ଓଡ଼ିଶାଲାଇଭ୍ ବ୍ୟୁରୋ

କଟକରେ ତେଲୁଗୁ ସଂପ୍ରଦାୟ ଲୋକ ପାଳିଲେ ନାଗଲୁ ଚଉତି

କଟକରେ ତେଲୁଗୁ ସଂପ୍ରଦାୟର ଲୋକ ଗୁରୁବାର ନାଗଚତୁର୍ଥୀ ବା ନାଗଲୁ ଚଉତି ପାଳନ କରିଛନ୍ତି। ଶହ ଶହ ସଂଖ୍ୟାରେ ମହିଳାମାନେ ଆସି ଉଈ ହୁଙ୍କାରେ ଥିବା ନାଗକୁ ପୂଜା କରିଛନ୍ତି।

ଗୁରୁବାର ନାଗଚତୁର୍ଥୀରେ ତେଲୁଗୁ ସଂପ୍ରଦାୟର ମହିଳାମାନେ ପିଠା, ରାଶି, କ୍ଷୀର ଭୋଗ ଆଣି ନାଗକୁ ପୂଜା କରୁଥୁବା ଦେଖିବାକୁ ମିଳିଥିଲା। ନୂଆ ବସ୍ତ୍ର ପିନ୍ଧି ସେମାନେ ନାଗ ଦେବତାଙ୍କୁ ପୂଜା କରିବା ସହ ଅଣ୍ଡା ପୂଜା କରିଥିଲେ।

ଉଈ ହୁଙ୍କାରେ ପୂଜାର୍ଚ୍ଚନା କରି ସେହି ମାଟିକୁ କାନରେ ଲଗାଇବା ଦ୍ୱାରା କାନରେ ଦେଖାଯାଉଥିବା ସଂକ୍ରମଣ ବା ଘା’ ଭଲ ହୋଇଯାଇଥାଏ ଏବଂ ଆଖିରେ କୌଣସି ସମସ୍ୟା ହୁଏ ନାହିଁ ବୋଲି ତେଲୁଗୁ ସଂପ୍ରଦାୟ ଲୋକ ବିଶ୍ୱାସ କରିଥା’ନ୍ତି। ଏଥିପାଇଁ ପୂଜାର୍ଚ୍ଚନା ପରେ ଉଈହୁଙ୍କା ମାଟିକୁ ମଧ୍ୟ ସଂଗ୍ରହ କରିଥାନ୍ତି ଶ୍ରଦ୍ଧାଳୁ।

ଏହା ତେଲଗୁ ସଂପ୍ରଦାୟର ଗ୍ରାମୀଣ ପର୍ବ ଭାବେ ବେଶ୍‌ ପରିଚିତ।

ଏହି ସମ୍ପ୍ରଦାୟର ଲୋକଙ୍କ ବିଶ୍ୱାସ ଥାଏ ଯେ, ଧାନ କିଆରୀରେ ନାଗ ସାପ ଓ ନାଗଛୁଆ ବି ରହିଥା’ନ୍ତି। ଧାରୁଆ ଅସ୍ତ୍ରରେ ଧାନ କାଟିବା ସମୟରେ ଧାନ କଟିବା ସହ ସାପମାନେ ମଧ୍ୟ ଭୁଲବସତଃ କାଟି ହୋଇ ମରିଯା’ନ୍ତି। ତେଣୁ ନାଗ ସେମାନଙ୍କୁ କ୍ଷମା କରିବା ଲାଗି ସେମାନେ ନାଗଲୁ ଚଉତିରେ ନାଗ ଦେବତାଙ୍କୁ ପୂଜା କରିବା ସହ କ୍ଷମା ପ୍ରାର୍ଥନା କରିଥାନ୍ତି।

ଏହି ଉତ୍ସବକୁ ତେଲୁଗୁ ସଂପ୍ରଦାୟର ଲୋକଙ୍କ ସହ ଓଡ଼ିଆ ଲୋକମାନେ ମଧ୍ୟ ବେଶ୍ ଉତ୍ସାହର ସହ ପାଳନ କରିଥାନ୍ତି।

Comment