ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିକି ଜାତୀୟ ପର୍ଯ୍ୟଟନ କମିଟିର ଯୁଗ୍ମ ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ କେ ମହାନ୍ତି ଓଡ଼ିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣରେ ଯୋଗ ଦେଇ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ୱ ଦେଇଥିଲେ।

“ଭାରତର ବିଭିନ୍ନ ରାଜ୍ୟରେ ପ୍ରସିଦ୍ଧ ଏବଂ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ରହିଛି। ଗୋଆ ଏହାର ବେଳାଭୂମି ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ବେଳେ ରାଜସ୍ଥାନର ପ୍ରାସାଦ ଏବଂ ମରୁଭୂମି ପାଇଁ, ଆଗ୍ରା ତାଜମହଲ ପାଇଁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ହେଲେ ଓଡ଼ିଶା ନିର୍ଦ୍ଦିଷ୍ଟ ଗୋଟିଏ ପର୍ଯ୍ୟଟନ କ୍ଷେତ୍ର ପାଇଁ ପ୍ରସିଦ୍ଧ ନୁହେଁ। ଓଡ଼ିଶାର ପ୍ରତ୍ୟେକ ପର୍ଯ୍ୟଟନ କ୍ଷେତ୍ର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ସାମର୍ଥ୍ୟ ରହିଛି। ସାରା ଭାରତରେ ଯାହା ନାହିଁ, ତାହା ଓଡ଼ିଶାରେ ରହିଛି। ହେଲେ ଟୁର୍‌ ଅପରେଟରଙ୍କ ନଜରରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପଛରେ ରହି ଯାଇଛି। ଓଡ଼ିଶାକୁ ବୁଲି ଦେଖନ୍ତୁ, ଆପଣ ଏହାର ପ୍ରେମରେ ପଡ଼ିଯିବେ” ଓଡ଼ିଶା ଟ୍ରାଭେଲ୍ ବଜାରର ତୃତୀୟ ସଂସ୍କରଣରେ ଯୋଗ ଦେଇ ଫିକି ଜାତୀୟ ପର୍ଯ୍ୟଟନ କମିଟିର ଯୁଗ୍ମ ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ କେ ମହାନ୍ତି କହିଛନ୍ତି।

୧୪ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଓଡ଼ିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଏଥିରେ ଫିକି ଜାତୀୟ ପର୍ଯ୍ୟଟନ କମିଟିର ଯୁଗ୍ମ ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପର ସିଏମ୍‌ଡି ଜେ କେ ମହାନ୍ତି ଯୋଗ ଦେଇ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ କିପରି ବିଦେଶରେ ପ୍ରଚାର ପ୍ରସାର କରାଯିବ ସେ ଉପରେ ଗୁରୁତ୍ୱ ଦେଇଥିଲେ। ଓଡ଼ିଶାକୁ କିପରି ଅଧିକ ବିଦେଶୀ ପର୍ଯ୍ୟଟକ ଆସିବେ ସେ ଉପରେ ଘରୋଇ ଟୁର୍‌ ଅପରେଟରମାନେ ଧ୍ୟାନ ଦେବାକୁ ଆହ୍ୱାନ ଦେଇଥିଲେ ଜେ କେ ମହାନ୍ତି।

“ଓଡ଼ିଶା ଏବଂ ଆମ ଦେଶର ବିଭିନ୍ନ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରର ଅଭାବ ନାହିଁ। ଏସବୁ ସ୍ଥାନକୁ ବିଦେଶରେ ପ୍ରଚାର ପ୍ରସାର କରିବାର ବେଳ ଆସିଛି। ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକ କିପରି ଆମ ଦେଶକୁ ଆସିବେ ସେଥିପାଇଁ ଘରୋଇ ଟୁର୍‌ ଅପରେଟରମାନେ ଗୁରୁତ୍ୱ ଦେବା ଦରକାର। ବିଦେଶୀ ପର୍ଯ୍ୟଟକ ଆସିଲେ ହିଁ ଆମେ ଆମେ ଅଧିକ ବୈଦେଶିକ ମୁଦ୍ରା ଅର୍ଜନ କରିପାରିବା’’, କହିଥିଲେ ଜେ କେ ମହାନ୍ତି।

‘‘ପ୍ରତିବର୍ଷ ଭାରତୀୟମାନେ ଆମ ପଡ଼ୋଶୀ ଦେଶର ପର୍ଯ୍ୟଟନକ୍ଷେତ୍ର ବୁଲିବାକୁ ଯାଉଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ୯ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଘରୋଇ ଟୁର ଅପରେଟରମାନେ ଆଉଟ୍‌ ବାଉଣ୍ଡ ଟୁର ଅପରେଟର ହେବା ପାଇଁ ଚାହୁଁଛନ୍ତି। ଏହି ବ୍ୟବସ୍ଥାକୁ ବନ୍ଦ କରାଯାଇ ପର୍ଯ୍ୟଟକଙ୍କୁ ଆମ ଦେଶ ଭିତରେ ଥିବା ପର୍ଯ୍ୟଟନସ୍ଥଳୀରେ ବୁଲିବା ପାଇଁ ପରାମର୍ଶ ଦିଆଯିବା ଦରକାର। ଅଧିକ ପର୍ଯ୍ୟଟକ ଦେଶ ଭିତରେ ଥିବା ପର୍ଯ୍ୟଟନସ୍ଥଳ ବୁଲିଲେ ଆମ ପର୍ଯ୍ୟଟନର ପ୍ରଚାର ପ୍ରସାର ହେବା ସହ ରାଜସ୍ୱ ମଧ୍ୟ ବୃଦ୍ଧି ପାଇବ” କହିଥିଲେ ସ୍ୱସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ କେ ମହାନ୍ତି।

ଫିକି ଓ ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ହୋଇଛି ଓଡ଼ିଶା ଟ୍ରାଭେଲ୍ ବଜାରର ତୃତୀୟ ସଂସ୍କରଣ। ୨୦୧୭ରେ ଏହାର ପ୍ରଥମ ସଂସ୍କରଣ ଏବଂ ୨୦୧୮ରେ ଦ୍ୱିତୀୟ ସଂସ୍କରଣ ଆୟୋଜନ କରାଯାଇଥିଲା। ୧୪ ତାରିଖରୁ ଆରମ୍ଭ ହୋଇଥିବା ତୃତୀୟ ସଂସ୍କରଣ ୨୦ ତାରିଖ ଯାଏଁ ଚାଲିବ।

ଜେ କେ ମହାନ୍ତି ଆହୁରି କହିଥିଲେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ପ୍ରତ୍ୟେକ ଭାରତୀୟ ଅତି କମ୍‌ରେ ଦେଶର ୧୫ଟି ଘରୋଇ ପର୍ଯ୍ୟଟନସ୍ଥଳୀ ବୁଲିବା ଉଚିତ୍‌। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ କରୁଛନ୍ତି। ଘରୋଇ ଟୁର ଅପରେଟରମାନେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଦେଶ ବିଦେଶରେ ପ୍ରଚାର ପ୍ରସାର କରିବା ଦରକାର।’’

‘‘ଭୁବନେଶ୍ୱର ଭାରତର କ୍ରୀଡ଼ା ରାଜଧାନୀ ହୋଇ ସାରିଛି। ତେବେ ଓଡ଼ିଶାକୁ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ପର୍ଯ୍ୟଟନ ବିଭାଗ ପ୍ରୟାସ ଜାରି ରଖିଛନ୍ତି। ଏହି ପ୍ରୟାସ ନିଶ୍ଚିତ ଭାବେ ସଫଳ ହେବ”, କହିଥିଲେ ଜେ କେ ମହାନ୍ତି।

ଛଅ ଦିନର ମେଗା ଟ୍ରାଭେଲ ବଜାରରେ ମୋଟ୍ ୧୫ଟି ଦେଶରୁ ୨୫ ଜଣ ବିଦେଶୀ ଟୁର୍ ଅପରେଟର ଏବଂ ଭାରତର ୬୦ ଜଣ ଆଗଧାଡ଼ିର ଟୁର୍ ଅପରେଟର ଯୋଗ ଦେଇଛନ୍ତି। ଉଦ୍‌ଘାଟନୀ ସମାରୋହ ପରେ ‘ଇଣ୍ଡିଆଜ୍‌ ବେଷ୍ଟ କେପ୍ଟ ସିକ୍ରେଟ୍‌’ ଭାବେ ପରିଚିତ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନା ଉପରେ ଆଲୋଚନା କରାଯାଇଥିଲା।

ଦେଶ ଓ ଦେଶ ବାହାରୁ ଆସିଥିବା ଟୁର୍‌ ଅପରେଟରମାନେ ଓଡ଼ିଶାର ହୋଟେଲିୟର ଏବଂ ଟୁର୍‌ ଅପରେଟରମାନଙ୍କ ସହ ବି ଟୁ ବି ବୈଠକରେ ଆଲୋଚନା କରିବେ। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କେମିତି ପ୍ରଚାର ପ୍ରସାର କରାଯିବ ଏବଂ ଅଧିକ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ପ୍ରତି ଆକର୍ଷିତ ହେବା ବିଷୟରେ ଆଲୋଚନା କରାଯିବ। ବି ଟୁ ବି ବୈଠକ ତିନି ଦିନ ଧରି ଚାଲିବ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ କରିବାର ଶୈଳୀକୁ ପ୍ରଶଂସା କରିଥିଲେ ଜେ କେ ମହାନ୍ତି। ଓଡ଼ିଶା ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ପର୍ଯ୍ୟଟନ ବିଭାଗ ଯେଭଳି ଉଦ୍ୟମ କରୁଛନ୍ତି ତାହା ପ୍ରଶଂସନୀୟ ବୋଲି କହିଥିଲେ ଶ୍ରୀ ମହାନ୍ତି।

Comment