ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ ତଥା ଯଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ପାଇଁ ଯାତ୍ରାଜଗତର ଏକ ଲୋକପ୍ରିୟ ଯୋଡ଼ି ଟୁକୁନାଲିପିଙ୍କ ପ୍ରେମକାହାଣୀ ଆଗକୁ ବଢିପାରିଥିଲା

ଓଲିଉଡ ଓ ଯଲିଉଡ ମଧ୍ୟରେ ରହିଛି ଏକ ଗଭୀର ସମ୍ପର୍କ। ଓଲିଉଡରୁ ଯାଇ କଳାକାରମାନେ ଯାତ୍ରାରେ କାମ କରୁଛନ୍ତି। ଠିକ୍ ସେହିପରି ଯଲିଉଡରୁ ବି ଆସି ଓଲିଉଡରେ କାମ କରୁଛନ୍ତି କେତେକ କଳାକାର।

ଅଭିନେତା-ନିର୍ଦ୍ଦେଶକ ହର ପଟ୍ଟନାୟକ ଥିଲେ ଉଭୟ ଓଲିଉଡ ଓ ଯଲିଉଡର ବେଶ୍ ପ୍ରିୟ। ସେ ଓଡ଼ିଶା ଅପେରା ପ୍ରଯୋଜିତ ନାଟକ ‘ଚାଲ ମା’ ଯିବା ଜହ୍ନ ରାଇଜକୁ’ ଜରିଆରେ ଯଲିଉଡରେ ନିର୍ଦ୍ଦେଶକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ।

ଯଲିଉଡର ଏକ ବହୁଚର୍ଚ୍ଚିତ ନାୟକ-ନାୟିକାଙ୍କ ଯୋଡ଼ି ହେଲେ ଟୁକୁନା-ଲିପି। ଟୁକୁନାଙ୍କ ପ୍ରକୃତ ନାମ ହେଲା ଅନନ୍ତ ବରାଳ ଓ ଲିପିଙ୍କ ପ୍ରକୃତ ନାମ ହେଉଛି ନିବେଦିତା।

ଅନନ୍ତ ବରାଳ ଓରଫ୍ ଟୁକୁନା ତାଙ୍କ ଯାତ୍ରାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ ଚିନ୍ମୟ ଗଣନାଟ୍ୟରୁ। ସେ ଏହି ଯାତ୍ରା ପାର୍ଟିରେ କିଛିବର୍ଷ କାମ କରିବା ପରେ ଆସିଥିଲେ ଧରିତ୍ରୀ ଗଣନାଟ୍ୟକୁ।

ଅନ୍ୟପକ୍ଷରେ ନିବେଦିତା ଓରଫ୍ ଲିପିଙ୍କ ଯାତ୍ରାଜଗତରେ ପ୍ରଥମ ପଦାର୍ପଣ ହୋଇଥିଲା ଦୁର୍ଗାଶ୍ରୀ ଗଣନାଟ୍ୟରେ। ସେହି ଯାତ୍ରାପାର୍ଟିରେ ନାୟିକା ଭୂମିକା ନିଭାଇଥିଲେ ଲିପି। ଏହାପରେ ଆଜିକାର ସେ ଚାଲି ଆସିଥିଲେ ଧ୍ରିତ୍ରୀ ଗଣନାଟ୍ୟକୁ।

ଧରିତ୍ରୀ ଗଣନାଟ୍ୟରେ ହିଁ ଟୁକୁନା ଓ ଲିପିଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ଏଠାରେ ପ୍ରଯୋଜକ ଓ ନିର୍ଦ୍ଦେଶକ ଟୁକୁନା-ଲିପିଙ୍କ ଯୋଡ଼ି ବନାଇଥିଲେ। ସମୟକ୍ରମେ ଏହି ଯୋଡ଼ି ବନିଯାଇଥିଲେ ଦର୍ଶକଙ୍କ ଆଖିର ତାରା ଭଳି। ଏମିତି ସମୟ ଆସିଲା, ଯେତେବେଳେ  ଦର୍ଶକ ଟୁକୁନା-ଲିପିଙ୍କ ପାଇଁ ନାଟକ ଦେଖିବାକୁ ଆସିଲେ। ଟୁକୁନା-ଲିପିଙ୍କ ଅଭିନୀତ ନାଟକ ହୋ‍ଇଚାଲିଥିଲା ସୁପରହିଟ୍।

ଧରିତ୍ରୀ ଗଣନାଟ୍ୟର ଦୁଇଟି ବହୁଚର୍ଚ୍ଚିତ ନାଟକ ହେଲା ‘ଧରିତ୍ରୀ ଧରିଛି ଧର୍ମ ନିକିତି’ ଓ ‘ବାପା ଯାଇଛନ୍ତି ଥାନାକୁ’। ଉଭୟ ନାଟକରେ ଟୁକୁନା-ଲିପି ଯୋଡ଼ିଙ୍କ ଅଭିନୟ ଅତ୍ୟନ୍ତ ଜୀବନ୍ତ ଥିଲା। ଏହାକୁ ଦେଖି ଦର୍ଶକ ସେମାନଙ୍କର ଉଚ୍ଚ ପ୍ରଶଂସା ବି କରିଥିଲେ। ସଂଯୋଗବଶତଃ ଏହି ଉଭୟ ଯାତ୍ରାର ନିର୍ଦ୍ଦେଶକ ଥିଲେ ଓଲିଉଡ ଓ ଯଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ହର ପଟ୍ଟନାୟକ।

ଏହି ଦୁଇଟି ନାଟକର ରିହର୍ସାଲ୍ ସମୟରେ ଟୁକୁନା ଓ ଲିପି ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ। ଟୁକୁନା ଓ ଲିପି ଅନେକ ସମୟରେ ଏକାଠି ବସି ଗପସପ ମଧ୍ୟ କରୁଥିବାର ଦେଖିବାକୁ ମିଳିଥିଲା। ଏହା ଅବଶ୍ୟ ଭିନ୍ନ କଥା ଟୁକୁନା ଓ ଲିପିଙ୍କ ଲୁଚାଛପା ପ୍ରେମ ବିଷୟରେ କେହି ଜାଣିପାରିନଥିଲେ। ହେଲେ ରିଙ୍ଗମାଷ୍ଟର ହର ପଟ୍ଟନାୟକଙ୍କ ଆଖିରେ ତାହା ଧରା ପଡ଼ିଗଲା।

ନିର୍ଦ୍ଦେଶକ ହର ପଟ୍ଟନାୟକ ନାଟକର ରିହର୍ସାଲ୍ ବେଳେ ଉଭୟ ଟୁକୁନା ଓ ଲିପିଙ୍କୁ ଅତି ଚତୁରତାର ସହିତ ଲକ୍ଷ୍ୟ କରୁଥିଲେ। ଦିନେ ସେ ଉଭୟ କଳାକାରଙ୍କୁ ଦେଖି କହିଥିଲେ, “ତମ ଦୁହିଁଙ୍କ ଭିତରେ କିଛି ଅଲଗା ଅଛି କି? ତୁମ ଦୁହିଁଙ୍କର ପ୍ରେମ କାହାଣୀକୁ ନେଇ ମୁଁ ନାଟକ ଲେଖିବି”।

ଏକଥା ଶୁଣି ଲିପି ଟିକେ ଲାଜେଇ ଯାଇଥିଲେ, ହେଲେ ଟୁକୁନା ହସି ଦେଇଥିଲେ। ଏହି ପ୍ରେମୀଯୁଗଳ ଟୁକୁନା-ଲିପିଙ୍କ ପ୍ରେମକାହାଣୀକୁ ନେଇ ସତକୁ ସତ ନିର୍ଦ୍ଦେଶକ ହର ପଟ୍ଟନାୟକ ଏକ ନାଟକ ଲେଖିଲେ ଓ ନିର୍ଦ୍ଦେଶନା ଦେଇଥିଲେ, ଯାହାର ନାଁ ଥିଲା ‘ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି’। ଏହି ନାଟକରେ ଅଭିନୟ କରିବା ବେଳେ ଟୁକୁନା ଓ ଲିପିଙ୍କ ଭିତରେ ଥିବା ପ୍ରେମସମ୍ପର୍କ ନିବିଡ଼ ହୋଇଥିଲା ଏବଂ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ରାଜି ହୋଇଥିଲେ।

Comment