ନୀଳାମ୍ବର ରଥ

ଆଜି ଯଦି ଅକ୍ଷୟ ମହାନ୍ତି ଥା’ନ୍ତେ, ହୁଏତ କହିଥା’ନ୍ତେ “ସ୍ମାର୍ଟସିଟିର କୃଷ୍ଣଚୂଡ଼ା, ରଙ୍ଗ ତୁମ ମନ୍ଦ ନୁହେଁ”।

ଅକ୍ଷୟ ମହାନ୍ତିଙ୍କ ’ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ’ ଦିନେ ଓଡ଼ିଆ ସଙ୍ଗୀତ ପ୍ରେମୀମାନଙ୍କ ମହଲରେ ଏକ ଅନ୍ତରଙ୍ଗ ସ୍ଥାନ ପାଇଥିଲା। ଆଜି ବି ଅକ୍ଷୟ ପ୍ରେମୀମାନେ ଅନେକ ସମୟରେ ଏହି ଗୀତ ଗୁଣୁଗୁଣ‌ଉ ଥିବା ଦେଖିବାକୁ ମିଳେ। ତାରୁଣ୍ୟର ଉଜ୍ଜ୍ୱଳ ଯୌବନକୁ ଅକ୍ଷୟ ମହାନ୍ତି କୃଷ୍ଣଚୂଡ଼ାର ଉଦ୍ଧତିଆ ରଙ୍ଗ ସହ ଯେଭଳି ଭାବରେ ଯୋଡ଼ିଥିଲେ ତା’ର ତୁଳନା ନାହିଁ।

ରାଜଧାନୀ ଭୁବନେଶ୍ଵର ରାଜରାସ୍ତାରେ ଖରାଦିନେ ଲହଡ଼ି ଭାଙ୍ଗେ କୃଷ୍ଣଚୂଡ଼ା ଫୁଲ। ମହକ ସିନା ନାହିଁ, କିନ୍ତୁ ରଙ୍ଗ ଏମିତି ଯେ ଆପଣ ଆଖି ହଟାଇପାରିବେନି। ରାଜଧାନୀ କାହିଁକି, ବସନ୍ତର ଶେଷ ଓ ଗ୍ରୀଷ୍ମର ଆରମ୍ଭ ସହ କୃଷ୍ଣଚୂଡ଼ା ପୃଥିବୀ ପୃଷ୍ଠରେ ଯେଉଁ ରଙ୍ଗ ନିଏ ତାହା ଶିଳ୍ପୀ, ସାହିତ୍ୟିକ ବା ଯେ କୌଣସି ସର୍ଜନଶୀଳ ମଣିଷର ମନରେ ଭାବାନ୍ତର ଆଣିଦିଏ।

“ତା’ ଦେହର ବସନ୍ତରେ ରଙ୍ଗ ଧରେ କୃଷ୍ଣଚୂଡ଼ା ଫୁଲ/ତା’ ଆଖିର ଆକାଶରେ ରୂପ ପାଏ ପୃଥିବୀର ପ୍ରାଚୀନ ସମୟ/କୁରୁବକ କଦମ୍ବର ସ୍ୱପ୍ନ ଫେରେ ତା’ ଓଠର ବିଷଣ୍ଣ ହସରେ । ମୋ ସତ୍ତାର ସୀମାନ୍ତରେ/ସେତେବେଳେ ପତ୍ର ଝଡେ/ମୋ ଦେହର ଦିଗନ୍ତରେ/ସେତେବେଳେ ସୂର୍ଯ୍ୟାସ୍ତର ବିଷଣ୍ଣ ବିଦାୟ” – କବି ଗୁରୁପ୍ରସାଦ ମହାନ୍ତିଙ୍କ ’ବସନ୍ତ ସହିତ ଆସେ’ କବିତାରେ ଏଭଳି ଚିତ୍ରକଳ୍ପର ରୂପ ପାଇଛି କୃଷ୍ଣଚୂଡ଼ା।

ଗୁରୁପ୍ରସାଦଙ୍କର ସନେଟ୍‍ ’ସନେଟ୍‌ର ସେ ସ୍ତ୍ରୀଲୋକର…’ କବିତାରେ କୃଷ୍ଣଚୂଡ଼ା ପୁଣି ରୂପ ପାଇଛି। ସେ ଲେଖିଛନ୍ତି – “ତଥାପି ଏ ପୃଥିବୀ/କୃଷ୍ଣଚୂଡ଼ା ପଳାସ ଫୁଲରେ/ ଫାଲ୍‌ଗୁନର ପବନରେ/ଝଡ଼ାପତ୍ର ଆମ୍ବ ବ‌ଉଳରେ/ଏତେ ସ୍ନିଗ୍‌ଧ ସୁନ୍ଦର ଓ ଏତେ ରୂପବତୀ”।

ଅକ୍ଷୟ ମହାନ୍ତିଙ୍କ ପରି ସୁରମଣି ରଘୁନାଥ ପାଣିଗ୍ରାହୀଙ୍କର ଗୋଟିଏ ଲୋକପ୍ରିୟ ଗୀତ ଏଇ କୃଷ୍ଣଚୂଡ଼ାକୁ ନେଇ। “ନାଲି ନାଲି ଏଇ କୃଷ୍ଣଚୂଡ଼ା ସତେ ଡାକ‍ଇ ମତେ ଡାକ‍ଇ/ମଧୁ ପିଇବାକୁ ଯିବି ମୁହିଁ ଯିବି ଉଡ଼ି ଭ୍ରମର ହୋ‍ଇ।” ଏହା ଥିଲା ଶ୍ରୋତାଙ୍କ ମନପସନ୍ଦର ଏକ ରେଡିଓ ଗୀତ।

କେବଳ ସେକାଳର ଅକ୍ଷୟ ମହାନ୍ତି କି ରଘୁନାଥ ପାଣିଗ୍ରାହୀ ନୁହନ୍ତି, ପରବର୍ତ୍ତୀ ସମୟରେ ଆଧୁନିକ ଲୋକପ୍ରିୟ ଗୀତରେ କୃଷ୍ଣଚୂଡ଼ା ମଧ୍ୟ ପଞ୍ଚ୍‍ ଶବ୍ଦ ଭାବରେ ବ୍ୟବହାର ହୋ‍ଇଛି। ’ତା’ର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢଣି’ ଗୀତ ବେଶ୍‌ କିଛି ବର୍ଷ ଓଡ଼ିଶାର ଗୋଟିଏ ବର୍ଗର ଯୁବପିଢିଙ୍କ ଛାତିକୁ ଦୁଲ୍‌ଦୁଲ୍‌ କରୁଥିଲା। ଏବେବି ଅନେକ ସମୟରେ ବାହାଘର ପ୍ରସେସନ୍‌ରେ ଏ ଗୀତ ନ ବାଜିଲେ ମଜା ଆସେନି। ଏ ଗୀତଟି ଲେଖିଥିଲେ ନିଜାମ୍‍ ଓ ଗାଇଥିଲେ ବାବୁଲ୍‌ ସୁପ୍ରିୟ। ଗୀତର ସୁରକାର ଥିଲେ ଅଭିଜିତ୍‌ ମଜୁମ୍‌ଦାର। ଅଭିଜିତଙ୍କ ‘ତୋର କଞ୍ଚାହଳଦୀ ଦେହଟା ଗୋରୀ ଲୋ’ ଗୀତ ପରି ’ତା’ର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢଣି’ ବେଶ୍‌ ଲୋକପ୍ରିୟ ହୋ‍ଇପାରିଥିଲା।

ସମ୍ବାଦର ପ୍ରଥମ ସମ୍ପାଦକ ତଥା ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ଲୋକପ୍ରିୟ କୃତୀ ମଧ୍ୟରେ ରହିଛି ଗପ ’କୃଷ୍ଣଚୂଡ଼ାର ହସ’। ଯେଉଁମାନେ ଏହାକୁ ପଢିଛନ୍ତି ସେମାନେ ହୁଏତ ଆ‍ଉଥରେ ମନେ ପକାଇ ପାରିବେ ତା’ର କାହାଣୀ।

କବି ବଂଶୀଧର ଷଡଙ୍ଗୀଙ୍କ କବିତା ଭିତରେ କୃଷ୍ଣଚୂଡ଼ା ପ୍ରେମର ଏକ ବହୁକାଂକ୍ଷିତ ଅନୁଭୂତି ହିସାବରେ ରୂପପାଇଛି। ସେ ଲେଖିଛନ୍ତି: ସେ ହସିଲେ କୃଷ୍ଣଚୂଡ଼ା ଫୁଟେ।/ ଏହି ସହରରେ ।/ ଅନେକ ବର୍ଷ ପରେ ଏବର୍ଷ କୃଷ୍ଣଚୂଡ଼ା ଫୁଟିଛି/ ସେ ଆସିଛି ଆପଣା ସହରକୁ/ ମନ୍ଦିରର ଶଙ୍ଖଧ୍ୱନି, ଗୀର୍ଜାର ଘଣ୍ଟା ଶବ୍ଦ କହିଯାଉଛି/ ସେ ଆସିଛି।/ ସେ ଆସିଛି ତା’ ସହରକୁ।

ସାହିତ୍ୟ, ଚିତ୍ର ଓ ସଙ୍ଗୀତରେ ସବୁ ସମୟରେ କୃଷ୍ଣଚୂଡ଼ାକୁ ପ୍ରେମ ଓ ପ୍ରଣୟର ଏକ ପ୍ରାଣବନ୍ତ ଚିତ୍ର ହିସାବରେ ବର୍ଣ୍ଣନା କରାଯାଇଛି। ତେବେ ପରିବର୍ତ୍ତିତ ଦୁନିଆରେ ଓ ମୋବାଇଲ୍‌ର ମାନିଆ ଭିତରେ କୃଷ୍ଣଚୂଡ଼ା ଆଜି ଯନ୍ତ୍ରବତ୍‌ ମଣିଷକୁ କେତେ ଆକର୍ଷିତ କରିପାରୁଛି, ତା’ କହିବା କଷ୍ଟ। ବିଶେଷକରି ଆଜିର ଯୁବପିଢି ପାଇଁ କୃଷ୍ଣଚୂଡ଼ା ହୁଏତ ଏକ ରଙ୍ଗଭରା ଓ ମହକହୀନ ଫୁୁୁଲ ମାତ୍ର, ଅକ୍ଷୟ ମହାନ୍ତିଙ୍କ ’ବୟସର କୃଷ୍ଣଚୂଡ଼ା’ ନୁହଁ।

କୌଣସି କାଳବୈଶାଖୀ ପୂର୍ବରୁ ବା ପରେ କିମ୍ବା ମେଘଭରା ଆକାଶର ବ୍ୟାକ୍‌ଡ୍ରପ୍‌ରେ ଫୁଲଭରା କୃଷ୍ଣଚୂଡ଼ାର ଛବି ଦେଖି ଘଡିଏ ଅଟକିଯିବା ପାଇଁ କା’ ହାତରେ ଆଉ ବେଳ ଅଛି!

ସମୟ ସହିତ ମଣିଷର ଭାବନା ଓ ସମ୍ବେଦନା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଘଟୁଛି। ଆଜି ହୁଏତ ନୀଳ ନୀଳ ପତ୍ର ଓ କଢ ଭିତରେ ଲାଲ୍‌ ଟୁକ୍‌ଟୁକ୍‌ ଫୁଲରେ ଭାଙ୍ଗି ପଡୁଥିବା କୃଷ୍ଣଚୂଡ଼ା ଗଛର ଏକ ଚିତ୍ର କୌଣସି ମଲ୍‍ ବା କଫିହାଉସ୍‌ କାନ୍ଥରେ ବା ଡିଜିଟାଲ୍‌ ମିଡିଆରେ ଲୋକଙ୍କୁ ଅଧିକ ଆକର୍ଷିତ କରିବ!

ଫଟୋ – ଶୁଭ୍ରାଂଶୁ ମହାପାତ୍ର

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ସମ୍ପାଦକ)

Comment