ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ସହରର ବିକାଶ ପାଇଁ ଅବଢ଼ା ଯୋଜନାରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍‌।

ବଦଳିବ ପୁରୀ ଜିଲ୍ଲାପାଳ ଅଫିସ୍‌ର ନାଁ। ଏହାକୁ ପୁରୀ ଲୋକସେବା ଭବନ ନାଁରେ ନାମିତ କରାଯିବ। ୧୦ ଏକର ଜାଗାରେ ତିଆରି ହେବ ପୁରୀ ଲୋକସେବା ଭବନ। ରାଜ୍ୟ ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ଗତ କିଛି ମାସ ତଳେ ରାଜ୍ୟ ସରକାର ସଚିବାଳୟର ନାଁ ବଦଳାଇଥିଲେ। ଲୋକସେବା ଭବନ ନାଁରେ ନାମିତ କରାଯାଇଥିଲା। ଏବେ ପୁରୀ ଜିଲ୍ଲାପାଳଙ୍କ ଅଫିସ୍‌ର ନାଁ ବଦଳାଇବାକୁ ନିଷ୍ପତ୍ତି ହୋଇଛି।

ଏହାସହ ପୁରୀ ସହରର ବିକାଶ ପାଇଁ ରାଜ୍ୟ ସରକାର ୩୨୦୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଅବଢ଼ା ଯୋଜନାରେ ଏହି ଟଙ୍କା ମଞ୍ଜୁର କରାଯାଇଛି। ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବା ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି।

୩ ବର୍ଷ ଭିତରେ ୩୨୦୮ କୋଟି ଟଙ୍କାରେ ପୁରୀର ବିକାଶମୂଳକ କାମ କରାଯିବ। ୧୫ଟି ପ୍ରକଳ୍ପ ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯିବ।

ଅବଢ଼ା ଯୋଜନାରେ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ଐତିହ୍ୟ କ୍ଷେତ୍ରର ବିକାଶ, ଶ୍ରୀ ସେତୁ ପ୍ରକଳ୍ପ, ମୂଷା ନଦୀର ପୁନରୁଦ୍ଧାର, ବହୁତଳ କାର୍‌ ପାର୍କିଂ, ଜଗନ୍ନାଥ ବଲ୍ଲଭ ତୀର୍ଥ ଯାତ୍ରୀ କେନ୍ଦ୍ର, ଗୃହ ନିର୍ମାଣ, ରଘୁ ନନ୍ଦନ ପାଠାଗାର, ଆଚାର୍ଯ୍ୟ ହରିହର ଛକର ପୁନଃ ଉନ୍ନତିକରଣ, ଅଠରନଳା ଐତିହ୍ୟର ଉନ୍ନତିକରଣ, ବିଭିନ୍ନ ମଠର ଉନ୍ନତିକରଣ ପାଇଁ ୩୨୦୮ କୋଟି ଟଙ୍କା ମଞ୍ଜୁର ହୋଇଛି।

୨୦୧୯-୨୦ରେ ୭୧୯ କୋଟି, ୨୦୨୦-୨୧ରେ ୧୪୦୨ କୋଟି, ୨୦୨୧-୨୨ରେ ୧୦୮୭ କୋଟି ଟଙ୍କା ବ୍ୟୟ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା କ୍ୟାବିନେଟ୍‌ ବୈଠକ। ଏହି ବୈଠକରେ ପୁରୀ ସହରର ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହାସହ ୧୦ଟି ପ୍ରସ୍ତାବକୁ ମଞ୍ଜୁର ମିଳିଥିଲା।

Comment