ଓଡ଼ିଶାଲାଇଭ ବ୍ୟୁରୋ

ଆଇଆଇଏମ୍‌ସି ଢେଙ୍କାନାଳରେ ଓକ୍ସଫାମ ତରଫରୁ ‘ଗଣମାଧ୍ୟମରେ ଲିଙ୍ଗଗତ ପ୍ରସଙ୍ଗ ଓ ସମାନତା’ ଉପରେ କର୍ମଶାଳା ଆୟୋଜିତ ହୋଇଛି।

ଢେଙ୍କାନାଳ: ଝିଅଟିଏ କ’ଣ କରିବ? ଶେଷରେ ତ ସେ ରୋଷେଇ ଘରକୁ ଯିବ। ଝିଅଙ୍କ ପ୍ରତି ଏମିତି ମନୋଭାବ କେବଳ ଅଶିକ୍ଷିତ ନୁହେଁ, ବରଂ ଶିକ୍ଷିତ ପରିବାରରେ ମଧ୍ୟ ରହିଛି। ତେବେ ନାରୀର ଅଧିକାର ପାଇଁ ଆମର ଦୃଷ୍ଟିଭଙ୍ଗୀ ପ୍ରଥମେ ପରିବର୍ତ୍ତନ କରିବା ଜରୁରୀ ବୋଲି କହିଛନ୍ତି ଓକ୍ସଫାମ୍‍ ଇଣ୍ଡିଆର ଆଞ୍ଚଳିକ ମ୍ୟାନେଜର ଅକ୍ଷୟ କୁମାର ବିଶ୍ୱାଳ।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମ୍‍ସି)ରେ ଓକ୍ସଫାମ୍‍ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ହୋଇଛି ‘ଗଣମାଧ୍ୟମରେ ଲିଙ୍ଗଗତ ପ୍ରସଙ୍ଗ ଓ ସମାନତା’ ଉପରେ ଏକ କର୍ମଶାଳା। ଏଥିରେ ଯୋଗଦେଇ ଅକ୍ଷୟ କୁମାର ବିଶ୍ଵାଳ କହିଛନ୍ତି, “ଘରେ ଘରେ ମହିଳାଙ୍କ ପ୍ରତି ଅବହେଳା କରାଯାଉଛି। ପାଠପଢ଼ା ହେଉ କି ଉଚ୍ଚଶିକ୍ଷା କି ନିଯୁକ୍ତି କ୍ଷେତ୍ର, ସବୁଠି ଝିଅମାନଙ୍କ ଗୁରୁତ୍ୱ କମ୍‍। ଦେଶରେ ଲକ୍ଷଲକ୍ଷ ଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ପୁଅ ଓ ଝିଅଙ୍କୁ ସମାନ ସୁଯୋଗ ଦିଆଯାଉନି। ଦୁଃଖର କଥା ଅନେକ ଶିକ୍ଷିତ ପରିବାର ତଥା ରାଜନେତା, ସେଲିବ୍ରିଟିଙ୍କ ପରିବାରରେ ମଧ୍ୟ ନାରୀଙ୍କ ପ୍ରତି ଏମିତି ମନୋଭାବ ଆଜିର ଦିନରେ ରହିଛି।“

କେବଳ ଏତିକି ନୁହେଁ, ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ମହିଳାମାନେ ପଛରେ ରହୁଛନ୍ତି। ଏକ ସର୍ବେକ୍ଷଣ ଅନୁସାରେ ମାତ୍ର ୯ ପ୍ରତିଶତ ମହିଳାଙ୍କ ନାଁରେ ସମ୍ପତ୍ତି ରହିଛି। ଅନ୍ୟପକ୍ଷରେ ପୁରୁଷମାନେ ବଂଶଗତଭାବେ ସମ୍ପତ୍ତିର ମାଲିକାନା ଦଖଲ କରିଚାଲିଛନ୍ତି। ସେହିପରି ୬୦ ପ୍ରତିଶତ ମହିଳାଙ୍କର କୌଣସି ମୂଲ୍ୟବାନ ସମ୍ପଦ ମଧ୍ୟ ନାହିଁ ବୋଲି କହିଛନ୍ତି ଅକ୍ଷୟ କୁମାର ବିଶ୍ଵାଳ।

ସେହିପରି ଅକ୍ସଫାମ୍‍ ଇଣ୍ଡିଆର ରୁକ୍ମଣୀ ପଣ୍ଡା କହିଛନ୍ତି, “ଆଜିର ଦିନରେ ମଧ୍ୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଅନେକ କ୍ଷେତ୍ରରେ ଅସମାନତା ରହୁଛି। ମହିଳାମାନେ ଅନେକ ସମୟରେ ସେମାନଙ୍କର ଅଧିକାର ପାଇପାରୁନାହାନ୍ତି। ଅନେକ ସମୟରେ ଅବେହଳା ଓ ନିର୍ଯାତନାର ଶିକାର ହେଉଛନ୍ତି। ତେବେ ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଗଣମାଧ୍ୟମ ଯେତିକି ଗୁରୁତ୍ୱ ଦେବା କଥା ସେତିକି ଦେଉନି।“

ଆରମ୍ଭରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, “ଲିଙ୍ଗଗତ ପ୍ରସଙ୍ଗ ଉପରେ ଗଣମାଧ୍ୟମରେ ଖବର ପରିବେଷଣ କରିବା ବେଳେ ସାମ୍ବାଦିକମାନେ ବେଶ୍‍ ସଚେତନ ହେବା ଜରୁରୀ। କାରଣ ଲିଙ୍ଗଗତ ପ୍ରସଙ୍ଗରେ ଆମେ କେବଳ ମହିଳାମାନଙ୍କ ପ୍ରସଙ୍ଗ ଉପରେ ଆଲୋଚନା କରିବା ଉଚିତ ନୁହେଁ। ପୁରୁଷଙ୍କ କଥା ମଧ୍ୟ ଗୁରୁତ୍ୱ ଦେବା ଜରୁରୀ। ଖବର ପ୍ରସ୍ତୁତ ବେଳେ ଏହାକୁ ଆମ ମନ ଭିତରେ ରଖିବାକୁ ହେବ।“

ଏକ ଉଦାହରଣ ମାଧ୍ୟମରେ ଡକ୍ଟର ଚାଟାର୍ଜୀ କହିଛନ୍ତି ଯେ, ଯଦି ଏଠାରେ ଆମେ ଯୌତୁକ ନିୟମକୁ ଉଲ୍ଲେଖ କରିବା, ତେବେ ପୁରୁଷଙ୍କ ବିରୋଧରେ ଏହି ନିୟମ ଯାଉଛି ବୋଲି କୁହାଯାଇପାରେ। ନିୟମ ଅନୁସାରେ ଯଦି ଜଣେ ମହିଳା ଯୌତୁକ ନିର୍ଯାତନା ଅଭିଯୋଗ କରେ, ତେବେ ପରିବାରର ସମସ୍ତ ପୁରୁଷ ସଦସ୍ୟଙ୍କୁ ବିନା ତଦନ୍ତରେ ପୁଲିସ୍‍ ଗିରଫ କରିପାରେ। ଏମିତିକି ପୁରୁଷ ସଦସ୍ୟ ନିଜ ପକ୍ଷ ରଖିବାର ସୁଯୋଗ ମଧ୍ୟ ନଥାଏ। ଏହା ମଧ୍ୟ ଏକପ୍ରକାର ଅସମାନତା।

ପରେ ଛାତ୍ରଛାତ୍ରୀମାନେ ଏ ପ୍ରସଙ୍ଗ ଉପରେ କେତୋଟି କେସ୍‍ ଷ୍ଟଡିର ସମୀକ୍ଷା କରିବା ସହ ଏ ସମ୍ପର୍କିତ ରିପୋର୍ଟ ଲିଖନର ଶୈଳୀ ଉପରେ ଆଲୋଚନା କରାଯାଇଥିଲା ।

Comment