ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସାଧାରଣତଃ ସମସ୍ତଙ୍କ ମନରେ ଗୋଟିଏ ଧାରଣା ଥିଲା ଯେ ଫିଲ୍ମର ହିରୋମାନେ ନିଶ୍ଚୟ ହ୍ୟାଣ୍ଡସମ, ଷ୍ଟାଇଲିସ ହୋଇଥିବେ। ଏହି ଧାରଣାକୁ ଭୁଲରେ ପରିଣତ କରିଥିଲେ ଅଭିନେତା ତଥା ନିର୍ଦ୍ଦେଶକ ପପୁ ପମପମ। ରଜରେ ରିଲିଜ ହୋଇଥିବା ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ଚିରକୁଟରେ ଏମିତି ଜଣେ ହିରୋଙ୍କୁ ଦେଖିବାକୁ ମିଳିଥିଲା ଯିଏ ହ୍ୟାଣ୍ଡସମ୍‌ ହୋଇନଥିଲେ ବି ନିଜ ଅଭିନୟରେ ଦର୍ଶକଙ୍କ ମନ ଜିତିଥିଲେ।

ଚିରକୁଟ ଫିଲ୍ମର ଏହି ଚର୍ଚ୍ଚିତ ନାୟକ ଜଣକ ହେଲେ ଅରୋଜିତ ପାତ୍ର। ପ୍ରଥମକରି ଅଭିନୟ ଜଗତରେ ପାଦ ଥାପିଥିବା ଅରୋଜିତ୍, ଫିଲ୍ମ ଜଗତକୁ ଆସିବା ପାଇଁ ବହୁତ ସଂଘର୍ଷ କରିଛନ୍ତି।

ଓଡିଶାଲାଇଭ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ସେ ତାଙ୍କ ପରଦା ପଛର କାହାଣୀ ବର୍ଣ୍ଣନା କରିଛନ୍ତି।

ପିଲାଟି ବେଳୁ ଅଭିନୟ ପ୍ରତି ଦୁର୍ବଳତା ରହିଥିବା ସେ ଏହି ସାକ୍ଷାତକାରରେ କହିଛନ୍ତି। ଅଭିନୟ ପ୍ରତି ତାଙ୍କର ଏତେ ମାତ୍ରାରେ ଆଗ୍ରହ ଥିଲା ଯେ ସେ ବାଲେଶ୍ୱରରେ ଥିବା ଝାଡେଶ୍ୱରୀ ଇଞ୍ଜିନିୟରିଂ କଲେଜରେ ଛଅ ମାସ ପଢିଲା ପରେ ସେଠାରୁ ଲୁଚି ଘରକୁ ପଳେଇ ଆସିଥିଲେ।

ଘରେ ବାପାଙ୍କଠାରୁ ଗାଳି ଶୁଣିବାପରେ ଚାଲି ଆସିଥିଲେ ଭୁବନେଶ୍ୱର। ସେଠାରେ ସେ ବିଜ୍ଞାନ ପଢିବା ସହ ଆରମ୍ଭ କରିଥିଲେ ନିଜର ଅଭିନୟ କ୍ୟାରିଅର। ପ୍ରଥମ କରି ସେ ପପୁଙ୍କ ଘରକୁ ଯାଇ ସାକ୍ଷାତ କରି କାମ ମାଗିଥିଲେ। ପପୁ ସେଠାରେ ତାଙ୍କୁ କହିଥିଲେ ଜଣେ କଳାକାର ହିସାବରେ ସେ ଆଉ ଜଣେ କଳାକାରକୁ ସାହାଯ୍ୟ କରି ପାରିବେ କିନ୍ତୁ ନିଜ ଭିତରେ ଥବା ପ୍ରତିଭା ଦ୍ୱାରା ସେ ଆଗକୁ ବଢିପାରିବେ। ଏହାପରେ ପପୁ ତରଙ୍ଗ ପ୍ରଡକ୍ସନ ହାଉସରେ ତାଙ୍କୁ କାମ ଦେଇଥିଲେ। ସେଠାରେ ବହୁଦିନ କାମ କରିବା ପରେ ତାଙ୍କର କାମ ଦେଖି ସମସ୍ତେ ବହୁ ଖୁସିଥିଲେ ତାଙ୍କ ଉପରେ।

ପରେ ପପୁଙ୍କ ପରାମର୍ଶ ଅନୁଯାୟୀ ଚିରକୁଟ୍ ଚଳଚିତ୍ର ପାଇଁ ଅଡିଶନ୍ ଦେଇଥିଲେ। ସେଥିରେ ସେ ସିଲେକ୍ଟ ମଧ୍ୟ ହୋଇଥିଲେ।

‘‘ଫିଲ୍ମରେ ଅଭିନୟ ଦେଖିବା ପରେ ବହୁ ଦର୍ଶକ ତାଙ୍କୁ ଚିରକୁଟ୍ ନାଁରେ ଚିହ୍ନୁଥିଲେ। ଚିରକୁଟ୍ ମଧ୍ୟ ଡାକୁଥିଲେ । କେହି କେହି ମଧ୍ୟ ପରିବା ବାଲା ବୋଲି ଡାକନ୍ତି। ଦର୍ଶକଙ୍କ ଏହି ଭଲ ପାଇବାକୁ ମୁଁ ଗ୍ରହଣ କରୁଛି’’, କହିଛନ୍ତି ଅରୋଜିତ।

ରଜରେ ମୁକ୍ତିଲାଭ କରିଥିବା ଓଡିଆ ଚଳଚିତ୍ର “ଚିରକୁଟ୍” ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଏହି ଚଳଚ୍ଚିତ୍ରଟିରେ ସମ୍ପୂର୍ଣ୍ଣ ଭାବେ ନୂଆ କଳାକାରମାନଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମର ନିର୍ଦ୍ଦେଶକ ପପୁ ପମ୍ ପମ୍ ହିଁ ଫିଲ୍ମର ହିରୋ, ହିରୋଇନ ବାଛିଥିଲେ।

Comment