ମୋ ସ୍କୁଲ୍ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ ଓଡ଼ିଶାଲାଇଭ୍ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥଙ୍କ ସହ କଥାବାର୍ତ୍ତା ବେଳେ ଏହି ଅଭିଯାନର ଅଗ୍ରଗତି ସମ୍ପର୍କରେ ଯାହା କହନ୍ତି।
‘‘ଜୀବନରେ ଆଗେଇ ଯିବା ପାଇଁ କେତେ ବାଟ ରହିଛି। ଏହି ବାଟରେ ଚାଲିଲା ବେଳେ ପ୍ରତି ବ୍ୟକ୍ତିର ଅନୁଭୂତି ବେଶ୍ ଅଲଗା। ତେଣୁ ଆମେ ପୃଥିବୀର ଯେଉଁ କୋଣରେ ଥିଲେ ମଧ୍ୟ ଯେତେବେଳେ ଆମ ଗାଁ ବା ସହରର ମାଟିକୁ ଆସୁଛୁ, ଥରେ ନିଜ ସ୍କୁଲ୍କୁ ଯିବା ଦରକାର। ସେଠି ଯାଇ ଆଜିର ପିଢ଼ିର ପିଲାମାନଙ୍କ ସହ ନିଜର ଅନୁଭୂତି ବାଣ୍ଟିବା ଦରକାର। ତା’ ହେଲେ ଆମ ପିଲାମାନେ ସ୍କୁଲ୍ର ପୂର୍ବତନ ଛାତ୍ରଛାତ୍ରୀଙ୍କଠାରୁ ଅନେକ କଥା ଶିଖିପାରିବେ’’, ଓଡ଼ିଶାଲାଇଭ୍ର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥଙ୍କ ସହ କଥାବାର୍ତ୍ତା ବେଳେ ଏଭଳି ଆଶାବ୍ୟକ୍ତ କରିଛନ୍ତି ମୋ ସ୍କୁଲ୍ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ।
ମଣିଷ ଜୀବନର ମୂଳଦୁଆ ପଡ଼ିଥାଏ ସ୍କୁଲ୍ରେ। ତେଣୁ ଆମର ସ୍କୁଲ୍ଗୁଡ଼ିକୁ ବିକଶିତ କଲେ ଯେ ଭବିଷ୍ୟତ ପିଢ଼ିର ଜୀବନକୁ ବିକଶିତ କରାଯାଇପାରିବ ଏ କଥା ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ଅଧିକ କିଏ ବୁଝିପାରିବ? ଏହି ଚିନ୍ତାଧାରାକୁ ନେଇ ଗଢ଼ିଉଠିଛି ‘ମୋ ସ୍କୁଲ୍ ଅଭିଯାନ’। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ଏହି ନୂଆ ଢାଞ୍ଚାର ଅଭିଯାନ ଏକ ବଡ଼ ଆନ୍ଦୋଳନର ରୂପ ନେବାକୁ ଯାଉଛି। ମୋ ସ୍କୁଲ୍ ଅଭିଯାନର ଅଧ୍ୟକ୍ଷା ଶ୍ରୀମତୀ ବାଗ୍ଚୀଙ୍କ ଭାଷାରେ – ‘‘ଏ ତ’ ଆରମ୍ଭ ମାତ୍ର! ଆଗକୁ ଅନେକ ବାଟ ଯିବାକୁ ଅଛି।’’
ମୋ ସ୍କୁଲ୍ ଅଭିଯାନରେ ରାଜ୍ୟ ସରକାର ପ୍ରାୟ ୫୮ ହଜାର ହାଇସ୍କୁଲ୍କୁ ସାମିଲ୍ କରିଛନ୍ତି। ଏଥିପାଇଁ ଥିବା ୱେବ୍ସାଇଟ୍ www.moschool.in ମାଧ୍ୟମରେ ବିସ୍ତୃତ ତଥ୍ୟ ରହିଛି। ପ୍ରତିଟି ସ୍କୁଲ୍ ପାଇଁ ଗୋଟିଏ ପେଜ୍ ସୃଷ୍ଟି କରାଯାଇଛି। ତେଣୁ ପୁରାତନ ଛାତ୍ରଛାତ୍ରୀମାନେ ଏହି ୱେବ୍ସାଇଟ୍ ମାଧ୍ୟମରେ ନିଜ ସ୍କୁଲ୍କୁ ଖୋଜିପାରିବେ। କେବଳ ସେତିକି ନୁହେଁ ସେମାନେ ନିଜ ଇଛା ବା ସ୍ୱପ୍ନ ଅନୁଯାୟୀ ସ୍କୁଲ୍ର ବିକାଶ କ୍ଷେତ୍ରରେ ମଧ୍ୟ ସହଯୋଗର ସାଥୀ ହୋଇପାରିବେ।
‘‘ପୁରାତନ ଛାତ୍ରଛାତ୍ରୀମାନେ ଏକକ ଭାବରେ କିମ୍ବା ଏକଜୁଟ୍ ହୋଇ ପୁରାତନ ଛାତ୍ର ସଂଘ ମାଧ୍ୟମରେ ସେମାନଙ୍କ ସ୍କୁଲ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବାକୁ ଆମେ ଅନୁରୋଧ କରୁଛୁ। ସେମାନେ ନିଜେ କହିବେ ତାଙ୍କ ସ୍କୁଲ୍ରେ କି ପ୍ରକାର ବିକାଶର କାମ ସେମାନେ କରିବାକୁ ଚାହୁଁଛନ୍ତି। ଏବଂ ମୋ ସ୍କୁଲ୍ ଅଭିଯାନର ଆଭିମୁଖ୍ୟ ଅନୁଯାୟୀ ପୁରାତନ ଛାତ୍ରଛାତ୍ରୀମାନେ ଯେତିକି ଟଙ୍କା ଦାନ କରିବେ ସରକାର ତା’ର ଦୁଇ ଗୁଣା ଟଙ୍କା ସମ୍ପୃକ୍ତ ସ୍କୁଲ୍ର ବିକାଶ ପାଇଁ ଯୋଗାଇଦେବେ’’, ଓଡ଼ିଶାଲାଇଭ୍କୁ କହିଛନ୍ତି ସୁସ୍ମିତା।
ପ୍ରାୟ ୧୩ ମାସ ତଳେ ଆରମ୍ଭ ହୋଇଥିଲା ମୋ ସ୍କୁଲ୍ ଅଭିଯାନ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ହଜାର ସ୍କୁଲ୍ରେ ବିଭିନ୍ନ ବିକାଶମୂଳକ କାମ ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ୩୪ କୋଟି ଟଙ୍କା ଦାନ କରିଛନ୍ତି। ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟ ସରକାର ତା’ ସହିତ ତା’ର ଦୁଇଗୁଣା ଅର୍ଥାତ୍ ୬୮ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। କେତେକ ସ୍କୁଲ୍ରେ ନିର୍ଦ୍ଧାରିତ କାମ ସରିଥିବା ବେଳେ ଆଉ କେତେକ ସ୍କୁଲ୍ରେ କାମ ଆଗେଇ ଚାଲିଛି।
‘‘ନିକଟରେ ମୁଁ ସମ୍ବଲପୁର ଯାଇଥିଲି। ସେଠି ରହିଛି ନୃସିଂହ ଗୁରୁ ହାଇସ୍କୁଲ୍। ଏହି ସ୍କୁଲ୍ର ପୁରାତନ ଛାତ୍ର କରୁଣାକର ସୁପକାର ଏବଂ ତାଙ୍କ ସ୍ତ୍ରୀ ମିଶି ସ୍କୁଲ୍ରେ ଦୁଇଟି ନୂଆ କ୍ଲାସରୁମ୍ ପାଇଁ ୩ ଲକ୍ଷ ଟଙ୍କା ଦାନ କରିଥିଲେ। ଏହା ସହିତ ମୋ ସ୍କୁଲ୍ ପକ୍ଷରୁ ୬ ଲକ୍ଷ ଟଙ୍କା ମିଶାଇ ମୋଟ ୯ ଲକ୍ଷ ଟଙ୍କାର ଜମା ସୃଷ୍ଟି ହୋଇଥିଲା। ତେବେ ଏତିକି ଟଙ୍କାରେ ଦୁଇଟି ବଡ଼ କ୍ଲାସରୁମ୍ର ଆମୂଳଚୁଳ କାମ ସମ୍ଭବପର ନଥିଲା। କିନ୍ତୁ ମୁଁ ଆଜି ଖୁସିର ସହ କହିବାକୁ ଚାହୁଁଛି ଯେ ଏହି କାମ ନେଇଥିବା କଣ୍ଟ୍ରାକ୍ଟର ଅଧିକା ପଇସାକୁ ଅପେକ୍ଷା ନ କରି ନିଜ ପକେଟ୍ରୁ ବାକି ଟଙ୍କା ଗଣି କାମଟିକୁ ଅତି ସୁନ୍ଦର ଭାବରେ ଶେଷ କରିଛନ୍ତି’’, ମୋ ସ୍କୁଲ୍ ଅଭିଯାନର ସଫଳତାର ଗୋଟିଏ ଫର୍ଦ୍ଦ ଖୋଲି ଉପସ୍ଥାପନ କରିଛନ୍ତି ସୁସ୍ମିତା ବାଗ୍ଚୀ।
ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥଙ୍କ ସହ କଥାବାର୍ତ୍ତା ବେଳେ ସୁସ୍ମିତା ଏହିଭଳି ଆଉ କେତୋଟି ଉତ୍ସାହଜନକ ଘଟଣା ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ମୋ ସ୍କୁଲ୍ ଅଭିଯାନରେ ସାମିଲ୍ ହେବା ପାଇଁ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଆଗେଇ ଆସିଛନ୍ତି। ଆଗାମୀ ଦିନରେ ସେମାନଙ୍କ ସହଯୋଗରେ ଗାଁରୁ ସହର ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ସ୍କୁଲ୍ଗୁଡ଼ିକ ନୂଆ ରୂପ ନେବାକୁ ଯାଉଛି।
ମୋ ସ୍କୁଲ୍ ଅଭିଯାନର ସଫଳତାର ଆଉ ଗୋଟିଏ କାହାଣୀ ଦେଖିବାକୁ ମିଳିଛି କଟକର କଲିଜିଏଟ୍ ସ୍କୁଲ୍ରୁ। ଏହାର ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅମୀତ ସିଂ ଏବଂ ଝାନ୍ସୀ ସିଂ ପ୍ରଧାନ ସ୍କୁଲ୍ର ବିକାଶ ପାଇଁ ଦୁଇ ଲକ୍ଷ ଟଙ୍କା ଦେଇଥିଲେ। ଏହା ସହିତ ସରକାର ଚାରି ଲକ୍ଷ ଟଙ୍କା ଯୋଡ଼ି ଛଅ ଲକ୍ଷ ଟଙ୍କାର ଏକ ପାଣ୍ଠି ସ୍କୁଲ୍ର ଅଧ୍ୟକ୍ଷଙ୍କ ପାଖରେ ରହିଥିଲା। ଅମିତ ଓ ଝାନ୍ସୀ ଚାହିଁଲେ ଯେ ସ୍କୁଲ୍ରେ ଏକ ଉଚ୍ଚମାନର ରିଡିଂ ରୁମ୍ ଏବଂ ଦୁଇଟି ସ୍ମାର୍ଟ କ୍ଲାସ୍ ତିଆରି ହେଉ। ତାଙ୍କରି ଇଛା ଅନୁଯାୟୀ ଆଜି ସେଠାରେ ଏକ ଅତ୍ୟାଧୁନିକ ରିଡିଂ ରୁମ୍ ସହିତ ଦୁଇଟି ସ୍ମାର୍ଟ କ୍ଲାସ୍ ଗଢ଼ିଉଠିଛି। ରାଜ୍ୟରେ ବିଭିନ୍ନ ପ୍ରାନ୍ତରେ ଆଜି ଏହିଭଳି କାହାଣୀ ସତରେ ପରିଣତ ହେବାରେ ଲାଗିଛି।
ମୋ ସ୍କୁଲ୍ ଅଭିଯାନ ମାଧ୍ୟମରେ ରାଜ୍ୟରେ ବିଭିନ୍ନ ସ୍କୁଲ୍ରେ ଥିବା ଛୋଟବଡ଼ ସମସ୍ୟାର ସମାଧାନ ହେବା ସହିତ ବିଭିନ୍ନ ସ୍କୁଲ୍ର ବିକାଶ ସମ୍ଭବପର ହୋଇପାରିବ। ସବୁଠାରୁ ବଡ଼ କଥା ହେଉଛି ଏହି ବିକାଶର ଭାଗିଦାରୀ ହେବେ ଖୋଦ୍ ସ୍କୁଲ୍ର ପୁରାତନ ଛାତ୍ରଛାତ୍ରୀ। ଏହି ଅଭିଯାନରେ ଉଭୟ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲ୍ଗୁଡ଼ିକୁ ସାମିଲ୍ କରାଯାଉଛି।
‘‘ମୋ ସ୍କୁଲ୍ ୱେବ୍ସାଇଟ୍ରେ ପ୍ରତ୍ୟେକ ସ୍କୁଲ୍ର ପ୍ରଧାନ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ନାଁ ଏବଂ ଟେଲିଫୋନ୍ ନମ୍ବର ଦେବାକୁ ଆମେ ଚେଷ୍ଟା କରୁଛୁ। ତେଣୁ ଯେ କୌଣସି ସ୍କୁଲ୍ର ପୁରାତନ ଛାତ୍ରଛାତ୍ରୀ ୱେବ୍ସାଇଟ୍କୁ ଆସି ସ୍କୁଲ୍ର ବର୍ତ୍ତମାନର ଆବଶ୍ୟକତା ସମ୍ପର୍କରେ ଜାଣିପାରିବେ। ତା’ ସହିତ ସେମାନେ ସିଧାସଳଖ ପ୍ରଧାନ ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ସହ କଥାବାର୍ତ୍ତା କରିପାରିବେ। ଏହି ଯୋଗାଯୋଗ ଯେତେ ଫଳପ୍ରଦ ହୋଇପାରିବ ଆମ ରାଜ୍ୟର ଅଧିକରୁ ଅଧିକ ସ୍କୁଲ୍ର ବିକାଶ ପ୍ରକ୍ରିୟାରେ ପୁରାତନ ଛାତ୍ରଛାତ୍ରୀମାନେ ସେତେ ଅଧିକ ଯୋଗଦାନ କରିପାରିବେ’’, କହିଛନ୍ତି ସୁସ୍ମିତା ବାଗ୍ଚୀ।
ଅନ୍ୟ ପକ୍ଷରେ ବିଭିନ୍ନ ସ୍କୁଲ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀମତୀ ବାଗ୍ଚୀ କହିଛନ୍ତି ଯେ ସେମାନେ ସ୍କୁଲ୍ର ବିକାଶ ପାଇଁ ଚିନ୍ତା କରନ୍ତୁ। ମୋ ସ୍କୁଲ୍ ଅଭିଯାନରୁ ପ୍ରତ୍ୟେକ ସ୍କୁଲ୍ କିଭଳି ଫାଇଦା ପାଇବ ସେ ବାବଦରେ କାମ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। କୌଣସି ଜିନିଷରେ ମନରେ କିଛି ସନ୍ଦେହ ଥିଲେ ସିଧାସଳଖ ମୋ ସ୍କୁଲ୍ ଅଭିଯାନ ଅଫିସ୍ ସହ ଯୋଗାଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ମୋ ସ୍କୁଲ୍ ଅଭିଯାନ ସମ୍ପର୍କରେ କୌଣସି ପ୍ରକାର ପରାମର୍ଶ ପାଇଁ ପୁରାତନ ଛାତ୍ରଛାତ୍ରୀ ବା କୌଣସି ସ୍କୁଲ୍ର ଶିକ୍ଷକ ଶିକ୍ଷୟିତ୍ରୀ ଚିଫ୍ ଅପରେଟିଂ ଅଫିସର ଅମରଜିତ ଜେନା (ମୋବାଇଲ୍ – ୯୯୩୭୦୮୨୩୪୯) କିମ୍ବା ଓଏସ୍ଡି ଦିଲୀପ କୁମାର ମହାପାତ୍ରଙ୍କ (ମୋବାଇଲ୍ – ୯୪୩୭୪୦୪୭୩୭) ସହ ସିଧାସଳଖ କଥା ହୋଇପାରିବେ ବୋଲି ଅଧ୍ୟକ୍ଷା ସୂଚନା ଦେଇଛନ୍ତି।
ମୋ ସ୍କୁଲ୍ ଅଭିଯାନ ଅଧିନରେ ଆସୁଥିବା ଦାନ ରାଶିକୁ କିଭଳି ଭାବରେ ଠିକ୍ ବାଟରେ ବିନିଯୋଗ କରାଯିବ ତା’ ଉପରେ ସୁସ୍ମିତା ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ, ଏ ବାବଦରେ ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ଆସୁଥିବା ଟଙ୍କା ଏବଂ ସରକାର ଦେଉଥିବା ଟଙ୍କା ଏକ ସ୍ୱତନ୍ତ୍ର ଆକାଉଣ୍ଟରେ ଜମା ହେବ। ଏହି ଆକାଉଣ୍ଟର ଟଙ୍କା ଉଠାଇବା ପାଇଁ ଅନ୍ତତଃ ଦୁଇ ଜଣଙ୍କର ଦସ୍ତଖତ ଆବଶ୍ୟକ। ତା’ ଭିତରେ ପୁରାତନ ଛାତ୍ର ସଂଘର ଜଣେ ପ୍ରତିନିଧି ରହିପାରିବେ। ମୁଖ୍ୟତଃ ସ୍କୁଲ୍ର ପ୍ରଧାନ ଶିକ୍ଷକ ବା ଶିକ୍ଷୟିତ୍ରୀ ଏବଂ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଦାୟିତ୍ୱରେ ଏହିସବୁ ବିକାଶମୂଳକ କାର୍ଯ୍ୟ କରାଯାଉଛି। ଏଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟର ପରିଚାଳନା କ୍ଷେତ୍ରରେ ସବୁ ପ୍ରକାର ସ୍ୱଚ୍ଛତା ପାଳନ କରାଯାଉଛି ବୋଲି ଶ୍ରୀମତୀ ବାଗ୍ଚୀ ଦୃଢ଼ତା ପ୍ରକାଶ କରିଛନ୍ତି।
ମୋ ସ୍କୁଲ୍ ଅଭିଯାନରେ ଆସୁଥିବା ଟଙ୍କାର ବ୍ୟୟ ଏବଂ ବିକାଶମୂଳକ କାର୍ଯ୍ୟ ତଦାରଖ ପାଇଁ ବିଧିବଦ୍ଧ ଭାବେ ପୁରାତନ ଛାତ୍ର ସଂଘ ଗଠନ କିମ୍ବା ଏହାର ପଞ୍ଜୀକରଣର ଆବଶ୍ୟକତା ନାହିଁ। ପୁରାତନ ଛାତ୍ରଛାତ୍ରୀମାନେ ଅନୌପଚାରିକ ଭାବେ ସହଯୋଗ କରିପାରିବେ ଏବଂ ସେମାନେ ଯେଉଁ ଉଦ୍ଦେଶ୍ୟରେ ଦାନ କରୁଛନ୍ତି ସେ କାର୍ଯ୍ୟ କିଭଳି ଲାଗୁ ହେଉଛି ସେ କ୍ଷେତ୍ରରେ ମଧ୍ୟ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇପାରିବେ।
ମୋ ସ୍କୁଲ୍ ଅଭିଯାନରେ କେବଳ ପୁରାତନ ଛାତ୍ରଛାତ୍ରୀ ନୁହନ୍ତି, କୌଣସି ଅନୁଷ୍ଠାନ ଚାହିଁଲେ ମଧ୍ୟ ସହଯୋଗ କରିପାରିବେ। ସେ କ୍ଷେତ୍ରରେ ମଧ୍ୟ ସରକାର ଦୁଇ ଗୁଣା ମ୍ୟାଚିଂ ଗ୍ରାଣ୍ଟ୍ ଦେବାକୁ ପ୍ରସ୍ତୁତ ଅଛନ୍ତି।
ମୋ ସ୍କୁଲ୍ ଅଭିଯାନରେ ବିଭିନ୍ନ ଅନୁଷ୍ଠାନର ସହଯୋଗ କଥା ଉଠିଲେ କଟକ ଜିଲ୍ଲା ଏକ ଉଦାହରଣ ରୂପେ ଠିଆ ହୋଇଛି। ଜିଲ୍ଲାର ବିଭିନ୍ନ ସ୍କୁଲ୍ରେ ମ୍ୟାଟ୍ରିକ୍ ପରୀକ୍ଷାରେ ଫେଲ୍ ହେଉଥିବା ପିଲାମାନଙ୍କ ସଂଖ୍ୟା କିପରି କମା ଯାଇପାରିବ ସେ ଦିଗରେ ଜିଲ୍ଲା ପ୍ରଶାସନ ଏକ ବିଶେଷ କାର୍ଯ୍ୟ ହାତକ ନେଇଛି। ଏଥିପାଇଁ ଖେମ୍ଜୀ ଫାଉଣ୍ଡେସନ ୧୫ ଲକ୍ଷ ଟଙ୍କା ଏବଂ ଆରତି ଷ୍ଟିଲ୍ସ ୨୦ ଲକ୍ଷ ଟଙ୍କା ଯୋଗାଇ ଦେଉଛନ୍ତି। ଏହି ୩୫ ଲକ୍ଷ ଟଙ୍କା ସହିତ ସରକାର ୭୦ ଲକ୍ଷ ଟଙ୍କା ଯୋଡ଼ିବା ଫଳରେ ଏକ କୋଟି ପାଞ୍ଚ ଲକ୍ଷ ଟଙ୍କାର ଏକ ପାଣ୍ଠି ସୃଷ୍ଟି ହୋଇପାରିଛି। ଏହି ପାଣ୍ଠିର ବିନିଯୋଗ କରି ଏବେ ଗାଁ ଗାଁରେ ପିଲାମାନଙ୍କୁ ପାଠ୍ୟ ଉପକରଣ ଯୋଗାଇ ଦେବା ସହିତ ସେମାନେ କିଭଳି ପାଠ ପଢ଼ାରେ ମନଦେବେ ସେ ଦିଗରେ କାମ ଆରମ୍ଭ ହୋଇଛି।
ମୋ ସ୍କୁଲ୍ ଅଭିଯାନରେ ମୁଖ୍ୟତଃ ପୁରାତନ ଛାତ୍ରଛାତ୍ରୀମାନେ କ’ଣ ସବୁ କରିବାକୁ ଚାହୁଁଛନ୍ତି? ବା ଅନ୍ୟ ପକ୍ଷରେ ବିଚାର କଲେ ବିଭିନ୍ନ ସ୍କୁଲ୍ର ପ୍ରାଥମିକତା ଭିତରେ କେଉଁ ଜିନିଷଗୁଡ଼ିକ ରହିଛି? ଏହି ପ୍ରଶ୍ନର ଉତ୍ତର ଅତି ସରଳ ଭାବେ ଦେବାକୁ ଯାଇ ମୋ ସ୍କୁଲ୍ ଅଭିଯାନ ଅଧ୍ୟକ୍ଷା କହିଛନ୍ତି ଯେ, ପିଲାଙ୍କ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ପାଇଖାନା ଏବଂ ପିଇବା ପାଣି। ଏହି ମୌଳିକ ସମସ୍ୟାର ସମାଧାନ ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ବେଶ୍ ଗୁରୁତ୍ୱ ଦେଉଥିବା ମଧ୍ୟ ଦେଖିବାକୁ ମିଳୁଛି।
‘‘ମୁଁ ଯୁଆଡ଼େ ଯାଉଛି କେତେ ନୂଆ ନୂଆ କଥା ଶୁଣୁଛି। ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜ ସ୍କୁଲ୍ର ବିକାଶ ପାଇଁ ଯେଉଁଭଳି ଭାବେ ଆଗେଇ ଆସୁଛନ୍ତି ତା’ ଦେଖିବା କଥା। ମୁଁ ଆଶା କରୁଛି ଆଗାମୀ ଦିନରେ ଓଡ଼ିଶା ବାହାରେ, ଏପରିକି ଭାରତ ବାହାରେ ରହୁଥିବା ଓଡ଼ିଆମାନେ ସେମାନଙ୍କ ସ୍କୁଲ୍ ଲାଗି ସହଯୋଗର ହାତ ବଢ଼ାଇବାକୁ ଆଗେଇ ଆସିବେ’’, ଦୃଢ଼ ଆଶାବ୍ୟକ୍ତ କରିଛନ୍ତି ମୋ ସ୍କୁଲ୍ ଅଭିଯାନର ଅଧ୍ୟକ୍ଷା ତଥା ଲେଖିକା ସୁସ୍ମିତା ବାଗ୍ଚୀ।
‘ମୋ ସ୍କୁଲ୍’ ନିଶ୍ଚିତ ଭାବରେ ଏକ ନୂଆ ସ୍ୱପ୍ନ, ଏକ ନୂଆ ଅଭିଯାନ। ଏହି ଅଭିନବ ରାସ୍ତାରେ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହେବା ଖୁସିର କଥା। ସହଯୋଗ ହିସାବରେ କେବଳ ସେମାନେ ଯେ ଟଙ୍କା ଦେଉଛନ୍ତି ଏକଥା ନୁହେଁ। ଯେଉଁମାନେ ଚାହିଁବେ ଜିନିଷ ଆକାରରେ ମଧ୍ୟ ସହଯୋଗ କରି ଦିନେ ସେମାନେ ପଢ଼ୁଥିବା ସେହି ସ୍କୁଲ୍କୁ ବିକାଶର ଆଉ ଗୋଟିଏ ପାହାଚ ଆଗକୁ ନେବା କ୍ଷେତ୍ରରେ ଭୂମିକା ଗ୍ରହଣ କରିପାରିବେ।