ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ସନ୍ଧ୍ୟା ୬ଟା ୩୦ରୁ ଆରମ୍ଭ ଭକ୍ତି ସଙ୍ଗୀତ ଆସର ହେ ଚକାନୟନ’ କାର୍ଯ୍ୟକ୍ରମ।

ଓଡ଼ିଆ ଭକ୍ତି ସଙ୍ଗୀତର ପ୍ରତିଷ୍ଠିତ ସ୍ୱର ଶାନ୍ତିଲତା ବାରିକ ଛୋଟରାୟଙ୍କ ସଙ୍ଗୀତ ସନ୍ଧ୍ୟା ‘ହେ ଚକାନୟନ’ର ପଞ୍ଚମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି। ଆଜି ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି ଅବସରରେ ଶାନ୍ତିଲତାଙ୍କ ସହିତ ଅନ୍ୟ କେତେଜଣ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶାନ୍ତିଲତାଙ୍କର ବିଭିନ୍ନ କାଳଜୟୀ ଭକ୍ତିସଙ୍ଗୀତ ପରିବେଷଣ କରିବେ।

ଶାନ୍ତିଲତା ବାରିକ ଛୋଟରାୟ ଗାଇଥିବା ଭକ୍ତିସଙ୍ଗୀତ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମ ଗତ ପାଞ୍ଚ ବର୍ଷ ଧରି ଆୟୋଜିତ ହୋଇ ଆସୁଛି। ଚଳିତ ବର୍ଷ ଏହି ଅବସରରେ ଓଡ଼ିଶାର ସଂସ୍କୃତି ଓ ଆଧ୍ୟାତ୍ମିକ କ୍ଷେତ୍ରରେ ପରିଚିତ ବ୍ୟକ୍ତିତ୍ୱ ସ୍ୱାମୀ ଅରୂପାନନ୍ଦଙ୍କୁ ସମ୍ମାନିତ କରାଯିବ।

ଏଥର କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେବେ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ, ଶିକ୍ଷାବିତ୍ ତଥା କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ସେହିପରି ନାଇଜରର କୁଳ ସଚିବ ଡକ୍ଟର ଅଭୟ କୁମାର ନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେବେ।

‘‘ଶାନ୍ତିଲତା ବାରିକ ଛୋଟରାୟ ଗାଇଥିବା ଭକ୍ତିସଙ୍ଗୀତ ପ୍ରତି ଦେଶ ବିଦେଶରେ ଲୋକଙ୍କର ବେଶ୍ ଆଦର ରହିଛି। ଏହା ଓଡ଼ିଶାର ସଂସ୍କୃତି ବିଶେଷକରି ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଛି। ତେଣୁ ଏହି ଗୀତ ଓ ସଙ୍ଗୀତର ପ୍ରଚାର ପ୍ରସାର ସହିତ ଏହାର ସଂରକ୍ଷଣ ଉଦ୍ଦେଶ୍ୟରେ ‘ହେ ଚକାନୟନ’ କାର୍ଯ୍ୟକ୍ରମ କରାଯାଉଛି। ଶାନ୍ତିଲତା ବାରିକ ଛୋଟରାୟ କଲଚରାଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଁ ଓଡ଼ିଶାର ସଂସ୍କୃତିପ୍ରେମୀ ଓ ଶାନ୍ତିଲତାଙ୍କୁ ଭଲପାଉଥିବା ସମସ୍ତଙ୍କୁ ଅନୁରୋଧ କରୁଛି’’, କହିଛନ୍ତି ଟ୍ରଷ୍ଟର ଅଧ୍ୟକ୍ଷ ବ୍ରଜକିଶୋର ଦାଶ।

ଟ୍ରଷ୍ଟ ପକ୍ଷରୁ ଓଡ଼ିଆ ଭକ୍ତିସଙ୍ଗୀତର ପ୍ରଚାର ପ୍ରସାର ପାଇଁ କାମ କରିବା ସହିତ ନୂଆ ପିଢ଼ିକୁ ଏହି କ୍ଷେତ୍ରକୁ ଆକର୍ଷିତ କରିବା ପାଇଁ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଉଛି। ତା’ଛଡ଼ା ସଙ୍ଗୀତ ଏବଂ ସଂସ୍କୃତି କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରିବା ଟ୍ରଷ୍ଟର ଏକ କର୍ତ୍ତବ୍ୟ ଭାବେ ବିଚାର କରାଯାଉଛି ବୋଲି ଏହାର ଅଧ୍ୟକ୍ଷ ବ୍ରଜକିଶୋର ଦାଶ କହିଛନ୍ତି।

‘‘ଜଗନ୍ନାଥଙ୍କ ଗୀତ ଗାଇ ଗାଇ ଆଜି ମୁଁ ଏହି ସ୍ଥାନରେ ପହଞ୍ଚିଛି। ମୋ ଜୀବନର ସବୁଠାରୁ ବଡ଼ ଆନନ୍ଦ ହେଉଛି ସେହି ଭକ୍ତି ସଙ୍ଗୀତକୁ ଶ୍ରୋତା ଓ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବା। ‘ହେ ଚକାନୟନ’ କାର୍ଯ୍ୟକ୍ରମ ମାଧ୍ୟମରେ ମୋର ଅନେକ ସତୀର୍ଥ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ, ସାଥୀ ଏବଂ ଶିଷ୍ୟମାନେ ଯୋଡ଼ି ହୋଇ ଆସୁଥିବାରୁ ଏନେଇ ମୁଁ ବେଶ୍ ଆନନ୍ଦିତ,’’ କହିଛନ୍ତି ବିଶିଷ୍ଟ ଗାୟିକା ଶାନ୍ତିଲତା ବାରିକ ଛୋଟରାୟ।

‘ହେ ଚକାନୟନ’ କାର୍ଯ୍ୟକ୍ରମକୁ ଦେଶ ବିଦେଶର ଲୋକଙ୍କ ପାଖରେ ୱେବ ଏବଂ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ପହଞ୍ଚାଇବା ପାଇଁ ‘ଓଡ଼ିଶାଲାଇଭ୍’ ସହଯୋଗ କରିଆସୁଛି। ଏହି କାର୍ଯ୍ୟକ୍ରମର ଡିଜିଟାଲ୍ ମିଡ଼ିଆ ପାର୍ଟନର୍ ହିସାବରେ ଚଳିତ ବର୍ଷ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ଫେସବୁକ୍ ପେଜ୍‌ରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ କରାଯିବ ବୋଲି ମିଡିଆର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ସୂଚନା ଦେଇଛନ୍ତି।

‘ହେ ଚକାନୟନ’ କାର୍ଯ୍ୟକ୍ରମ ପରିଚାଳନା ଲାଗି ନବରତ୍ନ କମ୍ପାନି ନାଲକୋ ସହଯୋଗର ହାତ ବଢ଼ାଇଥିବାରୁ ଶାନ୍ତିଲତା କୃତଜ୍ଞତା ଜଣାଇଛନ୍ତି।

ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି। ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ।

ପିଲାଟି ଦିନରୁ ଶାନ୍ତିଲତା ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ। ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ, ଗୁରୁ ମାର୍କଣ୍ଡେୟ ମହାପାତ୍ର ଏବଂ ଗୁରୁ ସିଂହାରୀ ଶ୍ୟାମସୁନ୍ଦର କର ପ୍ରମୁଖଙ୍କ ଆଶୀର୍ବାଦ ତାଙ୍କୁ ସଙ୍ଗୀତ କ୍ଷେତ୍ରରେ ଏକ ଲମ୍ବା ରାସ୍ତା ଯିବା ପାଇଁ ସମ୍ବଳ ଯୋଗାଇଥିଲା।

‘ହେ ଚକାନୟନ’ ଶାନ୍ତିଲତା ବାରିକ ଛୋଟରାୟଙ୍କ ସବୁଠାରୁ ଲୋକପ୍ରିୟ ଗୀତ ଯାହାକି ଏକ ସମୟରେ ଓଡ଼ିଶାର ଘରେ ଘରେ ପ୍ରତିଧ୍ୱନିତ ହୋଇଥିଲା। ସଂଯୋଗକ୍ରମେ ଏହି ଗୀତଟି ଥିଲା ଶାନ୍ତିଲତାଙ୍କ ସଙ୍ଗୀତ ଜୀବନର ପ୍ରଥମ ବିଧିବଦ୍ଧ ରେକର୍ଡିଂ ଏବଂ ତାହା ସୁପରଡୁପର ହିଟ୍ ହୋଇଥିଲା।

Comment