ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଚାଷୀଙ୍କୁ ‘କାଳିଆ’ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ଦିଆଯିବ। ରାଜ୍ୟ ସରକାର ଆଜି ଏହି ଘୋଷଣା କରିବା ପରେ ଅନିଶ୍ଚିତତା ଭିତରେ ଥିବା ଯୋଗ୍ୟ ଚାଷୀଙ୍କ ମନରେ ଆଶା ସଞ୍ଚରିତ ହୋଇଛି।

ହେଲେ ଯେଉଁ ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ଗତ ଦୁଇ ମାସ ହେଲା ସରକାର ଏତେ କସରତ କରୁଥିଲେ ସେମାନଙ୍କଠାରୁ କେବେ ଟଙ୍କା ଆଣିବେ ସେନେଇ କୌଣସି ସୂଚନା ଦେଇ ନାହାନ୍ତି। ଫଳରେ ଅଯୋଗ୍ୟ ହିତାଧିକାରୀଙ୍କଠାରୁ କାଳିଆ ଟଙ୍କା ଫେରାଇ ଆଣିବା ଆଉ ସମ୍ଭବ ନୁହେଁ ବୋଲି ଚର୍ଚ୍ଚା ହେଉଛି।

ନିଜେ କୃଷିମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଗତ ସେପ୍ଟେମ୍ବର ୧୭ ତାରିଖରେ କହିଥିଲେ ଯେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ନେଇଛନ୍ତି।

ସେମାନଙ୍କ ଭିତରେ ୧୨ ହଜାର ବଡ଼ ଚାଷୀ ରହିଥିବା ବେଳେ ୯ ହଜାର ନାବାଳକ ଓ ନାବାଳିକା ଥିଲେ। ଯେଉଁ ସରକାରୀ କର୍ମଚାରୀ କାଳିଆ ଟଙ୍କା ପାଇଛନ୍ତି ସେମାନଙ୍କ ଦରମାରୁ, ପନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ ଟଙ୍କାରୁ ଏହା ଭରଣା କରାଯିବ ବୋଲି ମନ୍ତ୍ରୀ କହିଥିଲେ। ହେଲେ ଟଙ୍କା ଭରଣା ହେଲା କି ନାହିଁ ତାହା ସରକାର ଏଯାଏଁ ସ୍ପଷ୍ଟ କରି ନାହାନ୍ତି। କେବେ ଆଦା କରିବେ ତାହା ମଧ୍ୟ କହୁ ନାହାନ୍ତି ରାଜ୍ୟ ସରକାର। ଏଣୁ ଯେଉଁ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ନେଇଛନ୍ତି ତାହା ପାଣିରେ ପଡ଼ିଲା ବୋଲି ଆଲୋଚନା ଚାଲିଛି।

କାଳିଆ ଯୋଜନା ଶୁଭାରମ୍ଭ ବେଳେ ରାଜ୍ୟ ସରକାର ୭୧ ଲକ୍ଷ ପରିବାରକୁ ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ନିର୍ବାଚନ ପୂର୍ବରୁ ଏବଂ ପରେ ପ୍ରଥମ କିସ୍ତିର ଟଙ୍କା ଦିଆଯାଇଥିଲା। ରାଜ୍ୟ ସରକାର ୫୧ ଲକ୍ଷଙ୍କୁ କାଳିଆ ସହାୟତା ଦେଇଥିଲେ।

ନିର୍ବାଚନ ପରେ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ବାଛିଲେ ସରକାର। ଏଥିପାଇଁ ପଞ୍ଚାୟତ ଅଫିସ୍‌ରେ ନୋଡାଲ ଅଫିସର ନିଯୁକ୍ତ ହେଲେ। ଯେଉଁମାନେ ଅଯୋଗ୍ୟ ସେମାନେ ଟଙ୍କା ଫେରାଇ ଦେବାକୁ ସରକାର ଆହ୍ୱାନ ଦେଇଥିଲେ। କିନ୍ତୁ ଟଙ୍କା ଫେରିଲା କି ନାହିଁ ତାହା କେବଳ ସରକାରଙ୍କୁ ହିଁ ଜଣା।

Comment