ଓଡ଼ିଶାଲାଇଭ୍ ବ୍ୟୁରୋ

ବିରୋଧୀଙ୍କ ଟାର୍ଗେଟରେ କେନ୍ଦ୍ରର ବିଜେପି ସରକାର। ଜମ୍ମୁ କଶ୍ମୀରକୁ ୟୁରୋପ ପ୍ରତିନିଧି ଦଳ ଆସିବାକୁ ନେଇ ବିରୋଧୀ ବିଜେପି ସରକାରକୁ ପ୍ରଶ୍ନବାଣରେ ଛନ୍ଦିଛନ୍ତି। ଭାରତୀୟ ସଂସଦୀୟ ଦଳର ଟିମ୍‌କୁ କଶ୍ମୀର ଯିବାକୁ କେନ୍ଦ୍ର ସରକାର ଅନୁମତି ଦେଉ ନଥିବା ବେଳେ ବିଦେଶୀ ପ୍ରତିନିଧିଙ୍କୁ କିଏ ଅନୁମତି ଦେଲା ତାକୁ ନେଇ ରାଜନୀତି କରିଡର ହଲ୍‌ଚଲ୍‌ ହୋଇଛି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ କେନ୍ଦ୍ର ସରକାର। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜମ୍ମୁ କଶ୍ମୀରରେ ୧୪୪ ଧାରା ଲାଗୁ କରାଯାଇଥିଲା। କାଳେ କିଛି ଅଘଟଣ ଘଟିବା ଆଶଙ୍କାରେ ଟେଲିଫୋନ ସେବା ବି ଅଚଳ କରି ଦେଇଥିଲେ କେନ୍ଦ୍ର ସରକାର।

କଶ୍ମୀରରୁ ଧାରା ୩୭୦ ହଟିବାକୁ ନେଇ କଂଗ୍ରେସ ବିରୋଧ କରୁଥିଲା। ଖାଲି ସେତିକି ନୁହେଁ, ପାକିସ୍ତାନ ବି ଏହି ପ୍ରସଙ୍ଗକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ରାଜନୀତି ଆରମ୍ଭ କରିଦେଇଥିଲା। ଜମ୍ମୁ କଶ୍ମୀରରୁ କାହିଁକି ୧୪୪ ଧାରା ହଟୁନି ବୋଲି ପାକିସ୍ତାନ ଅନ୍ତର୍ଜାତୀୟ ମଞ୍ଚରେ ପ୍ରଶ୍ନ କରିଥିଲା।

ଧାରା ୩୭୦ ହଟିବା ପରେ ଜମ୍ମୁ କଶ୍ମୀରରେ ସ୍ଥିତି କ’ଣ ଅଛି ତାହା ଜାଣିବା ପାଇଁ ଭାରତୀୟ ସଂସଦୀୟ ଦଳର କିଛି ପ୍ରତିନିଧିମାନେ ଚାହିଁଥିଲେ। ହେଲେ କେନ୍ଦ୍ର ସରକାରଙ୍କୁ ତାଙ୍କୁ ଅନୁମତି ଦେଇ ନଥିଲେ। ସେମାନଙ୍କ ବିମାନ ବନ୍ଦରରୁ ଫେରାଇ ଦିଆଯାଇଥିଲା।

ଯେଉଁଠି ଭାରତୀୟ ସଂସଦୀୟ ଦଳର ପ୍ରତିନିଧିଙ୍କୁ ଜମ୍ମୁ କଶ୍ମୀର ଯିବା ପାଇଁ ଅନୁମତି ମିଳୁନି ସେଠି ବିଦେଶୀ ପ୍ରତିନିଧିଙ୍କୁ କିଏ ଡାକିଲା ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।

‘‘ବିଜେପିର ଜାତୀୟତାବାଦ ସମସ୍ତଙ୍କୁ ଚକିତ କରିଛି। ଭାରତୀୟ ସାଂସଦମାନଙ୍କୁ କଶ୍ମୀର ଯିବାକୁ ଅନୁମତି ମିଳୁ ନଥିବାରୁ ୟୁରୋପ ପ୍ରତିନିଧିଙ୍କୁ କଶ୍ମୀର ଯିବାକୁ ଆମନ୍ତ୍ରଣ କରାଯାଉଛି’’, କହିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଭଦ୍ରା।

ୟୁରୋପ ପ୍ରତିନିଧି କଶ୍ମୀର ଯିବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବହୁଜନ ସମାଜବାଦୀ ପାର୍ଟି ନେତ୍ରୀ ମୟାବତୀ।

‘‘କେନ୍ଦ୍ର ସରକାର ବିରୋଧୀ ଦଳ ନେତାମାନଙ୍କୁ କଶ୍ମୀର ଯିବାକୁ ଅନୁମତି ଦେବା ଦରକାର। ତାହା ନକରି ୟୁରୋପ ପ୍ରତିନିଧିଙ୍କୁ ଅନୁମତି ଦେବା ଠିକ୍‌ ହୋଇନାହିଁ’’, କହିଛନ୍ତି ମାୟାବତୀ।

‘‘ଧାରା ୩୭୦ ହଟିବା ପରେ ମୁଁ କଶ୍ମୀର ଯିବାକୁ ଚାହିଁଥିଲି। ଦିଲ୍ଲୀରୁ ଶ୍ରୀନଗର ଯାଇଥିଲି। ହେଲେ ଶ୍ରୀନଗର ଏୟାରପୋର୍ଟରୁ ମତେ ଫେରାଇ ଦିଆଯାଇଥିଲା। ଏହାପରେ ମୁଁ ଜମ୍ମୁ ଯିବାକୁ ଚାହିଁଲି। ସେଠି ବି ସମାନ ଅବସ୍ଥା ଭୋଗିବାକୁ ପଡ଼ିଲା। ଏବେ ୟୁରୋପ ପ୍ରତିନିଧିଙ୍କୁ କାହିଁକି ଅନୁମତି ଦିଆଗଲା?’’ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ଗୁଲାମନବୀ ଆଜାଦ।

Comment