ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ଆଶ୍ୱୀନ ମାସ ଶୁକ୍ଲ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ।

ପବିତ୍ର କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ପଞ୍ଚକରେ ମହାପ୍ରଭୁଙ୍କର ୫ ଟି ସ୍ୱତନ୍ତ୍ର ବେଶ ମଧ୍ୟ ଅନୁଷ୍ଠିତ ହେବ। ଏହି ମାସରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏଣୁ ଏହାକୁ ଦୃଷ୍ଟିରେ ରଖି କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟକୁ ଶୃଙ୍ଖଳିତ କରାଯିବା ସହ ମହାପ୍ରସାଦ ପ୍ରସ୍ତୁତିକୁ ମଧ୍ୟ ବ୍ୟବସ୍ଥିତ କରିବାକୁ ନିଷ୍ପତ୍ତି ହୋଇଛି।

ପୁରୀ ଆସୁଥିବା ହବିଷ୍ୟାଳୀଙ୍କ ପାଇଁ ୩ଟି ଅସ୍ଥାୟୀ ଶିବିର କରାଯାଇଛି। ପ୍ରାୟ ୩ ହଜାର ହବିଷ୍ୟାଳୀଙ୍କୁ ଏହି ଅସ୍ଥାୟୀ ଶିବିରରେ ରଖାଯିବା ସହ ସେମାନଙ୍କୁ ମାଗଣା ମହାପ୍ରସାଦ ଦିଆଯିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି।

ଆଜିଠାରୁ ଶ୍ରୀମନ୍ଦିରରେ ବାଳଭୋଗର ମଧ୍ୟ ପରମ୍ପରା ରହିଛି। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି।

Comment