ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘କାଳିଆ’ ଟଙ୍କାକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇଛି। ଚାଷୀମାନଙ୍କୁ ପୁଣି କାଳିଆ ଟଙ୍କା ମିଳିବ ବୋଲି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି।

‘‘ଅଗଷ୍ଟ ମାସରେ ହିତାଧିକାରୀ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତା ନଭେମ୍ବର ମାସରେ କାଳିଆ ଟଙ୍କା ମିଳିବ’’, କହିଛନ୍ତି ସୌରଭ ଗର୍ଗ।

ଲୋକସେବା ଭବନରେ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ଚାଷୀମାନଙ୍କୁ କାଳିଆ ଟଙ୍କା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି।

କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ ଶ୍ରମିକଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘କାଳିଆ’ ଯୋଜନା। ନିର୍ବାଚନ ପୂର୍ବରୁ ଏହି ଯୋଜନା ଶୁଭାରମ୍ଭ ହୋଇଥିଲା। ଚାଷୀମାନଙ୍କୁ ଚାରିଟି କିସ୍ତିରେ ୨୦ ହଜାର ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ।

ନିର୍ବାଚନ ପୂର୍ବରୁ କିଛି ହିତାଧିକାରୀଙ୍କୁ ସରକାର ପ୍ରଥମ କିସ୍ତିର ଟଙ୍କା ଦେଇଥିଲେ। ଆଉ କିଛି ହିତାଧିକାରୀଙ୍କୁ ନିର୍ବାଚନ ପରେ ସହାୟତା ରାଶି ଦେଇଥିଲେ। ହେଲେ ନୂଆ ସରକାର ଗଠନ ହେବା ପରେ କାଳିଆରେ ଅଳିଆ ପଶି ଯାଇଥିଲା। ଅଯୋଗ୍ୟ ହିତାଧିକାରୀ କାଳିଆ ସହାୟତା ନେଇଥିବା ସରକାର କହିଲେ। ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଆଦାୟ ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କଲେ। ଏହାକୁ ନେଇ ତେଜିଥିଲା ରାଜନୀତି। ଫଳରେ କାଳିଆ ଟଙ୍କାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା।

Comment