ଓଡ଼ିଶାଲାଇଭ୍ ବ୍ୟୁରୋ

(କଟକରୁ ଜୟ ମହାନ୍ତି): ଆଜି ବିଜୟାଦଶମୀ। ଆସନ୍ତାକାଲି ମା’ ବିଦାୟ ନେବେ। କଟକି ଦଶହରାରେ ବେଶ ଗୁରୁତ୍ୱ ବହନ କରେ ଏହି ବିଦାୟ ବେଳର ଦୃଶ୍ୟ। ଦହି ପଖାଳ ବାସ୍ନାରେ ମହକେ ସାରା ସହର। ହଜାର ହଜାର ଭକ୍ତ ଆନନ୍ଦର ସହ ପାଆନ୍ତି ଏହି ଭୋଗ। ଖାଇବା ଖୁଆଇବାର ମାହୋଲ ବେଶ ଜମେ ପୂଜା ମଣ୍ଡପଗୁଡ଼ିକରେ। ସେହିପରି ବିଜୟାଦଶମୀରେ ସିନ୍ଦୂର ଖେଳ ଆଉ ଏକ ନିଆରା ପରମ୍ପରା। ବଙ୍ଗୀୟ ପୂଜା ବିଧିରେ ଏହା ପାଳନ କରାଯାଇଥାଏ। କଟକ ସହରରେ ଏହାର ଝଲକ ଦେଖିବାକୁ ମିଳିଥାଏ।

ସିନ୍ଦୂର ଖେଳରେ ରଙ୍ଗୀନ ହେଲା ମଣ୍ଡପ

କଟକ ସହରରେ ଅନେକ ପୂଜା ମଣ୍ଡପ ରହିଛି। ଯେଉଁଠାରେ ବଙ୍ଗୀୟ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୁଏ ଦୁର୍ଗାପୂଜା। ସୁନ୍ଦର ନିଦର୍ଶନ ଦେଖିବାକୁ ମିଳେ ଏହି ମଣ୍ଡପଗୁଡିକରେ। ମା’ଙ୍କ ବିସର୍ଜନ ପୂର୍ବରୁ ଏହି ମଣ୍ଡପଗୁଡିକରେ ଖେଳା ଯାଉଥିବା ସିନ୍ଦୂର ଖେଳ ଅନ୍ୟତମ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥାଏ କଟକ ସହରରେ।

ବଙ୍ଗୀୟ ପରମ୍ପରା ଅନୁଯାୟୀ ଦେବୀ ଦୁର୍ଗା ଝିଅ ରୂପରେ ଘରକୁ ଆସିଥିଲେ। ବିଜୟାଦଶମୀ ଦିନ ମା’ ପୁଣି ଶାଶୂ ଘରକୁ ବାହୁଡି ଯିବେ। ତେଣୁ ମା’ଙ୍କୁ ସିନ୍ଦୂର ଲଗାଇ ଦିଅନ୍ତି ମହିଳା ଭକ୍ତମାନେ। ଏହାପରେ ମହିଳାମାନେ ସିନ୍ଦୂର ଖେଳିଥାନ୍ତି।

ବ୍ରିଟିଶ ଅମଳରୁ ହିଁ କଟକ ସହରରେ ବଙ୍ଗୀୟ ପରମ୍ପରାର ଝଲକ ଦେଖିବାକୁ ମିଳେ। ଝିଅ ବାପ ଘରକୁ ଆସିଥିବାରୁ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ଏବେ ବିଦାୟ ନେବାର ସମୟ। ତେଣୁ ଅଶ୍ରୁଳ ନୟନରେ ମା’ଙ୍କୁ ସିନ୍ଦୂର ଲଗାଇ ବିଦାୟ ଦିଅନ୍ତି ମହିଳାମାନେ।

ଦହି ପଖାଳ

ବିଜୟାଦଶମୀକୁ ସମସ୍ତେ ଚାହିଁ ରହିଥାନ୍ତି। କାରଣ ଖାଇବା ଖୁଆଇବାର ମାହୋଲ ବେଶ ଜମିଥାଏ ଆଜିର ଦିନରେ। ସହରର ଅଧିକାଂଶ ପୂଜା ମଣ୍ଡପରେ ଜମେ ଦହି ପଖାଳର ଆସର। ତା’ସାଙ୍ଗକୁ ଛଙ୍କା ତରକାରୀ, ଶାଗ, ଜହ୍ନି ଚୋପା ତରକାରୀ ତଥା ଭଜାଭଜି ମଧ୍ୟ ପ୍ରସ୍ତୁତ ହୋଇଥାଏ। ଦହିଭାତରେ ଅଧିକ ପରିମାଣରେ ତୋରାଣି ନଥାଏ। କିନ୍ତୁ ଏହାକୁ କୁହାଯାଏ ଦହି ପଖାଳ।

ସୁନ୍ଦର ଭାବରେ ବଘରା ଯାଇଥାଏ ଏହି ଭାତକୁ। ଅଦାଠାରୁ ଆରମ୍ଭ କରି ଭ୍ରୁସଙ୍ଗପତ୍ର, ଲେମ୍ୱୁ ପଡିଥାଏ ଏହି ଦହି ପଖାଳରେ। ତେବେ କଟକ ସହର ରାଣୀହାଟ,ଚୌଧୁରୀବଜାର,ଖାନନଗର, ବଜ୍ରକବାଟୀ ସାମନ୍ତସାହି ଆଦି ଦଶଟି ମଣ୍ଡପରେ ଦହି ପଖାଳ ଭୋଗ ଲାଗି ହୋଇଥାଏ। ଏହି ଭୋଗ ପାଇବା ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିଥାଏ।

Comment