ଓଡ଼ିଶାଲାଇଭ ବ୍ୟୁରୋ

ପୁଣେ ଏମସିଏ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ଵିତୀୟ ଟେଷ୍ଟରେ ଭାରତ ବିଜୟୀ ହୋଇଛି। ଏହି ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇଂନିସ ଓ ୧୩୭ ରନରେ ପରାସ୍ତ କରିଛି। ଏହାସହ ଭାରତ ଏହି ୩ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ କବଜା କରିଛି।

ଭାରତ ପ୍ରଥମ ଇଂନିସରେ ଦମଦାର ବ୍ୟାଟିଂ କରି ବିଶାଳ ସ୍କୋର କରିଥିଲା। ଏଥିରେ ମୟଙ୍କ ଅଗ୍ରଓ୍ଵାଲ ଶତକ ହାସଲ କରିଥିବା ବେଳେ ବିରାଟ କୋହଲି ଦ୍ଵିଶତକ ହାସଲ କରିଥିଲେ। ଫଳରେ ଭାରତ ୬୦୧ ରନ କରିଥିଲା। ଏହାପରେ ଭାରତୀୟ ଦଳ ଇଂନିସ ଘୋଷଣା କରିଥିଲେ।

ଦକ୍ଷିଣ ଆଫ୍ରିକା ତାର ପ୍ରଥମ ଇଂନିସ ଆରମ୍ଭ କରିଥିଲା। ଏଥିରେ ଦଳ ଭଲ ଆରମ୍ଭ କରି ପାରିନଥିଲା। ଦଳ ପକ୍ଷରୁ ଫାପ୍ ଡୁ ପ୍ଲେସିସ୍ ୬୪ ଓ କେଶବ ମହାରାଜ ୭୨ରନ କରିଥିଲେ। ଫଳରେ ଦଳ ତାର ସମସ୍ତ ଓ୍ଵିକେଟ ହରାଇ ୨୭୫ ରନ କରିଥିଲା।

ଏହାପରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ଫଲୋଅନ ଦେଇଥିଲା। ଫଲୋଅନ୍ ଏଡ଼ାଇବାକୁ ଦକ୍ଷିଣ ଆଫ୍ରିକା ସଂଘର୍ଷ କରିଥିଲା। ଦଳ ପକ୍ଷରୁ ଡିଏନ ଏଲଗାର ୪୮, ତେମ୍ଵା ବାଭୂମା ୩୮, ଭେମନ ପିଲାଣ୍ଡର ୩୭ ରନ କରିଥିଲେ। ଫଳରେ ଦଳ ସମସ୍ତ ଓ୍ଵିକେଟ ହରାଇ ମାତ୍ର ୧୮୯ ରନ କରିଥିଲା। ଏଥିରେ ଭାରତ ପକ୍ଷରୁ ଉମେଶ ଯାଦବ ଓ ରବିନ୍ଦ୍ର ଜାଡେଜା ୩ଟି ଲେଖାଏଁ ଓ୍ଵିକେଟ ନେଇଥିବା ବେଳେ ଅଶ୍ଵିନୀ ୨ଟି ଓ୍ଵିକେଟ ନେଇଛନ୍ତି।


















