ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ କ୍ରିକେଟ ଦଳର ହିଟ୍ମ୍ୟାନ ରୋହିତ ଶର୍ମା ଦିନିକିଆ ଓ ଟି-୨୦ ପରେ ଏବେ ଟେଷ୍ଟରେ ନିଜ ଯାଦୁ ଦେଖାଇଛନ୍ତି। ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚରେ ସେ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ମ୍ୟାଚ ଜରିଆରେ ସେ ଗୋଟିଏ ଟେଷ୍ଟ ମ୍ୟାଚରେ ସର୍ବାଧିକ ଛକା ମାରିଥିବା ଖେଳାଳି ଭାବେ ରେକର୍ଡ କରିଛନ୍ତି।
ରୋହିତ ଏହି ମ୍ୟାଚର ପ୍ରଥମ ଇଂନିସରେ ୨୪୪ ବଲରେ ୨୩ ଚୌକା ଓ ୬ ଛକା ବଳରେ ୧୭୬ ରନ କରିଥିଲେ। ସେହିପରି ଦ୍ଵିତୀୟ ଇଂନିସରେ ୧୪୯ ବଲରେ ୧୦ ଚୌକା ଓ ୭ଛକା ବଳରେ ୧୨୭ ରନ କରିଥିଲେ। ଗୋଟିଏ ମ୍ୟାଚରେ ସେ ସମୁଦାୟ ୧୩ଟି ଛକା ମାରିଥିଲେ।
ଗୋଟିଏ ମ୍ୟାଚରେ ୧୩ ଛକା ମାରିଥିବା ରୋହିତ ପାକିସ୍ତାନର ଓ୍ଵାସିମ ଆକ୍ରାମଙ୍କ ରେକର୍ଡ ଭାଙ୍ଗିଛନ୍ତି। ଆକ୍ରାମ ୧୯୯୬ ଅକ୍ଟୋବର ମାସରେ ଗୋଟିଏ ଟେଷ୍ଟରେ ୧୨ ଛକା ମାରିଥିଲେ। ଏହାସହ ସେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସିଦ୍ଧୁଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ସିଦ୍ଧୁ ୧୯୯୪ ମସିହାରେ ଗୋଟିଏ ଟେଷ୍ଟ ମ୍ୟାଚରେ ୮ ଛକା ମାରିଥିଲେ।
ଏହାସହ ରୋହିତ ଭାରତୀୟ ଖେଳାଳି ଭାବେ ଦିନିକିଆରେ ସର୍ବାଧିକ ୧୬ ଛକା ମାରିଥିଲେ। ପରେ ୨୦୧୭ରେ ଟି-୨୦ରେ ୧୦ ଛକା ମାରିଥିଲେ। ବର୍ତ୍ତମାନ ସେ ଗୋଟିଏ ଟେଷ୍ଟ ମ୍ୟାଚରେ ୧୩ ଛକା ମାରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।


















