ଓଡ଼ିଶାଲାଇଭ ବ୍ୟୁରୋ

ଦୁର୍ଗା ପୂଜାକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି କେନ୍ଦ୍ରାପଡ଼ା ସହର ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବଙ୍ଗାଳି ସାହି। ଏଠାରେ ମା’ଙ୍କୁ ଭିନ୍ନ ପରମ୍ପରାରେ କୁମାରୀ ରୂପରେ ପୂଜା କରାଯାଏ।

ଆସିଛି ପାର୍ବଣର ଋତୁ। ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସାରା ରାଜ୍ୟ। ମା’ ଙ୍କୁ ଆଗମନକୁ ଅପେକ୍ଷା କରିଥିବା ଭକ୍ତଗଣ, କିଏ କେତେ ଭାବ ଓ ଭକ୍ତିରେ ପୂଜା କରିଥାନ୍ତି। ଏହା ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବଙ୍ଗାଳି ସାହିରେ ଭିନ୍ନ ରୂପରେ ପୂଜା ପାଆନ୍ତି ମା। ଏଠାରେ ମା’ଙ୍କୁ କୁମାରୀ କନ୍ୟା ରୂପରେ ପୂଜା କରିବାର ନିଆରା ବିଧି ପ୍ରଚଳିତ ।

ଦୁର୍ଗା ପୂଜା ଆସିଲେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବଙ୍ଗାଳି ସାହି ହୋଇପଡେ ଉତ୍ସବ ମୁଖର। ମା’ ଦୁର୍ଗା ଦେବୀ ଧରା ପୃଷ୍ଠକୁ ଓହ୍ଲାଇବା ପାଇଁ ଏଠି ଅପେକ୍ଷାରେ ଥା’ନ୍ତି ଭକ୍ତଗଣ। ଏଠାରେ ଘରେ ଘରେ ନିଆରା ପୂଜା ବିଧିର ପରମ୍ପରା ଚଳି ଆସିଛି। ପ୍ରାୟ  ୫୦୦ ବର୍ଷରୁ ଅଧିକ ହେଲାଣି ଏଠି ମା’ଙ୍କୁ ଭକ୍ତଗଣ ନିଜର କନ୍ୟା ରୂପରେ ଦେଖିଥାନ୍ତି। ବର୍ଷକରେ ଥରେ କନ୍ୟା ଯେମିତି ବାପ ଘରକୁ ବୁଲି ଆସନ୍ତି ସେମିତି ମା’ଙ୍କ ପାଇଁ ସବୁରି ଘରେ ଚାଲେ ପିଠାପଣାର ଆସର। ନୂଆ ପୋଷାକ ସାଙ୍ଗକୁ ସ୍ଵାଦିଷ୍ଟ ବ୍ୟଞ୍ଜନରେ ମହକେ ସାହି।


ସାହି ମୁଣ୍ଡରେ ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ତିଆରି କରିଥାନ୍ତି କାରୀଗର। ମା’ଙ୍କୁ ସଜେଇ ଦିଅନ୍ତି ନିଆରା ଆଭୂଷଣରେ। ମା’ଙ୍କୁ ଏଠି କାଳିକା ତନ୍ତ୍ରରେ ପୂଜା କରାଯାଏ। ବଙ୍ଗୀୟ ବ୍ରାହ୍ମଣ ଯଥା ଚକ୍ରବର୍ତ୍ତୀ, ମୁଖାର୍ଜୀ ଓ ମିଶ୍ର ସାଙ୍ଗିଆଧାରୀ ବ୍ରାହ୍ମଣମାନେ ଏଠି ମା’ଙ୍କର ପୂଜା କରିଥାନ୍ତି। ମା’ଙ୍କ ପୂଜା ଆରାଧନା ପାଇଁ ସାରା ବଙ୍ଗାଳି ବସ୍ତିରେ ନିଆରା ସିହରଣ ଥାଏ।

ନବମୀ ତିଥିରେ ମା’ଙ୍କର କୁମାରୀ ପୂଜାର ମହାତ୍ମ୍ୟ ଅନ୍ୟ କେଉଁଠି ଦେଖାଯାଏନା। ସାହିର ୯ ଜଣ କୁମାରୀଙ୍କୁ ମା’ଙ୍କ ଛାମୁରେ ବସାଇ ପୂଜା କରାଯାଏ। ଏହି କୁମାରୀମାନଙ୍କର ବୟସ ମଧ୍ୟ ୯ ବର୍ଷ ବୟସର ହୋଇଥାଏ। ଯଦି ୯ ବର୍ଷର କୁମାରୀ ଏହି ସାହିରେ ନମିଳନ୍ତି ତେବେ ପାଖ ଓଡିଆ ସାହିରୁ ୯ ବର୍ଷର କନ୍ୟାଙ୍କୁ ଆଗରୁ ଖୋଜି ଯୋଗାଡ଼ କରାଯାଇଥାଏ। ସେଦିନ ଏହି କନ୍ୟାଙ୍କ ସହ ତାଙ୍କର ପରିବାର ସମସ୍ତ ସଦସ୍ୟ ବ୍ରତ ପାଳିଥାନ୍ତି।

ମୁଣ୍ଡରେ ଓଢ଼ଣା ଢାଙ୍କି ଏହି କନ୍ୟାମାନଙ୍କୁ ଦେବୀ ରୂପରେ ସଜେଇ ଦିଆଯାଏ। ମା’ଙ୍କ ଚରଣ ତଳେ ବସାଇ ଅଭିମନ୍ତ୍ରିତ କରାଯାଏ। ପରେ କାଳିକା ତନ୍ତ୍ରରେ ପୂଜାପାନ୍ତି ଏହି ନବ କୁମାରୀ। ଦିନ ଦିପହର ମଧ୍ୟରେ ପୂଜା ଶେଷ ହେବାପରେ ବ୍ରତ ସମାପନ କରିଥାନ୍ତି ଏହି ବଙ୍ଗୀୟମାନେ। ପଟ୍ଟାମୁଣ୍ଡାଇ ସହରରେ ଅନେକ ସ୍ଥାନରେ ଦୁର୍ଗା ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଥିଲେ ମଧ୍ୟ ବଙ୍ଗାଳି ସାହିର ଏହି ନିଆରା ଦୁର୍ଗାପୂଜା ଦେଖିବାକୁ କାହିଁ କେଉଁଠୁ ଭକ୍ତମାନେ ଏଠାକୁ ଆସି ମାଙ୍କ ଆଶୀର୍ବାଦ ନେଇଥାନ୍ତି।

Comment