ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜ୍ଞାନତପସ୍ୱୀ ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି।

ଏବେ ପୃଥିବୀର ଯେ କୌଣସି ବିଷୟରେ ଜାଣିବାକୁ ପାଇଁ ବର୍ତ୍ତମାନର ପିଢ଼ି ଉଇକିପିଡିଆର ସହାୟତା ନେଉଛନ୍ତି। ହେଲେ ବିନୋଦ କାନୁନଗୋ ଏମିତି ଜଣେ ବ୍ୟକ୍ତିତ୍ୱ ଥିଲେ ଯେତେବେଳେ ଇଣ୍ଟରନେଟ୍‌ ବ୍ୟବହାର ନଥିଲା ସେତେବେଳେ ସେ ଛପା ମାଧ୍ୟମରେ ୱିକିପିଡିଆର ପରିକଳ୍ପନା କରିଥିଲେ। ଓଡ଼ିଆ ବିଶ୍ୱକୋଷ ‘ଜ୍ଞାନମଣ୍ଡଳ’ ଗଠନ କରି ସେ ଭାଷାକୋଷକୁ ସମୃଦ୍ଧ କରିଥିଲେ।

‘‘ପଦ୍ମଶ୍ରୀ ବିନୋଦ କାନୁନଗୋ ଆମ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ। ଓଡ଼ିଆ ଭାଷାକୁ ଆଗକୁ ନେବାରେ ତାଙ୍କର ଯଥେଷ୍ଟ ଅବଦାନ ମଧ୍ୟ ରହିଛି। ଜ୍ଞାନମଣ୍ଡଳ ବିଶ୍ୱକୋଷର ସେ ସ୍ରଷ୍ଟ ଥିଲେ। ଓଡ଼ିଆ ଭାଷା ପାଇଁ ଆଜି ଜ୍ଞାନମଣ୍ଡଳର ଅବଦାନ ଅତୁଳନୀୟ। ତାଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।

ସଂଗ୍ରାମ ଓ ସାଧନାର ଶିଳ୍ପୀ ଥିଲେ ପଦ୍ମଶ୍ରୀ ବିନୋଦ କାନୁନଗୋ। ସେ ଏକାଧାରରେ ଥିଲେ ସ୍ୱାଧୀନତା ସଂଗ୍ରାମୀ, ଭାଷା, ସାହିତ୍ୟର ଖ୍ୟାତିନାମା ଗବେଷକ, ସାମ୍ବାଦିକ, ଜୀବନୀକାର, ଶିଶୁ ସାହିତ୍ୟିକ, ଜନପ୍ରିୟ ବିଜ୍ଞାନ ଲେଖକ ଏବଂ ଓଡ଼ିଆ ବିଶ୍ୱକୋଷ ‘ଜ୍ଞାନମଣ୍ଡଳ’ର ଅନ୍ୟତମ ସ୍ରଷ୍ଟା।

‘‘ଯେତେବେଳେ ଓଡ଼ିଶାରେ ଜ୍ଞାନର ପ୍ରସାର ହୋଇ ନଥିଲା ସେତେବେଳେ ପଦ୍ମଶ୍ରୀ ବିନୋଦ କାନୁନଗୋ ଓଡ଼ିଆରେ ଜ୍ଞାନମଣ୍ଡଳର ତିଆରି କରିବା ପାଇଁ ଆଗକୁ ବାହାରିଥିଲେ। ବହୁ କଠିନ ପରିଶ୍ରମ ବଳରେ ସେ ଜ୍ଞାନମଣ୍ଡଳ ଗଠନ କରିଥିଲେ। ସେଥିପାଇଁ ତାଙ୍କୁ ଜ୍ଞାନ ତପସ୍ୱୀ କୁହାଯାଏ। ସାହିତ୍ୟ କୃତୀ ପାଇଁ ସେ ଦୁଇ ଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ଜ୍ଞାନଯୋଗୀ ବିନୋଦ କାନୁନଗୋଙ୍କୁ ତାଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

୧୯୧୨ ମସିହା ଜୁନ୍ ୬ ତାରିଖରେ କଟକ ଜିଲ୍ଲା କିଶନ ନଗର ନିକଟସ୍ଥ ମଲ୍ଲିପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ବିନୋଦ କାନୁନଗୋ। ରେଭେନ୍ସା କଲିଜିଏଟ୍‌ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ପାଠପଢ଼ା ଛାଡ଼ି ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ କାରାବରଣ କରିଥିଲେ।

‘‘ଓଡ଼ିଆ ଭାଷାକୋଷକୁ ସମୃଦ୍ଧ କରିବା ପାଇଁ ଜ୍ଞାନମଣ୍ଡଳ ଗଠନ କରିଥିଲେ ପଦ୍ମଶ୍ରୀ ବିନୋଦ କାନୁନଗୋ। ଏଥିପାଇଁ ଓଡ଼ିଆ ଭାଷା ସାରା ପୃଥିବୀରେ ଅଗ୍ରଣୀ ଭାଷାର ପରିଚୟ ହାସଲ କରିପାରିଛି। ସେ ଅନେକ ଗ୍ରନ୍ଥ ରଚନା କରିଛନ୍ତି ଓଡ଼ିଆ ଭାଷା, ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ ନାୟକ।

ମହାତ୍ମା ଗାନ୍ଧୀଙ୍କ ଐତିହାସିକ ପଦଯାତ୍ରାରେ ବିନୋଦ ଅନୁଗୁଳଠାରୁ ପୁରୀ ଏବଂ ପୁରୀରୁ ଭଦ୍ରକ ପର୍ଯ୍ୟନ୍ତ ଗାନ୍ଧୀଜୀଙ୍କ ସାନ୍ନିଧ୍ୟ ଲାଭ କରିଥିଲେ। ଏହାପରେ ସେ ସତ୍ୟାଗ୍ରହୀ ଭାବରେ ରାଜ୍ୟ ତଥା ଦେଶରେ ବିଭିନ୍ନ ସଙ୍ଗଠନରେ କାର୍ଯ୍ୟ କରି ନିଷ୍ଠାବାନ ସ୍ୱାଧୀନତା ସଂଗ୍ରାମୀ ଭାବେ ସୁନାମ ଅର୍ଜନ କରିଥିଲେ। ସ୍ୱାଧୀନତା ଆନ୍ଦୋଳନ କାଳରେ ବାରମ୍ବାର କାରାବରଣ କରି ଜେଲ ଭିତରେ ପ୍ରଖ୍ୟାତ ସଂଗ୍ରାମୀ ଓ ମନୀଷୀମାନଙ୍କ ସଂସ୍ପର୍ଶରେ ଆସି ବିନୋଦ କାନୁନଗୋ ମାତୃଭାଷା ମାଧ୍ୟମରେ ଜ୍ଞାନର ପରିସୀମାକୁ ବ୍ୟାପ୍ତ କରିବାକୁ ଅନୁପ୍ରାଣିତ ହୋଇଥିଲେ।

‘‘ଜାତୀୟ ଜୀବନ ପାଇଁ ବିନୋଦ କାନୁନଗୋଙ୍କ ସମଗ୍ର ଜୀବନ ଉତ୍ସର୍ଗୀକୃତ ହୋଇଥିଲା। ମାତୃଭୂମି ଏବଂ ମାତୃଭାଷାର ସେବା କରିବା ଥିଲା ତାଙ୍କର ମୂଳ ମନ୍ତ୍ର। ଗାନ୍ଧୀଜୀଙ୍କ ଡାକରାରେ ସେ ଛାତ୍ର ଜୀବନରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ଓଡ଼ିଶାରେ ଗାନ୍ଧୀଜୀଙ୍କ ପଦଯାତ୍ରା ବେଳେ ବିନୋଦ କାନୁନଗୋ ତାଙ୍କ ପାଖେ ପାଖେ ରହି ଖବର ସଂଗ୍ରହ କରି ବିଭିନ୍ନ ସମ୍ବାଦପତ୍ର ସଂସ୍ଥାକୁ ପଠାଉଥିଲେ। ଏହାକୁ ନେଇ ସେ ପରବର୍ତ୍ତୀ ସମୟରେ ଏକ ପୁସ୍ତକ ପ୍ରକାଶ କରିଥିଲେ’’, କହିଛନ୍ତି ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂହ।

ଯଦିଓ ସେ କିଶୋର ଅବସ୍ଥାରେ ପାଠପଢ଼ା ଛାଡ଼ିଥିଲେ ତଥାପି ପଢ଼ିବା ପାଇଁ ସେ ସବୁବେଳେ ଚାହୁଁଥିଲେ। ପାଟନା ଜେଲ, ବରୀ ସେବାଶ୍ରମ, କଟକର ଗୋପବନ୍ଧୁ ଭବନ, ବ୍ରହ୍ମପୁର ଜେଲ୍‌ ମଧ୍ୟରେ ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟ ସ୍ତରୀୟ ପାଠ ପଢ଼ିବାର ସୁଯୋଗକୁ ସେ ହାତଛଡ଼ା କରିନଥିଲେ। ଜ୍ଞାନର ପରିସୀମାକୁ ପରିବ୍ୟାପ୍ତ କରିବା ପାଇଁ ସେ ଦୃଢ଼ ସଂକଳ୍ପ ନେଇ ନିରବଚ୍ଛିନ୍ନ ଭାବରେ ଜୀବନର ଶେଷ ସମୟ ଯାଏଁ ଲେଖନୀ ଚାଳନାରେ ମଗ୍ନ ରହିଥିଲେ।

‘‘ପଦ୍ମଶ୍ରୀ ବିନୋଦ କାନୁନଗୋ ହେଉଛନ୍ତି ମହାତ୍ମା ଗାନ୍ଧୀଙ୍କର ପଟ୍ଟଶିଷ୍ୟ। ଗାନ୍ଧୀଜୀ ଭାରତରେ ବିପ୍ଲବ ସମାଜ ସଅଷ୍ଟି କରିବାକୁ ଚାହୁଁଥିଲେ। ଏଥିରେ ବିନୋଦ କାନୁନଗୋଙ୍କର ଅବଦାନ ରହିଥିଲା। ସେ ଜ୍ଞାନ ସଂଗ୍ରହ ଏବଂ ଜ୍ଞାନ ବିତରଣ କରି ଆଜି ଚିରସ୍ମରଣୀୟ ହୋଇ ରହିଛନ୍ତି’’, କହିଛନ୍ତି ବିନୋଦ କାନୁନଗୋଙ୍କ ପୁଅ ତଥା ବିଶିଷ୍ଟ ଗବେଷକ ପାବକ କାନୁନଗୋ।

ଜ୍ଞାନଯୋଗୀ ବିନୋଦ ଓଡ଼ିଆ ସାହିତ୍ୟ ଜଗତକୁ ଅନେକ ଅବଦାନ ଦେଇଥିବାରୁ ୧୯୮୬ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ‘ପଦ୍ମଶ୍ରୀ’, ୧୯୮୦ରେ ‘ଛାତିକି ପଥର କରି’, ଶିଶୁ ସାହିତ୍ୟ ପାଇଁ ୧୯୮୪ ମସିହାରେ ଆତ୍ମ ଜୀବନୀ ଗ୍ରନ୍ଥ ‘ୠଣ ପରିଶୋଧ’ ପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ଦୁଇଥର ପାଇଥିଲେ।

ଏହି ଜ୍ଞାନଯୋଗୀ ତଥା ସୁଲେଖକଙ୍କର ୧୯୯୦ ମସିହା ଜୁନ୍ ୨୨ ତାରିଖରେ ଦେହାନ୍ତ ହୋଇଥିଲା।

‘‘ଓଡ଼ିଆ ସାରସ୍ୱତ ଜଗତର ଉଜ୍ଜ୍ୱଳତମ ନକ୍ଷତ୍ର ହେଉଛନ୍ତି ପଦ୍ମଶ୍ରୀ ବିନୋଦ କାନୁନଗୋ। ଓଡ଼ିଆ ସାହିତ୍ୟକୁ ତାଙ୍କର ଅନବଦ୍ୟ କୃତୀ ପାଇଁ ସେ ସଦାସର୍ବଦା ସମସ୍ତଙ୍କ ପାଖରେ ସ୍ମରଣୀୟ ହୋଇ ରହିବେ। ଆଜି ତାଙ୍କ ଜନ୍ମଦିନରେ ଓଡ଼ିଆ ସାହିତ୍ୟ ଏକାଡେମୀ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଶୁଚିସ୍ମିତା ମନ୍ତ୍ରୀ।

Comment