ଓଡ଼ିଶାଲାଇଭ ବ୍ୟୁରୋ

 (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବାଲେଶ୍ଵର ଜିଲ୍ଲାର ଜଣାଶୁଣା ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆ। ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଖବରରେ ସାରା ବାଲେଶ୍ଵର ସହରରେ ଶୋକର ଛାୟା ଖେଳିଯାଇଛି।

ଦେବେନ୍ଦ୍ର ଖଟୁଆ ଶନିବାର ଦିନ ୧୧ଟା ସମୟରେ ‌ଘରୁ ବାହାରି ରେମୁଣା ଜାନୁଗଞ୍ଜ ଗୋଲେଇକୁ ସ୍କୁଟିରେ ଯାଉଥିଲେ। ଜାନୁଗଞ୍ଜ ଷ୍ଟେଟ୍‌ବ୍ୟାଙ୍କଠାରେ ତାଙ୍କ ଗାଡ଼ିର ଚକା‌ ସ୍ଲିପ୍‌ କରିବାରୁ ସେ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ଫଳରେ ଆଖି ପିଛୁଳାକେ ପଛରୁ ଦ୍ରୁତ ଗତିରେ ଆସୁଥିବା ରଘୁନାଥ ନାମକ ଏକ ଘରୋଇ ବସ୍‌ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦେବେନ୍ଦ୍ରଙ୍କର ମୃତ୍ୟୁ ହୋଇ ଯାଇଥିଲା।

ପରେ ଖବର ପାଇ ଶିଳ୍ପାଞ୍ଜଳ ଥାନାଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରିବା ସହିତ ଦେବେନ୍ଦ୍ରଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତାଙ୍କ ପତ୍ନୀ ଏବଂ ୮ ବର୍ଷର ଏକମାତ୍ର ପୁତ୍ରସନ୍ତାନ ବାଙ୍ଗାଲୋର ଯାଇଥିବା ଯୋଗୁଁ ତାଙ୍କୁ ଖବର ଦିଆଯାଇଛି।

୧୯୭୭ ମସିହା ଜୁନ ୧୧ରେ ଜନ୍ମିତ ଦେବେନ୍ଦ୍ର ଜନ୍ମ। ବାଲେଶ୍ଵର ସହରର ସହଦେବଖୁଣ୍ଟା ନିକଟସ୍ଥ ଭୀମପୁରା ଗ୍ରାମରେ ଦେବେନ୍ଦ୍ରଙ୍କ ଜନ୍ମ। ତାଙ୍କ ବାପା ପିତାମ୍ବର ଖଟୁଆ ଓ ମାତା ଜୟନ୍ତୀ ଖଟୁଆ। ବାଲେଶ୍ଵର ପବ୍ଲିକ୍‌ ସ୍କୁଲରୁ ଶିକ୍ଷା ଗ୍ରହଣ ପରେ ସେ ବାଲେଶ୍ଵର ଆର୍ଟ ଏଣ୍ଡ କ୍ରାଫ୍ଟ କଲେଜରୁ ଚିତ୍ରକଳାରେ ଉପାଧି ଓ ଉପାଧ୍ୟୁତ୍ତର ଶିକ୍ଷା ଗ୍ରହଣ କରିଥିଲେ। ସେ ଭୀମପୁରା ୟୁଜିୟୁପି ସ୍କୁଲର ସରକାରୀ କଳା ଶିକ୍ଷକ ଭାବେ କାର୍ଯ୍ୟ କରିବା ସହ ବହୁ ଅନୁଷ୍ଠାନ ସହିତ ଜଡ଼ିତ ରହି ଅନେକ ପିଲାଙ୍କୁ ଚିତ୍ରଶିକ୍ଷା ମଧ୍ୟ ଶିଖାଉଥିଲେ।

Comment