମୀ ସଂଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥିସହିତ ଭଜନ ସଂଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ।

ମଣ୍ଡପରେ ଅଭୟ ଦାୟିନୀଙ୍କ ପୂଜା ପାଇଁ ୪ଜଣ ବେଦଜ୍ଞ ବ୍ରାହ୍ମଣ ନିୟୋଜିତ ହୋଇଥାନ୍ତି। ୪୦ରୁ ୫୦ କିଲୋ କାଠ ଓ ପ୍ରାୟ ୧୫ ଲିଟର ଘିଅ ପୂଜାରେ ବ୍ୟବହୃତ ହୁଏ। ଘଟ ଉତ୍ତୋଳନ ବାଲିଘାଟରୁ ଓ ମୂର୍ତ୍ତି ବିସର୍ଜନ ମଧ୍ୟ ବାଲିଘାଟରେ ହୋଇଥାଏ।

ଏହି ଦୁର୍ଗାପୂଜାର ବିଶେଷତ୍ୱ ହେଉଛି, ଦଶହରା ଦିନ ଦୁର୍ଗାପୂଜା ବିସର୍ଜନରେ ଶତାଧିକ ମହିଳା ଗୋଟିଏ ରଙ୍ଗର ଶାଢ଼ି ପିନ୍ଧି ଭସାଣି ଉତ୍ସବରେ ସାମିଲ ହୁଅନ୍ତି। ଉତ୍ସବରେ ସିନ୍ଦୁର ଖେଳ ମଧ୍ୟ ହୋଇଥାଏ। ଭସାଣି ଦିନ ୨ଟାରୁ ସଂଧ୍ୟା ୬ଟା ମଧ୍ୟରେ ସମ୍ପନ୍ନ ହୁଏ ।

“ଭସାଣି ଉତ୍ସବରେ ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଥର ଡିଜେ ସାଉଣ୍ଡ୍ ପରିବର୍ତ୍ତେ ପାରମ୍ପରିକ ବାଦ୍ୟ ଓ ନୃତ୍ୟକୁ ଗୁରୁତ୍ୱ ଦିଆଯିବ” କମିଟିର ସଭାପତି ସୁବ୍ରତ ଦାସ ପ୍ରକାଶ କରିଛନ୍ତି।

“ଆମର ଏହି ପୂଜାରେ ମୁସଲ୍‌ମାନ୍ ସଂପ୍ରଦାୟର ଲୋକମାନେ ଚାନ୍ଦା ଦେବା ସହ ପୂଜାରେ ମଧ୍ୟ ସାମିଲ ହୋଇଥାନ୍ତି। ତାଛଡ଼ା ଶାନ୍ତିଶୃଙ୍ଖଳା ଓ ଭାଇଚାରାକୁ ଆମେ ବିଶେଷ ଧ୍ୟାନ ଦେଇଥାଉ। ପ୍ରଶାସନର ନିୟମକୁ ସମ୍ମାନ ଦେଇଥାଉ ବୋଲି କମିଟିର କର୍ମକର୍ତ୍ତା ସନ୍ଦୀପ୍ତ ଦାସ ଓଡ଼ିଶାଲାଇଭ୍‌କୁ କହିଛନ୍ତି।

Comment