ଓଡ଼ିଶାଲାଇଭ ବ୍ୟୁରୋ

ବାଲେଶ୍ଵରରେ ସମ୍ବର୍ଦ୍ଧିତ ହୋଇଛନ୍ତି ଦୁଇ ବିଶ୍ଵବିଦ୍ୟାଳୟର କୁଳପତି। ବାଲେଶ୍ଵରସ୍ଥିତ ଜାଇକା ଇଣ୍ଟରନ୍ୟାସନାଲ ହୋଟେଲର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରେ ସମ୍ବର୍ଦ୍ଧିତ ହୋଇଛନ୍ତି ଦୁଇ ବିଶ୍ଵବିଦ୍ୟଳୟର କୁଳପତି। କିଟ୍‌ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ହରେକୃଷ୍ଣ ଶତପଥୀ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର୍ ଡକ୍ଟର ହରିହର ହୋତାଙ୍କୁ ମନୋଜ୍ଞ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି।

ବାଲେଶ୍ଵରସ୍ଥିତ ଜାଇକା ଇଣ୍ଟରନ୍ୟାସନାଲ ହୋଟେଲର ସମ୍ମିଳନୀ କକ୍ଷରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ପରିଷଦ ଆନୁକୂଲ୍ୟରେ ମନୋଜ୍ଞ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବାଲେଶ୍ୱରର ଜନନେତା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଯୋଗ ଦେଇ ଦୁଇ କୁଳପତିଙ୍କୁ ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଏହି ଉତ୍ସବରେ ଯୋଗ ଦେଇ ରବିନ୍ଦ୍ର ଜେନା କହିଛନ୍ତି ଯେ, ସଂସ୍କୃତ ଆଜି ସମଗ୍ର ବିଶ୍ୱରେ ବିକଶିତ ଦେଶମାନଙ୍କର ପାଠ୍ୟକ୍ରମ ଭାବେ ସ୍ଥାନ ପାଇ ବେଶ୍ ଆଦୃତ ହୋଇପାରିଛି। ଜିଲ୍ଲାରେ ଆଦିଭାଷା ସଂସ୍କୃତ ଶିକ୍ଷାର ଉନ୍ନତି ପାଇଁ ସେ ସହଯୋଗ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ମୁଖ୍ୟବକ୍ତା ଭାବରେ ପୂର୍ବତନ ବିଧାୟକ  ସୁଦର୍ଶନ ଜେନା ଯୋଗ ଦେଇ କେତୋଟି ସଂସ୍କୃତ ଶ୍ଳୋକ ଆବୃତ୍ତ କରିବା ସହିତ ଆୟୋଜକମାନଙ୍କୁ ଧନ୍ୟବାଦ ଦେଇଥିଲେ। ସମ୍ବର୍ଦ୍ଧନାର ଶେଷରେ ପ୍ରଫେସର ହରେକୃଷ୍ଣ ଶତପଥୀ ବାଲେଶ୍ୱର ମାଟିର ଗୌରବ ଏବଂ ସଂସ୍କୃତ ସାହିତ୍ୟକୁ ବାଲେଶ୍ୱରର ଅବଦାନ ସମ୍ପର୍କରେ ସୂଚନା ଦେଇ ବ୍ୟାସକବି ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରମୁଖଙ୍କ ଉଦାହରଣ ଦେଇଥିଲେ।

Comment