ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଶା ଟ୍ରାଭେଲ ବଜାର ୨୦୧୯
  • ୧୬ଟି ଦେଶରୁ ଭାଗ ନେଇଥିଲେ ୨୫ ବିଦେଶୀ ଟୁର ଅପରେଟର
  • ୫୨ ଜଣ ଘରୋଇ ଟୁର୍‌ ଅପରେଟର ଭାଗ ନେଇଥିଲେ
  • ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ବୁଲିଲେ ଟୁର୍‌ ଅପରେଟର
  • ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରକୁ ପ୍ରଶଂସା କଲେ ବିଦେଶୀ ଅପରେଟର୍‌
  • ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ବିଦେଶରେ ସୋ’ କେସ୍‌ କରିବେ ଟୁର୍‌ ଅପରେଟର

ବି ଟୁ ବି ବୈଠକ ସହ ରବିବାର ଦିନ ଶେଷ ହୋଇଛି ଓଡ଼ିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣ। ଉଦ୍‌ଯାପନୀ ଦିବସରେ ଓଡ଼ିଶା ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଯାଦବ ଯୋଗ ଦେଇଥିଲେ। ସଫଳତାର ଓଡ଼ିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣ ଆୟୋଜନ କରାଯାଇଥିବାରୁ ସେ ସମସ୍ତ ଟୁର୍‌ ଅପରେଟର, ହୋଟେଲିୟର ଏବଂ ଫିକିକୁ ଧନ୍ୟବାଦ ଦେଇଥିଲେ।

‘‘ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ସରକାର ଅଧିକ ପୁଞ୍ଜି ନିବେଶ କରୁଛନ୍ତି। ଏଠାକାର ଆଇନ ଶୃଙ୍ଖଳା ବହୁତ ଭଲ। ଏହାଦ୍ୱାରା ପର୍ଯ୍ୟଟକମାନେ ଓଡ଼ିଶାକୁ ଆସିବା ପାଇଁ ଆଗ୍ରହ ଦେଖାଇବେ। ହୋଟେଲ, ପର୍ଯ୍ୟଟନକ୍ଷେତ୍ରରେ ରହିବା ଓ ରାସ୍ତାଘାଟ ମଧ୍ୟ ମହୁତ ଭଲ ଅଛି। ୨୪୦୦ ବି ଟୁ ବି ବୈଠକ ଅନୁଷ୍ଠିତ ହୋଇଛି। ଟୁର୍‌ ଅପରେଟରମାନେ ଓଡ଼ିଶାର ପର୍ଯ୍ୟଟନକୁ ନେଇ ବାହାରେ ସୋ’ କେସ୍‌ କରିବେ। ଟ୍ରାଇବାଲ ଟୁରିଜିମ୍‌ ଏକ ବଡ଼ ସମ୍ଭାବନା ହୋଇଥିବାରୁ ଏହା ଆର୍ଥିକ କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣିବ ଓ ଓଡ଼ିଶାକୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ’’, କହିଛନ୍ତି ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଯାଦବ।

ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଦେଶ ବିଦେଶରେ ପ୍ରଚାର ପ୍ରସାର କରିବା ପାଇଁ  ତିନି ବର୍ଷ ହେଲା ଭୁବନେଶ୍ୱରରେ ଓଡିଶା ପର୍ଯ୍ୟଟନ ବିଭାଗ ଓ ଫିକିର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି ଓଡ଼ିଶା ଟ୍ରେଭେଲ ବଜାର। ୭ ଦିନ ଧରି ଚାଲିଥିଲା ଓଡ଼ିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣ। ଶେଷ ଦିନରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ଟୁର୍‌ ଅପରେଟରମାନଙ୍କୁ ଅବଗତ କରିବା ପାଇଁ ଓଡ଼ିଶା ଟ୍ରାଭେଲ ବଜାରରେ ଓଡ଼ିଶାର ହୋଟେଲିୟର, ଟ୍ରାଭେଲ୍‌ସ କମ୍ପାନି, ଓଡ଼ିଶା ଓ ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଷ୍ଟଲ ଖୋଲା ଯାଇଥିଲା।

ଏହିସବୁ ଷ୍ଟଲକୁ ବିଦେଶୀ ଟୁର୍‌ ଅପରେଟରମାନେ ଆସୁଥିଲେ। ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଏବଂ ପର୍ଯ୍ୟଟକମାନଙ୍କ ପାଇଁ କ’ଣ ସବୁ ସୁବିଧା ରହିଛି ତାହା ପଚାରି ବୁଝିଥିଲେ।

‘‘ଓଡ଼ିଶା ଟ୍ରାଭେଲ ବଜାର ଓଡ଼ିଶାକୁ ଭାରତରେ ଉଚ୍ଚ ସ୍ଥାନକୁ ନେବ। ଆମେ ପର୍ଯ୍ୟଟନ ଭିତ୍ତିଭୂମି ସଜାଡୁଛୁ। ଅଧିକରୁ ଅଧିକ ପର୍ଯ୍ୟଟକ କେମିତି ଆସିବେ ସେନେଇ ଚେଷ୍ଟା କରୁଛୁ। ଏଦିଗରେ ବି ଟୁ ବି ବୈଠକ ଅଧିକ ସହାୟକ ହେବ। ଓଡ଼ିଶା ଟ୍ରାଭେଲ ବଜାରରୁ ଅଭତଜ୍ଞତା ନେଇ ଟୁର୍‌ ଅପରେଟରମାନେ ଓଡ଼ିଶାର ପର୍ଯ୍ୟଟନସ୍ଥଳ ସମ୍ପର୍କରେ ପର୍ଯ୍ୟଟକମାନଙ୍କୁ କହିବେ। କେତେ ପର୍ଯ୍ୟଟକ ପଠଇେଲେ ସେ ସମ୍ପର୍କରେ ତଥ୍ୟ ଦେବାକୁ ସେମାନଙ୍କୁ ଅନୁରୋଧ କରାଯାଇଛି’’, କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।

ପ୍ରମୁଖ ପର୍ଯ୍ୟଟନସ୍ଥଳରେ କେଉଁ ହୋଟେଲ ସବୁ ରହିଛି, ପର୍ଯ୍ୟଟକଙ୍କ ଯିବା ଆସିବା ପାଇଁ କ’ଣ ସୁବିଧା ରହିଛି, ସେଠାକାର ଲୋକଙ୍କର ଭାଷା,ସଂସ୍କୃତି ଓ ଆତିଥ୍ୟ ସଂପର୍କରେ ପଚାରି ବୁଝିଥିଲେ। ୧୬ଟି ଦେଶରୁ ଆସିଥିବା ୨୫ ଜଣ ବିଦେଶୀ ଟୁର ଅପରେଟରମାନେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରଶଂସା କରିଥିଲେ। ପ୍ରାୟ ୫୨ ଜଣ ଘରୋଇ ଟୁର ଅପରେଟର ଏହି ବି ଟୁ ବି ବୈଠକରେ ଭାଗ ନେଇଥିଲେ।

‘‘ମୁଁ ଓଡ଼ିଶା ଟ୍ରିପ୍‌କୁ ଉପଭୋଗ କଲି। ଓଡ଼ିଶାର ଲୋକମାନଙ୍କ ସହିତ ମିଶିଲି। ସ୍ଥାନୀୟ ଲୋକମାନେ ଅତ୍ୟନ୍ତ ଶାନ୍ତ ଓ ସରଳ। ଆମ ସହିତ ମିଶିବା ପାଇଁ ମଧ୍ୟ ଆଗ୍ରହୀ। ମୁଁ ଯାହା ଆଶା କରି ଆସିଥିଲି ତାଠାରୁ ଅଧିକ ଅଭିଜ୍ଞତା ପାଇଲି’’, କହିଛନ୍ତି ଜର୍ମାନୀ ଟୁର୍‌ ଅପରେଟର ସାହାନା ସାଗଲେ।

ତୃତୀୟ ସଂସ୍କରଣ ଟ୍ରାଭେଲ ବଜାରରେ ଘରୋଇ ଓ ବିଦେଶୀ ଟୁର ଅପରେଟରଙ୍କ ଉତ୍ସାହ ଟିକେ ଅଧିକ ଥିଲା। ବିଶେଷକରି ପାରମ୍ପରିକ ପର୍ଯ୍ୟଟନସ୍ଥଳୀଗୁଡ଼ିକ ସହିତ ଇକୋ ଟୁରିଜିମ, ସ୍ପୋର୍ଟସ ଟୁରିଜିମ୍ ଓ ଟ୍ରାଇବାଲ ଟୁରିଜିମ ଭଳି ନୂଆ ପର୍ଯ୍ୟଟନ କ୍ଷେତ୍ର ପ୍ରତି ସମସ୍ତେ ଆକର୍ଷିତ ଥିଲେ। ଇକୋ ଟୁରିଜିମ, ସ୍ପୋର୍ଟସ ଟୁରିଜିମ୍ ଓ ଟ୍ରାଇବାଲ ଟୁରିଜିମରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଥିବାରୁ ଅଗାମୀ ଦିନରେ ଓଡ଼ିଶାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ ବୋଲି ଆଶା କରିଥିଲେ ବିଦେଶୀ ଟୁର୍‌ ଅପରେଟର।

‘‘ମଁ ଦକ୍ଷିଣ ଆଫ୍ରିକାରେ ଗୋଟେ ଟୁରିଷ୍ଟ ଅପରେଟର ସଂସ୍ଥାରେ କାମ କରୁଛି। ମୋ ମ୍ୟାନେଜର ମତେ ଅଭିଜ୍ଞତା ପାଇଁ ଓଡ଼ିଶା ପଠାଇଥିଲେ। ଓଡ଼ିଶା ଟ୍ରାଭେଲ ବଜାରରେ ଯୋଗ ଦେଇ ମୁଁ ଖୁସି। ଓଡ଼ିଶା ପ୍ରାକୃତିକ ସମ୍ପଦରେ ଭରପୂରା। ଓଡ଼ିଶାର ସମୁଦ୍ର କୂଳ ହେଉଛି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ। ବେଳାଭୂମି ବହୁତ ସୁନ୍ଦର’’, କହିଛନ୍ତି ଦକ୍ଷିଣ ଆଫ୍ରିକାର ତରିସା।

ଗତ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଟ୍ରାଭେଲ ବଜାର-୨୦୧୯କୁ ଉଦଘାଟନ କରିଥିଲେ। ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ସ୍ପୋର୍ଟସ୍‌ ଟୁରିଜିମ୍‌ ଓଡ଼ିଶାକୁ ନୂଆ ପରିଚୟ ଦେଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଫିକିର ପୂର୍ବତନ ସଭାପତି ତଥା ଲଳିତ ଗ୍ରୁପ୍ ଅଫ୍ ହୋଟେଲ୍‌ସର ସିଏମ୍‌ଡି ଲଳିତ ସୁରି ଅତିଥି ଭାବେ ଯୋଗଦେଇ ଓଡିଶାକୁ ପର୍ଯ୍ୟଟନ କ୍ଷେତ୍ରରେ ‘ବେଷ୍ଟ କେପ୍ଟ ସିକ୍ରେଟ୍ ସିଟି ଅଫ ଇଣ୍ଡିଆ’ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ, ଫିକି ପୂର୍ବାଞ୍ଚଳ ଅଧ୍ୟକ୍ଷ ସୌଭାଗ୍ୟ ମହାପାତ୍ର ଓ ଫିକି ସର୍ବଭାରତୀୟ ଟୁରିଜିମ୍ କମିଟିର ଯୁଗ୍ମ ଅଧ୍ୟକ୍ଷ ଜେ କେ ମହାନ୍ତି ଯୋଗ ଦେଇ ଓଡ଼ିଶା ପର୍ଯ୍ୟଟନକୁ ଆଗକୁ ନେବା ପାଇଁ ଟୁର୍‌ ଅପରେଟରମାନଙ୍କୁ ଆହ୍ୱାନ ଦେଇଥିଲେ।

ଘରୋଇ ଓ ବିଦେଶୀ ଟୁର ଅପରେଟରମାନେ ଓଡ଼ିଶାର ବଭିନ୍ନ ପର୍ଯ୍ୟଟନ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ। ଭିତରକନିକା, ସାତକୋଶିଆ, ଚିଲିକା, ଖଣ୍ଡଗିରି-ଉଦୟଗିରି, ରତ୍ନଗିରି-ଲଳିତଗିରି, ପୁରୀ-କୋଣାର୍କ ଏବଂ ଭୁବନେଶ୍ୱର ସହରରେ ଥିବା ଏକାମ୍ର ହେରିଟେଜ ଓ କଳା-ସ୍ଥପତିର ମ୍ୟୁଜିୟମ କଳାଭୂମୀ ବୁଲି ଦେଖିଥିଲେ।

ଚିଲିକାରେ ଥିବା ସ୍ୱସ୍ତି ଚିଲିକା ରିସର୍ଟରେ ରାତିରେ ରହି ବୋଟ୍‌ରେ ଚିଲିକାର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ। ଭିତରକନିକାରେ ବୋଟ୍‌ରେ ଅଭୟାରଣ୍ୟ ବୁଲିବା, ଅନୁଗୁଳର ସାତକୋଶିଆର ଅପୂର୍ବ ଶୋଭାକୁ ଉପଭୋଗ କରି ନୂଆ ଅଭିଜ୍ଞତା ହାସଲ କରିଥିଲେ ଟୁର୍‌ ଅପରେଟର।

ବିଦେଶୀ ଟୁର ଅପରେଟରମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା କୋଣାର୍କ। ଚନ୍ଦ୍ରାଭାଗାର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖି ୟୁକ୍ରେନରୁ ଆସିଥିବା ଟୁର ଅପରେଟର ୟୁରୀ ଗ୍ରାବ୍ ବିଭୋର ହୋଇଯାଇଥିଲେ। ସେହିପରି ନେଦରଲାଣ୍ଡରୁ ଆସିଥିବା ଟୁର ଅପରେଟର ଗୋପିନାଥ ଜଗଦିଶଙ୍କୁ ଭଲ ଲାଗିଥିଲା ଭିତରକନିକା ଓ ସାତକୋଶିଆର ପ୍ରାକୃତିକ ସବୁଜ ଓ ଶାନ୍ତ ପରିବେଶ।

ପୂର୍ବରୁ ଟୁର ଅପରେଟରମାନେ ନିଜସ୍ୱ ଉଦ୍ୟମରେ ରାଜ୍ୟ ବାହାରୁ ଓ ଦେଶ ବାହାରୁ ଅଧିକରୁ ଅଧିକ ପର୍ଯ୍ୟଟକ କିପରି ଆସିବେ ସେଥିପାଇଁ ଉଦ୍ୟମ କରୁଥିଲେ। ଏବେ କିନ୍ତୁ ସରକାର ତିନି ବର୍ଷ ହେବ ଓଡ଼ିଶା ଟ୍ରାଭେଲ ବଜାର ମାଧ୍ୟମରେ ଓଡ଼ିଶାର ହୋଟେଲ, ଟ୍ରାଭେଲ୍‌ସ ଏବଂ ଟୁର ଅପରେଟରମାନଙ୍କ ପାଇଁ ବଡ ପ୍ଲାଟଫର୍ମ ଯୋଗାଇ ଦେଉଛନ୍ତି ବୋଲି ମତ ଦେଇଥିଲେ ହୋଟେଲ ମାଲିକ ଓ ଟ୍ରାଭେଲସ ମାଲିକମାନେ।

‘‘ସରକାର ଓଡ଼ିଶା ଟ୍ରାଭେଲ ବଜାର ମାଧ୍ୟମରେ ଅଧିକରୁ ଅଧିକ ଟୁର୍‌ ଅପରେଟରଙ୍କୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି। ଏଥର ଅଧିକ ଘରୋଇ ଟୁର୍‌ ଅପରେଟର ଆସିଥିଲେ। ସେମାନଙ୍କ ମାଧ୍ୟମରେ ଆମେ ସଡ଼ିଶାକୁ ଏକ ପ୍ୟାକେଜ ହିସାବରେ ବିକ୍ରି କରିପାରିବା। ବିଦେଶୀ ଟୁର୍‌ ଅପରେଟରମାନେ ଓଡ଼ିଶାକୁ ସାରା ବିଶ୍ୱରେ ପର୍ଯ୍ୟଟନର ଏକ ସୋ’ କେସ୍‌ ଭାବେ ଦର୍ଶାଇ ପାରିବେ’’, କହିଛନ୍ତି ହୋଟେଲ ମାରିଅନର ମ୍ୟାନେଜର ସମୀର ଅଲ୍ଲି।

Comment