ଓଡ଼ିଶାଲାଇଭ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): “କବିତା ଏକ କାଚର ଖେଳନା, ଯାହାକୁ ସତର୍କତାର ସହ ବ୍ୟବହାର କରିବାକୁ ପଡେ଼। ଖାଦ୍ୟ ପ୍ରସ୍ତୁତ କରିବା ବେଳେ ରାନ୍ଧୁଣିଆ ଯେମିତି ସଠିକ ପରିମାଣରେ ଦ୍ରବ୍ୟ ଓ ମସଲା ପକାଇ ଖାଦ୍ୟକୁ ସ୍ଵାଦଯୁକ୍ତ କରିଥାଏ। ସେହିପରି କବି ମଧ୍ୟ ଶବ୍ଦ ଓ ଭାଷାରେ କବିତାକୁ ପରିପୁଷ୍ଟ କରି ପାଠକଙ୍କୁ ଆକର୍ଷିତ କରିଥାଏ। କବିତା ରଚନା କରିବା ପରି ସମ ପରିମାଣରେ କବିତାର ଆବୃତ୍ତିକୁ ମଧ୍ୟ ଗୁରୁତ୍ଵ ଦିଆଯିବା ଉଚିତ” କହିଛନ୍ତି ଶାନ୍ତି ନିକେତନର ପ୍ରଫେସର‌୍‌ କବି ଗିରିବାଳା ମହାନ୍ତି।

‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ତରଫରୁ ଆୟୋଜିତ ‘କବିତା ପଠନ କବିତା ଗଠନ’ ଶୀର୍ଷକ ଏକ କବିତା କର୍ମଶାଳାରେ ଯୋଗ ଦେଇ ନିଜ ଅଭିଭାଷଣ ଦେଇଥିଲେ କବି ଗିରିବାଳା ମହାନ୍ତି।

ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ତରଫରୁ ଅନୁଷ୍ଠାନର ପଢୁଆଁପଦାସ୍ଥିତ କାର୍ଯ୍ୟାଳୟ ‘ବିନ୍ଦୁବଳୟ’ ଭବନଠାରେ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ସୁବ୍ରତା ମହାନ୍ତି ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ।

ସ˚ଗଠନ ସମ୍ପାଦକ ତପନ ରାୟ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ କବିତାର ସ˚ଯୋଜନା କରିଥିଲେ। କବି ପ୍ରୀତିଲେଖା ଦାସ, ଜ୍ୟୋତ୍ସ୍ନା ରାୟ, ଡା. ଅଭିମନ୍ୟୁ କାନୁନ୍‌ଗୋ ଓ ଦୀପକ ବୋଷ୍‌ଙ୍କ ଦ୍ଵାରା ପଠିତ କବିତାଗୁଡ଼ିକୁ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।

ପାଠକମାନଙ୍କର ପ୍ରଶ୍ନର ଉତ୍ତର ଦେଇ କବିମାନେ ନିଜ କବିତାର ଶୈଳୀ ସମ୍ପର୍କରେ ଅଭିବ୍ୟକ୍ତି ରଖିଥିଲେ। ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଚକ୍ଟର ଶିରୀଶ ଚନ୍ଦ୍ର ଜେନା ପଠିତ କବିତାଗୁଡ଼ିକର ଆଲୋଚନା କରି ସେଥିରେ ଥିବା ତ୍ରୁଟି ବିଚ୍ୟୁତିକୁ ସୁଧାରିବାକୁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ସଠିକ୍‌ ଭାବରେ ଆବୃତ୍ତି କରିବା ଉପରେ ଗୁରୁତ୍ଵ ଦେଇଥିଲେ।

ଏହି କର୍ମଶାଳାରେ ପ୍ରଦୀପ କୁମାର ଚାଟ୍ଟାର୍ଜୀ, ଶରତ କୁମାର ମହାପାତ୍ର, ଅଞ୍ଜଳି ପଣ୍ତା, ସୁଶ୍ରୀ ଅରୁଣା ରାୟ, କଲ୍ୟାଣୀ ନନ୍ଦ, ସଞ୍ଜୟ ପଣ୍ତା, ରମାକାନ୍ତ ମହାନ୍ତି ପ୍ରମୁଖ କବିତା ସମ୍ପର୍କରେ ବକ୍ତବ୍ୟମାନ ପ୍ରଦାନ କରିଥିଲେ। ଶେଷରେ ଶୀତିକଣ୍ଠ ଦୀକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ।

Comment