ଓଡ଼ିଶାଲାଇଭ୍ ବ୍ୟୁରୋ

ଫାଇଲ୍ ଫଟୋ

ଆଜି ବିଜେପୁର ଉପନିର୍ବାଚନ। ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ ମତଦାନ। ବିଜେପୁର ଭୋଟର ଆଗାମୀ ୫ ବର୍ଷ ପାଇଁ ସେମାନଙ୍କ ନେତା ବାଛିବେ।

ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହେବା ପରେ ବିଜେପୁର ଅଞ୍ଚଳର ହୋଇ ନଥିବା ଲୋକଙ୍କୁ ବାହାରି ଯିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଏସ୍‌ କେ ଲୋହାନୀ କହିଥିଲେ।

ବିଜେପୁରରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ୨୮୫ଟି ବୁଥ୍‌ ହୋଇଛି। ୨ ଲକ୍ଷ ୩୨ ହଜାର ୨୬୪ ଭୋଟର ମତଦାନ କରିବେ। ବିଜେପୁରରେ ୧୨୯ଟି ସମ୍ବେଦନଶୀଳ ଓ ୬ଟି ମାଓ ପ୍ରବଣ ବୁଥ୍‌ ରହିଛି। ୧୪ଟି ସ୍ଥାନରେ ସିସିଟିଭି ଓ ୭୭ଟି ସ୍ଥାନରେ ମାଇକ୍ରୋ ଅବଜର୍‌ଭର୍‌ ରହିବେ। ନିର୍ବାଚନ ପରିଚାଳନା ପାଇଁ ୧ ହଜାର ୮୯୫ କର୍ମଚାରୀ ନିୟୋଜିତ ହୋଇଛନ୍ତି।

୨୭୫୦ ଦିବ୍ୟାଙ୍ଗ ଭୋଟର ମତଦାନ କରିବେ। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପ୍ରତି ବୁଥ୍‌ରେ ୨ ଜଣ ସ୍ୱେଚ୍ଛାସେବୀ ରହିବେ ବୋଲି ଲୋହାନୀ ସୂଚନା ଦେଇଛନ୍ତି।

ବିଜେପୁର ମଇଦାନରେ ଅଛନ୍ତି ୫ ପ୍ରାର୍ଥୀ। ବିଜେଡିରୁ ରୀତା ସାହୁ, ବିଜେପିରୁ ସନତ ଗଡ଼ତିଆ ଏବଂ କଂଗ୍ରେସରୁ ଦିଲ୍ଲୀପ ପଣ୍ଡାଙ୍କ ସମେତ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ତେବେ ବିଜେଡି ଏବଂ ବିଜେପି ପ୍ରାର୍ଥୀଙ୍କ ଭିତରେ କଡ଼ା ଟକ୍କର ହେଉଥିବା ପ୍ରଚାରରୁ ଜଣାପଡ଼ିଛି।

କଂଗ୍ରେସ ଦୁର୍ଗକୁ ଭାଙ୍ଗି ବିଜେଡି ଏଠାରେ ପତିଆରା ଜମାଇଥିବାରୁ ପୁଣି ଥରେ ବିଜେପୁର ଦଖଲ କରିବା ପାଇଁ ବିଜେଡି ଅଙ୍କ କଷିଛି। ଏପଟେ ବିଜେପି ମଧ୍ୟ ବିଜେପୁରରେ ଗେରୁଆ ବାନା ଉଡ଼ାଇବା ପାଇଁ ଜୋରଦାର ପ୍ରୟାସ କରିଛି। ତେବେ ଭୋଟର କାହାକୁ ୫ ବର୍ଷ ପାଇଁ ନେତା ବାଛୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

Comment