ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଚାରି ଦଶକରୁ ଅଧିକ ସମୟ ଧରି ନିଜର ସୁଲଳିତ କଣ୍ଠର ଯାଦୁରେ ଶ୍ରୋତାମାନଙ୍କୁ ବାନ୍ଧି ରଖି ପାରିଥିବା ସୁଗାୟିକା ହେଲେ ଶାନ୍ତିଲତା ବାରିକ ଛୋଟରାୟ। କେବଳ ଓଡ଼ିଶାରେ ନୁହେଁ, ବରଂ ଭାରତ ଓ ଦେଶ ବାହାରର ଶ୍ରୋତାମାନଙ୍କୁ ସେ ନିଜର ସୁଲଳିତ କଣ୍ଠର ଯାଦୁରେ ବିମୁଗ୍ଧ କରିଛନ୍ତି।

ହୁଏତ ଅନେକ ଲୋକ ଜାଣି ନଥିବେ ଯେ, ଶାନ୍ତିଲତାଙ୍କ କଣ୍ଠରେ ରେକର୍ଡ ହୋଇଥିବା ପ୍ରଥମ ଜଗନ୍ନାଥ ଭଜନ ହେଲା ‘ହେ ଚକାନୟନ, ଅଗତିର ଗତି ଦୀନ ଦୁଃଖ ନାଶନ…’, ଯାହାକି ଆଜି ପର୍ଯ୍ୟନ୍ତ ଶ୍ରୋତାମାନଙ୍କୁ ଜଗନ୍ନାଥ ଭକ୍ତି ଓ ଆବେଗରେ ବାନ୍ଧି ରଖିଛି।

ଜଗନ୍ନାଥମୟ ହେବାକୁ ଯାଉଛି ଭୁବନେଶ୍ୱରର ଜୟଦେବ ଭବନ ପ୍ରେକ୍ଷାଳୟ। ସେଠାରେ ସୃଷ୍ଟି ହେବ ଭାବମୟ ନିଆରା ପରିବେଶ। ଶାନ୍ତିଲତା ବାରିକ ଛୋଟରାୟ କଲଚରାଲ ଟ୍ରଷ୍ଟ ଆନୁକୂଲ୍ୟରେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଯାଉଛି କାର୍ଯ୍ୟକ୍ରମ ‘ହେ ଚକାନୟନ’।

ଜୟଦେବ ଭବନ ପ୍ରେକ୍ଷାଳୟ ଭିତରେ ଉପସ୍ଥିତ ଦର୍ଶକମାନେ ନଭେମ୍ବର ୯ ତାରିଖ ସନ୍ଧ୍ୟାରେ ଜଗନ୍ନାଥଙ୍କ ଭଜନରେ ହେବେ ମନ୍ତ୍ରମୁଗ୍ଧ। ଏହି ଅବସରରେ ଶାନ୍ତିଲତାଙ୍କ ସମସାମୟିକ ଗୀତିକାର ଓ ସଂଗୀତକାରଙ୍କୁ ସମ୍ମାନିତ କରାଯିବ। ଏଥିସହ ଉକ୍ତ କାର୍ଯ୍ୟକ୍ରମରେ ଶାନ୍ତିଲତାଙ୍କ ସହ ଅନେକ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶାନ୍ତିଲତାଙ୍କର ଅକାଳଜୟୀ ଭକ୍ତିସଂଗୀତ ପରିବେଷଣ କରିବେ।

ପ୍ରତିବର୍ଷ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶାନ୍ତିଲାତା ବାରିକ ଛୋଟରାୟ କଲଚରାଲ ଟ୍ରଷ୍ଟ ତରଫରୁ ‘ହେ ଚକାନୟନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ସମ୍ମାନିତ ଅତିଥି ରୂପେ ଯୋଗ ଦେବେ।

ଏହି କାର୍ଯ୍ୟକ୍ରମରେ ଡିଜିଟାଲ ମିଡିଆ ପାର୍ଟନର ଓଡ଼ିଶାଲାଇଭ୍ ଦେଶ ତଥା ଦେଶ ବାହାରେ ରହୁଥିବା ଜଗନ୍ନାଥ ପ୍ରେମୀଙ୍କ ପାଖରେ ଏହି କାର୍ଯ୍ୟକ୍ରମକୁ ପହଞ୍ଚାଇବା ପାଇଁ ନିଜର ପ୍ରୟାସ ଜାରି ରଖିଛି। ଖାସ୍‌ ଏଥିପାଇଁ ଓଡ଼ିଶାଲାଇଭ୍‌ ୟୁ ଟ୍ୟୁବ୍‌ ଚ୍ୟାନେଲ (www.youtube.com/odishalive) ଓ ନ୍ୟୁଜ୍‌ ପୋର୍ଟାଲ (www.odisha.live)ରେ ‘ହେ ଚକାନୟନ’ କାର୍ଯ୍ୟକ୍ରମର ଲାଇଭ୍‌ ଷ୍ଟ୍ରିମିଂ କରାଯିବ। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ସନ୍ଧ୍ୟା ୬ଟା ୫୦ ମିନିଟରୁ ସମସ୍ତ ଜଗନ୍ନାଥପ୍ରେମୀ ଦେଖି ପାରିବେ।

ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ସମ୍ପାଦକ ନୀଳାମ୍ବର ରଥ କହିଛନ୍ତି, “ଜଗନ୍ନାଥଙ୍କ ଭଜନ ଗାଇ ଓଡ଼ିଶାର ଘରେ ଘରେ ପରିଚୟ ହାସଲ କରିଛନ୍ତି ଲୋକପ୍ରିୟ ଗାୟିକା ଶାନ୍ତିଲତା ବାରିକ ଛୋଟରାୟ। ସେ ଗାଇଥିବା ଅନେକ ଭଜନ ବିଗତ ଦିନରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଡିଜିଟାଲ ମାଧ୍ୟମରେ ପ୍ରସାରଣ କରାଯାଇଛି। ଚଳିତ ବର୍ଷର କାର୍ଯ୍ୟକ୍ରମରେ ପରିବେଷଣ କରାଯିବା ସମସ୍ତ ଗୀତ ମଧ୍ୟ ଓଡ଼ିଶାଲାଇଭ୍‌ରେ ଉପଲବ୍ଧ ରହିବ।”

Comment