ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ: ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ହୋଇଛି ପୁରୀର ବିଭିନ୍ନ ପୀଠ ଓ ପୂଜା ମଣ୍ଡପ। ଦଶହରା ଯେତିକି ପାଖେଇ ଆସୁଛି କର୍ମକର୍ତ୍ତାଙ୍କ ମଧ୍ୟରେ ସେତିକି ତତ୍ପରତା ଦେଖିବାକୁ ମିଳିଛି।

ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତେ ଲାଗିପଡ଼ିଛନ୍ତି। ପୁରୀର ଅନ୍ୟତମ ପୂଜା ମଣ୍ଡପ ହେଉଛି ମା’ ବାରବାଟୀଙ୍କ ପୀଠ। ଏହି ପୂଜାରେ ନିଜକୁ ସାମିଲ କରିଛନ୍ତି ଯୁବପିଢ଼ି। ନିଜ ପାରିବାରିକ ସଂସ୍କୁତିକୁ ବଜାୟ ରଖିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି ସବୁ ଦେଖିବାକୁ ମିଳିଥିଲା ପୁରୀ ହରଚଣ୍ଡୀ ସାହିସ୍ଥିତ ବାରବାଟୀରେ।

ସକାଳ ୫ଟାରୁ ମା’ ବାରବାଟୀଙ୍କ ଦ୍ୱାର ଫିଟାଯିବା ପରେ ମଙ୍ଗଳଆଳତି, ଅବକାଶ, ମାଜଣା, ମଇଲମ ଓ ବଲ୍ଲଭଧୂପ କାର୍ଯ୍ୟ ସମ୍ପନ୍ନ ହୋଇଛି। ସକାଳ ଭୋଗରେ ଫଳ, ଖଇକୋରା, ଓ ଚୂଡ଼ାଘଷା ଭୋଗ କରାଯାଉଛି। ମା’ ବାରବାଟୀଙ୍କୁ ଦ୍ଵିପହର ଧୂପରେ ଖେଚେଡ଼ି, ଡାଲମା, ମାଛବେସର, ମହୁର, ଖଟା, ଭଜା ଓ ଖିରି ଭୋଗ କରାଯାଉଛି।

ମା’ଙ୍କୁ ରାତିରେ ଖେଚେଡ଼ି, ଡାଲମା, ଖଟା, ଖିରି, କାକେରା ଓ ଆମିଷ ଭୋଗ କରାଯାଉଛି। ମା’ ବାରବାଟୀଙ୍କୁ ଷୋଳପୂଜାରେ ପୋଡ଼ା ହୋଇଥିବା ଖାଦ୍ୟ ବଳି ଅର୍ପଣ କରାଯାଏ। ମା’ଙ୍କ ପାଖରେ ସକାଳ ଓ ସନ୍ଧ୍ୟାରେ ଚଣ୍ଡୀ ପାଠ ଓ ଷୋଳପୂଜାରେ କୌଣସି ବେଶ କରାଯାଏ ନାହିଁ।

ମୂର୍ତ୍ତି ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ପୁରୀ ହରଚଣ୍ଡୀ ସାହି ଅଞ୍ଚଳରେ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ଆଇନଶୃଙ୍ଖଳା ଦିଗରେ ଧ୍ୟାନ ଦିଆଯାଇଛି। ନିଶାମୁକ୍ତ ଭସାଣି ପାଇଁ କମିଟି ପକ୍ଷରୁ ଚେଷ୍ଟା ଜାରି ରହିଛି। ଶ୍ରଦ୍ଧାଳୁମାନେ ଧାଡ଼ିରେ ଆସି ମା’ଙ୍କୁ ଦର୍ଶନ କରିପାରିବେ।

Comment