ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଡ୍‌-ଇଭେନ୍‌ ଫର୍ମୁଲାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ବଡ଼ ଘୋଷଣା କରିଛନ୍ତି। ଯାହା ଫଳରେ ଦୁଇ ଚକିଆ ଯାନ ଆରୋହୀଙ୍କୁ ଆଶ୍ୱସ୍ତି ମିଳିଛି। ଏଥର ଦୁଇ ଚକିଆ ଯାନ ପାଇଁ ଲାଗୁ ହେବନି ଅଡ୍‌-ଇଭେନ୍‌ ଫର୍ମୁଲା। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଆସନ୍ତା ନଭେମ୍ବର ୪ରୁ ୧୫ ଯାଏଁ ନୁଆ ଦିଲ୍ଲୀରେ ଅଡ୍‌-ଇଭେନ୍‌ ଫର୍ମୁଲା ଲାଗୁ ହେବ। ସକାଳ ୮ଟାରୁ ରାତି ୮ଟା ଯାଏଁ ଏହି ବ୍ୟବସ୍ଥା ଲାଗୁ ହେବ। ତେବେ ରବିବାର ଏହି ବ୍ୟବସ୍ଥାକୁ ଛାଡ଼ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଘୋଷଣା କରିଛନ୍ତି।

ଏଥର ଅଡ୍‌-ଇଭେନ୍‌ ଫର୍ମୁଲା ସ୍କୁଲ ବସ୍‌ ଏବଂ ବିଭିନ୍ନ ସରକାରୀ ଗାଡ଼ି ପାଇଁ ଛାଡ଼ କରାଯାଇଛି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଚିଫ୍‌ ଜଷ୍ଟିସ୍‌, ଲୋକସଭା ବାଚସ୍ପତି, କେନ୍ଦ୍ରମନ୍ତ୍ରୀ, ରାଜ୍ୟସଭା ଏବଂ ଲୋକସଭା ନେତା, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ପାଇଁ ଅଡ୍‌-ଇଭେନ୍‌ ଫର୍ମୁଲା ଛାଡ଼ କରାଯାଇଛି।

ସେହିପରି ସୁପ୍ରିମକୋର୍ଟ ବିଚାରପତି, ୟୁପିଏସ୍‌ସି ଅଧ୍ୟକ୍ଷ, ମୁଖ୍ୟ ନିର୍ବାଚନ ଅଧିକାରୀ, ଦିଲ୍ଲୀ ଉପରାଜ୍ୟପାଳ, ଦିଲ୍ଲୀ ହାଇକୋର୍ଟ ଜଜ୍‌, ଲୋକାୟୁକ୍ତ ଏବଂ ବିଭିନ୍ନ ଜରୁରୀକାଳୀନ ପରିସ୍ଥିତିରେ ଗାଡ଼ିମାନଙ୍କୁ ଛାଡ଼ କରାଯିବ।

ଅନ୍ୟପକ୍ଷରେ ଅଡ୍‌-ଇଭେନ୍‌ ନିୟମକୁ ଉଲଙ୍ଘନ କଲେ ୪ ହଜାର ଟଙ୍କାର ଜରିମାନା ଲଗାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ପୂର୍ବରୁ ଚାଲାଣ ବାବଦକୁ ୨ ହଜାର ଫାଇନ୍‌ ଲାଗୁ ଥିବା ବେଳେ ଏହା ଦୁଇ ଗୁଣା ହୋଇଯାଇଛି।

Comment