ଓଡ଼ିଶାଲାଇଭ୍ ବ୍ୟୁରୋ

ଟୋକିଓ ଅଲିମ୍ପିକ୍ ଟିକେଟ୍‌ ପାଇଁ ଆଜି କଳିଙ୍ଗ ଷ୍ଟାଡିୟମରେ ପ୍ରତିପକ୍ଷ ଦଳକୁ ଭେଟିବେ ଉଭୟ ଭାରତୀୟ ମହିଳା ଓ ପୁରୁଷ ହକି ଦଳ। ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟର ଦୁଇଟି ମ୍ୟାଚ୍ ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।

ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି କଳିଙ୍ଗ ଷ୍ଟାଡିୟମରେ ଏହି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଯେଉଁଥିପାଇଁ ସାରା ଦେଶର ହକିପ୍ରେମୀଙ୍କ ନଜର କଳିଙ୍ଗ ଷ୍ଟାଡିୟମ ଉପରେ ରହିବ।ଟୋକିଓ ଅଲିମ୍ପିକ୍ ଟିକେଟ ଲକ୍ଷ୍ୟରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ପଡ଼ିଆକୁ ଓହ୍ଲାଇବେ।

ଏହି ଦୁଇ ଦିନରେ ଭାରତୀୟ ମହିଳା ହକି ଦଳ ଆମେରିକା ସହ ଦୁଇଟି ମ୍ୟାଚ୍ ଖେଳିବାକୁ ଥିଲାବେଳେ, ଭାରତୀୟ ପୁରୁଷ ହକି ଟିମ୍‌ ରୁଷିଆ ସହ ବି ଦୁଇଟି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳିବ।

ଯେଉଁ ଦଳ ଦୁଇଟି ମ୍ୟାଚକୁ ମିଶାଇ ଅନ୍ୟଦଳଠାରୁ ଅଧିକ ଗୋଲ କରିଥିବ ସେହି ଦଳ ଟୋକିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ହାସଲ କରିବ।

ଉଭୟ ଶୁକ୍ରବାର ଓ ଶନିବାର ସଧ୍ୟା ୬ଟାରେ ଭାରତୀୟ ମହିଳା ହକି ଦଳ ତା’ର ପ୍ରତିଦ୍ୱନ୍ଦ୍ୱୀ ଆମେରିକାକୁ ଭେଟିବ। ଅନ୍ୟପଟେ ଏହି ଦୁଇ ଦିନ ରାତି ୮ଟାରେ ଭାରତୀୟ ପୁରୁଷ ହକି ଦଳ ରୁଷିଆ ସହ ମୁହାଁମୁହିଁ ହେବ।

ଭାରତୀୟ ମହିଳା ହକି ଦଳ ତୃତୀୟ ଥର ଅଲିମ୍ପିକ୍ ଟିକେଟ ପାଇଁ ଲକ୍ଷ୍ୟ ରଖିଛି। ଅନ୍ୟପଟେ ଭାରତୀୟ ପୁରୁଷ ହକି ଦଳ ପୁଣିଥରେ ଅଲିମ୍ପିକ୍ ମେଡାଲ ଜିତିବାକୁ ଆଶା ରଖିଛି।

Comment